Odiapua.com

ବାଲିଗାଡି ଅଟକ, ୩୦ହଜାର ଜରିମାନା ଆଦାୟ

ଭଦ୍ରକ, ୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଳାର ଭଣ୍ଡାରିପୋଖରୀ ତହସିଲ ଅନ୍ତର୍ଗତ ମଣିନାଥପୁର-ଭଣ୍ଡାରିପୋଖରୀ ପୁର୍ତ୍ତ ରାସ୍ତାର ଷୋଳମପୁର ଗ୍ରାମ ନିକଟରେ ଉପଯୁକ୍ତ ଚାଲାଣ ଫର୍ମ ନଥିବା ସନ୍ଦେହରେ ବାଲି ପରିବହନକାରୀ ହାଇୱାକୁ ଆଜି ଲୋକେ ଅଟକାଇଥିବା ଜଣାଯାଇଛି। ବାଲି ବୋଝେଇ ଓଡି ୨୨ ଏନ ୯୯୧୧ନଂ ହାଇୱା ମଣିନାଥପୁର ବୈତରଣୀ ନଦୀ ସୈରାତରୁ ପରିବହନ କରୁଥିବା ବେଳେ ପୂର୍ବ ସୂଚନା ପାଇ ସ୍ଥାନୀୟ ସରପଞ୍ଚ ପରମାନନ୍ଦ ନାୟକଙ୍କ ନେତୃତ୍ୱରେ ମୁକୁନ୍ଦ ଚରଣ ମଲ୍ଲିକ ଓ ଅନ୍ୟମାନେ ଦିନ ପ୍ରାୟ ୧୦ଟା ବେଳେ ଅଟକାଇ ଚାଲାଣ ଫର୍ମ ତନଖି କରିଥିଲେ। ସଂପୃକ୍ତ ଗାଡିରେ ଥିବା ଚାଲାଣ ଫର୍ମରେ ତାରିଖ ଓ ସମୟ ନଥିବା ଦେଖି ଲୋକଙ୍କ ସନ୍ଦେହ ହୋଇଥିଲା। ତହସିଲଦାର ସରୋଜକାନ୍ତ ନାୟକଙ୍କ ନିର୍ଦ୍ଦେଶ କ୍ରମେ ରାଜସ୍ୱ ନିରୀକ୍ଷକ ଦିବ୍ୟରଞ୍ଜନ ଧଳ ଓ ପୁଲିସ ହାଇୱାକୁ ଜବତ କରି ତହସିଲ ପରିସରକୁ ନେଇଥିଲେ। ତହସିଲ ପକ୍ଷରୁ ୩୦ ହଜାର ୬୫ ଟଙ୍କା ଜରିମାନା ଆଦାୟକ କରାଯାଇ ହାଇୱାକୁ ଛାଡି ଦିଆଯାଇଥିବା ତହସିଲ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ବାଲିଗାଡି ଅଟକ କାରଣ ସମ୍ପର୍କରେ ନିଲାମଧାରୀ ସଂସ୍ଥା ଏ.ଆର.ଏମ. ଗ୍ଲୋବାଲ ଇନଫ୍ରା ଲିମିଟେଡ ପକ୍ଷରୁ ଯଥାଶିଘ୍ର ଉତ୍ତର ରଖାଯିବ ବୋଲି କୁହାଯାଇଛି। ଅନ୍ୟପକ୍ଷରେ ଏହି ରାସ୍ତା ପାଶ୍ୱର୍ରେ ଥିବା ବିରୋଳି, ରହଣିଆ, ସରସଦା, ଭଣ୍ଡାରିପୋଖରୀ ରାଜସ୍ୱ ନିରୀକ୍ଷକମାନଙ୍କୁ ନିୟମିତ ଭାବେ ୱାଇ ଫର୍ମ ଯାଂଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ତହସିଲଦାର ଶ୍ରୀ ନାୟକ ପ୍ରକାଶ କରିଛନ୍ତି। ନିଲାମ ସୈରାତ ପାଶ୍ୱର୍ବର୍ତ୍ତୀ ବିନ୍ଧାଣ, ମଣିନାଥପୁର, ମୁଢ଼ାପଦା, ବିରୋଳି, ଦାଣ୍ଡକୂଳ ଆଦି ଅଂଚଳରେ ବ୍ୟାପକ ବାଲି ଚୋରାରେ ଉତ୍ତୋଳନ କରାଇ ପରିବହନ କରାଯିବା ମୁଣ୍ଡବିନ୍ଧାର କାରଣ ହୋଇଛି ବୋଲି ତହସିଲଦାର ଶ୍ରୀ ନାୟକ କହିଛନ୍ତି।