ବାଲିଗୁଡା, ୨/୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ବସଷ୍ଟାଣ୍ଡରେ ଥିବା ଯାତ୍ରୀ ବିଶ୍ରାମଗାରରେ ଏକ ବୃଦ୍ଧା ମହିଳା ଙ୍କ ମୃତ୍ୟୁ ଘଟିଛି। କୌଣସି ସୂତ୍ରରୁ ଖବର ପାଇ ବାଲିଗୁଡା ପୋଲିସ ସୋମବାର ଘଟଣା ସ୍ଥଳରେ ପହଂଚି ପରିସ୍ଥିତି ଅନୁଧ୍ୟାନ କରି ଶବକୁ ଜବତ କରି ବ୍ୟବେଛଦ ପାଇଁ ମେଡିକାଲ କୁ ପଠାଇଛି।
ପ୍ରକାଶ ଯେ, ରବିବାର ମଧ୍ୟରାତ୍ରି ପରେପରେ ଉକ୍ତ ବୃଦ୍ଧାଙ୍କ ମୃତ୍ୟୁ ଘଟିଥିବା ପୋଲିସ ଅନୁମାନ କରୁଛି। ତାଙ୍କର ମୃତ୍ୟୁର କାରଣ ଜଣାପଡ଼ିନ ଥିବା ବେଳେ ନିକଟରେ ଥିବା କିଛି ବ୍ୟକ୍ତି ମହିଳା ଜଣକ ତୁମୁଡିବନ୍ଧ ବ୍ଲକ କୁର୍ତ୍ତମଗଡ ପଂଚାୟତ ଅଞ୍ଚଳର ବୋଲି କହିଛନ୍ତି।ପୁଲିସ ଏହି ଘଟଣାକୁ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଅବ୍ୟାହତ ରଖିଥିବା ଜଣାପଡିଛି। ବାଲିଗୁଡାରେ ଏକ ମହାପ୍ରୟାଣ ଗାଡି ଥାଇ ମଧ୍ୟ ଡକା ଯାଇ ନ ଥିବାରୁ ଜନସାଧାରଣ ତୀବ୍ର ଅସନ୍ତୋଷ ପ୍ରକାଶ କରିଥିଲେ।
ଶେଷରେ ବାଧ୍ୟ ହୋଇ ବସଷ୍ଟାଣ୍ଡରେ ଥିବା ଏକ ପଟା ଟ୍ରଲିରେ ବୋହି ସମଗ୍ର ସହର ଦେଇ ମେଡିକାଲ ରେ ବ୍ୟବେଛଦ ପାଇଁ ପହଞ୍ଚା ଯାଇଥିଲା। ଯାହାକି, ସରକାରଙ୍କ ସବୁ ଯୋଜନା ଖୋଦ ବାଲିଗୁଡା ଟାଉନରେ ଫେଲ ମାରିଥିବା ସହ ଗ୍ରାମାଞ୍ଚଳରେ ଏହି ଯୋଜନା କିପରି କାର୍ଯ୍ୟ କରୁଥିବ, ଏଥିରୁ ଅନୁମେୟ।