Odiapua.com

ବାଲିଗୁଡା:ବିଦ୍ୟାଳୟ ପାଚେରୀ ଭୁଷୁଡ଼ି ଛାତ୍ରୀଙ୍କ ମୃତ୍ୟୁ :ଦୁଇ ଜଣ ଗୁରୁତର ମେଡିକାଲରେ ଚିକିତ୍ସାଧୀନ

ବାଲିଗୁଡା, ୧୦/୩ (ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ): ହସ ଖୁସିରେ ସାଙ୍ଗମାନଙ୍କ ସହ ଖେଳୁଥିବା ବେଳେ ୩ ଜଣ ପିଲାଙ୍କ ଉପରେ ବିଦ୍ୟାଳୟ ପାଚେରି ମାଡ଼ି ବସିବାରୁ ଜଣେ ଛାତ୍ରୀର ମୃତ୍ୟୁ ହୋଇଛି। ଏହା ସହ ୨ ଜଣ ଗୁରୁତର ହୋଇଛନ୍ତି। ମୃତକ ଛାତ୍ରୀଜଣଙ୍କ ହେଲେ ରାଇକିଆ ବ୍ଲକ ପେଟାପାଙ୍ଗା ପଞ୍ଚାୟତ ବେଲକାଟି ଗ୍ରାମର ସଞ୍ଜୀବ ପ୍ରଧାନଙ୍କ ଝିଅ ରିଷିକା ପ୍ରଧାନ(୧୧)। ସେହିପରି ଗୁରୁତର ହୋଇଥିବା ଦୁଇ ଜଣ ଛାତ୍ର ହେଲେ ଭୀମgସେନ ପ୍ରଧାନଙ୍କ ପୁଅ ରିତେଶ ପ୍ରଧାନ (୧୨) ଓ ଜମ୍ବୁ ପ୍ରଧାନଙ୍କ ପୁଅ ଶୁଭମ ପ୍ରଧାନ (୧୨)।ସୂଚନା ମୁତାବକ, ବେଲକାଟି ଅଙ୍ଗନବାଡ଼ି କେନ୍ଦ୍ରରେ ବୁଧବାର ମଶାରି ବଣ୍ଟନ ହେଉଥିଲା। ଏଥିପାଇଁ ଗ୍ରାମର ସବୁ ମା’ ମାନେ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଇଥିଲେ। ତେବେ ଉକ୍ତ ତିନି ଜଣ ପିଲା ସେମାନଙ୍କ ମା’ ଙ୍କ ସହ ଅଙ୍ଗନବାଡ଼ି କେନ୍ଦ୍ରକୁ ମଶାରି ପାଇଁ ଯାଇଥିଲେ। ମଶାରି ବଣ୍ଟନ ଚାଲିଥିବା ବେଳେ ଉକ୍ତ ତିନି ଜଣ ସ୍ଥାନୀୟ ବେଲକାଟି ଉଚ୍ଚପ୍ରାଥମିକ ବିଦ୍ୟାଳୟ ପରିସରକୁ ଯାଇ ଖେଳିଥିଲେ। ଏହି ସମୟରେ ହଠାତ୍ ତାଙ୍କ ଉପରେ ବିଦ୍ୟାଳୟ ପାଚେରି ମାଡ଼ି ବସିଥିଲା। ସ୍ଥାନୀୟ ଲୋକେ ତିନି ଜଣଙ୍କୁ ଉଦ୍ଧାର କରି ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ରିଷିକାକୁ ଡାକ୍ତର ମୃତ ଘୋଷାଣ କରିଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଛାତ୍ରଙ୍କୁ ଫୁଲବାଣୀ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।