Odiapua.com

ବାଲିଗୁଡାର ଉପାନ୍ତ ଅଞ୍ଚଳରେ ମାତିଛନ୍ତି ଛତିଶଗଡର ନକଲି ଡାକ୍ତର: ଚିକିତ୍ସା ନାଁରେ ଆଦିବାସୀଙ୍କ ଜୀବନ ସହ ଖେଳ

ବାଲିଗୁଡା,୧୬/୨ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲାର ଆଦିବାସୀ ଅଧୁସିତ ଅଞ୍ଚଳରେ ମାତିଛନ୍ତି ଛତିଶଗଡର ନକଲି ଡାକ୍ତର। ଚିକିତ୍ସା ନାମରେ ଆଦିବାସୀଙ୍କ ଜୀବନ ସହ ଖେଳ ଖେଳୁଛନ୍ତି।

ଡାକ୍ତରୀ ପାଠ ପଢିଥିବାର କୌଣସି ପ୍ରମାଣପତ୍ର ନାହିଁ, ଅଥଚ ନିଜକୁ ଡାକ୍ତରର ପରିଚୟ ଦେଇ ନୀରିହ ଆଦିବାସୀଙ୍କୁ ଠକି ଚାଲିଛନ୍ତି।ବାଲିଗୁଡାର ଆଦିବାସୀ ବହୁଳ ଅଂଚଳର ଏହି ଘଟଣା ଆପଣଙ୍କୁ ଚକିତ କରିପକାଇବ। ଆଦିବାସୀ ବହୁଳ ଅଞ୍ଚଳର ବିଭିନ୍ନ ସ୍ଥାନରେ ଏକ ଛୋଟିଆ ଘରେ ପସରା ମେଳିଛନ୍ତି ଏହି ଛତିଶଗଡର ନକଲି ଡାକ୍ତର। ଅଣ୍ଟା,ଆଣ୍ଠୁ ବ୍ୟଥା ରୋଗୀ ଆସିଲେ ଦୁଇ ଆଣ୍ଠୁରେ ୪ଟି ଓ ଅଣ୍ଟାରେ ଗୋଟିଏ ଇଞ୍ଜେକସନ ଫୋଡି ଦେଉଛନ୍ତି। ଆଉ ଜଣକ ପିଛା ୧୪ଶହରୁ ୧୫ ଶହ ଟଙ୍କା ନେଉଛନ୍ତି। ଏମିତି ଥରକରେ ୫ଟି ଇଂଜେକସନ ନେଉଥିବା ରୋଗୀଙ୍କ ଭବିଷ୍ୟତ କଣ ହେବ କହିବା ମୁସ୍କିଲ।

ଲୋକଙ୍କୁ ଡାଇକ୍ଲେଫିନା ନାମକ ପେନକ୍ଲିୟର ଇଂଜେକ୍ସନ ଦେଉଥିବା କହିଛନ୍ତି ନକଲି ଡାକ୍ତର। ଯାହା ବଜାରରେ ୧୦ରୁ ୧୫ଟଙ୍କାରେ ମିଳୁଛି, ହେଲେ ସରଳ ଆଦିବାସୀଙ୍କ ଠାରେ ସେ ଆଦାୟ କରୁଛନ୍ତି ୧୪ରୁ ୧୫ ଶହ ଟଙ୍କା। ରୋଗୀ ଚିକିତ୍ସା କରୁଥିବା ଡାକ୍ତର ଛତିଶଗଡ ଅଞ୍ଚଳର । ସେ ନିଜକୁ ଆୟୁର୍ବେଦିକ ଡାକ୍ତର କହୁଛନ୍ତି, କିନ୍ତୁ ଏଲୋପ୍ୟାଥି ଚିକିତ୍ସା କରୁଛନ୍ତି।ଆଉ ସାଂଘାତିକ କଥା ହେଉଛି, ଆୟୁର୍ବେଦିକ ଡାକ୍ତରୀ ପାଠ ପଢିଥିବା ନେଇ ତାଙ୍କ ପାଖରେ କୌଣସି ପ୍ରମାଣ ନାହିଁ। ଯେଉଁ ଅଂଚଳରେ ସ୍ୱାସ୍ଥ୍ୟସେବା ପହଂଚି ପାରୁନାହିଁ, ସେହି ଅଂଚଳ ଛତିଶଗଡର ନକଲି ଡାକ୍ତରଙ୍କ ଚରାଭୂଇଁ ପାଲଟିଛି।ଏଥି ପ୍ରତି ସ୍ୱାସ୍ଥ୍ୟ ବିଭାଗ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେବାକୁ ଜନସାଧାରଣ ଙ୍କ ପକ୍ଷରୁ ଦାବୀ ହେଉଛି।