Odiapua.com

ବାର୍ଷିକ ୧୦ କୋଟିର ଧାନ ଟିକସ ଫାଙ୍କି

ଭଦ୍ରକ, ୧୩ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାରେ ବାର୍ଷିକ କୋଟି କୋଟି ଟଙ୍କାର ଧାନ ଟିକସ ଫାଙ୍କି ଲୁଟ୍ ହେଉଛି । ମୁକୁଳା ରାଜପଥ ସାଙ୍ଗକୁ ଟିକସ ଆଦାୟ ଦାୟିତ୍ୱରେ ଥିବା ଅସାଧୁ ଆରଏମ୍‌ସି କର୍ମଚାରୀଙ୍କ ଦୁର୍ନୀତିଖୋର କାର୍ଯ୍ୟକଳାପ ଯୋଗୁଁ ସରକାରଙ୍କୁ ବାର୍ଷିକ କୋଟି କୋଟି ଟଙ୍କାର କେବଳ ଧାନ ଯିକସ ହରାଇବାକୁ ପଡୁଛି । ରାଜ୍ୟରେ ଗେଟ୍ ବ୍ୟବସ୍ଥା କାଏମ ରହିଥିବା ବେଳେ ଭଦ୍ରକ ଜିଲାରେ ଆରଏମ୍‌ସି ଜରିଆରେ ବାର୍ଷିକ ୭/୮ କୋଟି ଟଙ୍କାର ଧାନ ଟିକସ ଆଦାୟ ହେଉଥିବାବେଳେ ଏବେ ତାହା ଦୁଇକୋଟି ଅତିକ୍ରମ କରିପାରୁନାହିଁ । ଯାହାକି ଟିକସ ସଂଗ୍ରହ ଦାୟିତ୍ୱରେ ଥିବା ଆରଏମ୍‌ସି ଗୁଡିକର ସାଧୁତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଗତବର୍ଷ ଭଦ୍ରକ ଜିଲାରେ ସରକାରୀ ଧାନ ସଂଗ୍ରହରୁ ଭଦ୍ରକ ଏବଂ ଚାନ୍ଦବାଲି ଆରଏମ୍‌ସିକୁ ଜିଲା ଯୋଗାଣ ନିଗମ ଜରିଆରେ ୭ କୋଟି ୬୨ ଲକ୍ଷ ୯୨ ହଜାର ଟଙ୍କାର ରାଜସ୍ୱ ମିଳିଥିବାବେଳେ ନିଜସ୍ୱ ଟିକସ ବ୍ୟବସ୍ଥାରେ ପ୍ରାୟ ଦେଢ କୋଟି ଟଙ୍କାର ରାଜସ୍ୱ ମିଳିଛି । ଯାହାକି ଅତ୍ୟନ୍ତ ନଗଣ୍ୟ ସାବ୍ୟସ୍ତ ହୋଇଛି । ଗତବର୍ଷ ଭଦ୍ରକ ଜିଲାରୁ ରାଜ୍ୟ ସରକାର ଜିଲା ଯୋଗାଣ ନିଗମ ଜରିଆରେ ପ୍ରାୟ ୨୧ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିଥିବାବେଳେ ଦଲାଲଙ୍କ ଜରିଆରେ ବାହାର ରାଜ୍ୟକୁ ପ୍ରାୟ ୩୦ ହଜାର ମେଟ୍ରିକ୍ ଟନ୍ ଧାନ ଚୋରା ଚାଲାଣ କରାଯାଇଛି । ଯେଉଁଥିବରୁ ସରକାର ମାର୍କେଟ୍ ଫି ବାବଦକୁ ଅତି କମ୍‌ରେ ୧୦ କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରିବା କଥା । ହେଲେ ସରକାରୀ ସୂଚନା ଅନୁଯାୟୀ ଭଦ୍ରକ ବ୍ଲକ୍ ସହିତ ଜିଲାର ୬ ଟି ପ୍ରମୁଖ ଧାନ ଉତ୍ପାଦନକାରୀ ବ୍ଲକ୍‌କୁ ନେଇ ଗଠିତ ଭଦ୍ରକ ଆରଏମ୍‌ସି ଏହି ବର୍ଷ ନିଜସ୍ୱ ଧାନ ଟିକସ ବାବଦକୁ ମାତ୍ର ୬୬ ଲକ୍ଷ ଏବଂ ଏକମାତ୍ର ଚାନ୍ଦବାଲି ବ୍ଲକ୍‌କୁ ନେଇ ଗଠିତ ଚାନ୍ଦବାଲି ଆରଏମ୍‌ସି ଜରିଆରେ ଏକ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ଧାନ ଟିକସ ଆଦାୟ କରାଯାଇଛି । ଯାହାକି ନିଜସ୍ୱ ଧାନ ଟିକସ ଆଦାୟ କ୍ଷେତ୍ରରେ ଆରଏମ୍‌ସି ଗୁଡିକର ଦୁର୍ବଳତାକୁ ପଦାରେ ପକାଇ ଦେଇଛି । ସବୁଠାରୁ ବଡକଥା ଡେଲା ଜିଲାର ଏକମାତ୍ର ଚାନ୍ଦବାଲି ବ୍ଲକ୍‌କୁ ନେଇ ଗଠିତ ଚାନ୍ଦବାଲି ଆର,ମ୍‌ସି ଗତବର୍ଷ ସରକାରୀ ଧାନ ସଂଗ୍ରହକୁ ବାଦ୍ ଦେଇ ସର୍ବାଧିକ ୧ କୋଟି ଟଙ୍କା କେବଳ ନିଜସ୍ୱ ଧାନ ଟିକସ ସଂଗ୍ରହ କରିଥିବାବେଳେ ଜିଲାରେ ଭଦ୍ରକ, ବାସୁଦେବପୁର, ବନ୍ତ, ଭଣ୍ଡାରିପୋଖରୀ ଏବଂ ତିହିଡି ଭଳି ପ୍ରମୁଖ ଧାନ ଉତ୍ପାଦନକାରୀ ବ୍ଲକ୍‌କୁ ନେଇ ଗଠିତ ଭଦ୍ରକ ଆରଏମ୍‌ସି ମାତ୍ର ୬୬ ଲକ୍ଷ ଟଙ୍କାର ନିଜସ୍ୱ ଧାନ ଟିକସ ଆଦାୟ କରିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି ।

ଏ ସଂପର୍କରେ ଭଦ୍ରକ ଆରଏମ୍‌ସି ସଂପାଦକଙ୍କୁ ପଚାରିବାରେ ସେ କହିଛନ୍ତି ଯେ ଆମ ଆରଏମ୍‌ସିକୁ ସଂଯୋଗ କରୁଥିବା ଅଧିକାଂଶ ରାସ୍ତା ମୁକୁଳା ପଡିଥିବା ଯୋଗୁଁ ଧାନର ଚୋରା ଚାଲାଣ ରୋକାଯାଇପାରୁନାହିଁ । କେବଳ ସେତିକି ନୁହେଁ ଗେଟ୍ ଉଚ୍ଛେଦ ପରେ ବିନା ପୁଲିସ୍‌ରେ ଜାତୀୟ ରାଜପଥରେ ଗାଡି ଅକଟାଇ ଟିକସ ଆଦାୟ କରିବା ଆମ ପକ୍ଷେ ସମ୍ଭବ ହୋଇପାରୁନଥିବାରୁ ଅନେକ ଗାଡି ଟିକସ ଫାଙ୍କି ପଳାଇ ଯାଉଛନ୍ତି । ତେବେ ଚଳିତବର୍ଷ ଯେମିତି ଏହାର ପୁନରାବୃତ୍ତି ନହେବ, ସେଥିନେଇ ଆମେ ପୁଲିସ୍ ପ୍ରଶାସନ ସହଯୋଗ ଲୋଡିବୁ ବୋଲି ସେ କହିଛନ୍ତି । ତେବେ ଏଥିନେଇ କର୍ତ୍ତୃପକ୍ଷ ଯାହା ସଫେଇ ଦିଅନ୍ତୁନା କାହିଁକି ଜିଲାର ଏକମାତ୍ର ବ୍ଲକ୍‌କୁ ନେି ଗଠିତ ଚାନ୍ଦବାଲି ଆରଏମ୍‌ସିର ବାର୍ଷିକ ଟିକସ ସଂଗ୍ରହ ତୁଳନାରେ ଜିଲାର ୬ଟି ପ୍ରମୁଖ ଧାନ ଉତ୍ପାଦନକାରୀ ବ୍ଲକ୍‌କୁ ନେଇ ଗଠିତ ଭଦ୍ରକ ଆରଏମ୍‌ସିର ନୈରାଶ୍ୟଜନକ ଟିକସ ସଂଗ୍ରହକୁ ନେଇ ସାଧାରଣରେ ବିସ୍ମୟ ପ୍ରକାଶଡ ପାଇଛି । ରାଜ୍ୟର ଅନ୍ୟତମ ପ୍ରମୁଖ ଧାନ ଉତ୍ପାଦନକାରୀ ଜିଲା ଭାବେ ଭଦ୍ରକ ଜିଲାରୁ ବାର୍ଷିକ ପ୍ରାୟ ୭୦/୮୦ ହଜାର ମେଟ୍ରିକ୍ ଟନ୍ ଧାନ ଉତ୍ପାଦନ ହେଉଥିବାବେଳେ ସରକାର ସେଥିରୁ ବାର୍ଷିକ ପ୍ରାୟ ୨୦/୨୨ ହଜାର ମେଟ୍ରିକ୍ ଟନ୍ ଧାନ ସଂଗ୍ରହ କରିଥାନ୍ତି । ଅବଶିଷ୍ଟ ଧାନରୁ ପ୍ରାୟ ୩୦ ରୁ ୩୫ ହଜାର ମେଟ୍ରିକ୍ ଟନ୍ ଧାନ ଦଲାଲଙ୍କ ଜରିଆରେ ବାହାର ରାଜ୍ୟକୁ ଚାଲାଣ କରାଯାଇଥାଢ଼ଏ । ଯେଉଁଥିରୁ ସରକାର ୨ ପ୍ରତିଶତ ମାର୍କେଟ୍ ଫି ହିସାବରେ ପ୍ରାୟ ୧୦ କୋଟି ଟଙ୍କା ରାଜସ୍ୱ ସଂଗ୍ରହ କରିବା କଥା । ତେବେ ଗେଟ୍ ବ୍ୟବସ୍ଥା ଉଚ୍ଛେଦ ଆଳରେ ଆରଏମ୍‌ସି ଗୁଡିକ ଏହି ରାଜସ୍ୱ ଆଦାୟ କରାଯାଇପାରୁନଥିବା କହି କୋଟି କୋଟି ଟଙ୍କା ହଡପ କରୁଥିବା ଅଭିଯୋଗ ହୋଇଛି । ଯାହାର ଉଚ୍ଚସ୍ତରୀୟ ତଦନ୍ତ ଦାବି କରାଯାଇଛି ।