Odiapua.com

ବାର୍ଷିକ ଯୁବକ୍ରୀଡ଼ା ମହୋତ୍ସବ ଉଦ୍‌ଘାଟିତ

ଭଦ୍ରକ, ୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପୁରୁଣାବଜାରସ୍ଥିତ ଦାମୋଦର ସଂସ୍କୃତ ଡିଗ୍ରୀ ମହାବିଦ୍ୟାଳୟ ପରିସରରେ ଓଡ଼ିଶା ରାଜ୍ୟର ଉଚ୍ଚ ଶିକ୍ଷାବିଭାଗ ଆନୁକୂଲ୍ୟରେ ଯୁବ କ୍ରୀଡ଼ା ମହୋତ୍ସବ ଉଦ୍‌ଘାଟିତ ହୋଇଯାଇଅଛି । ପ୍ରାରମ୍ଭରେ ପରିଚାଳନା ସମିତିର ନବ ନିଯୁକ୍ତ ସଭାପତି ବିଶିଷ୍ଟ ସଂସ୍କୃତ ବିଦ୍ୱାନ ପ୍ରଫେସର ଡଃ ସଦାନନ୍ଦ ଦୀକ୍ଷିତ ଓ ସଦସ୍ୟା ମୀନାକ୍ଷୀ ମହାନ୍ତି, ଡା. ଜରିମୁନ୍ ନେସା, ବସୁମିତ୍ରା ସାହୁ, ନବକିଶୋର ପାଣି ପ୍ରଭୃତି ସଦସ୍ୟମାନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ନିତ୍ୟାନନ୍ଦ ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଉକ୍ତ ସଭାରେ ମୁଖ୍ୟ ଅତିଥି ଡଃ ସଦାନନ୍ଦ ଦୀକ୍ଷିତ କହିଥିଲେ ଯେ ଜୀବନ ବିକାଶରେ କ୍ରୀଡ଼ା ହେଉଛି ଅନ୍ୟତମ ପୁରୁଷାର୍ଥ । ସଂସ୍କୃତଭାଷା ବଳରେ ହିଁ ଭାରତ ବିଶ୍ୱ ଗୁରୁ ହେବାରେ ସମର୍ଥ ହେବ । ମୁଖ୍ୟ ଅତିଥିଙ୍କ ଦ୍ୱାରା ଯେଉଁ ସଂସ୍କୃତ ସମାଚାର ପତ୍ର ଉନ୍ମୋଚିତ ହୋଇଥିଲା । ମୁଖ୍ୟବକ୍ତା ମୀନାକ୍ଷୀ ପଟ୍ଟନାୟକ ଛାତ୍ରଛାତ୍ରୀମାନଙ୍କୁ ନୀତିନିଷ୍ଠ ଜୀବନଯାପନ ନିମିତ୍ତ ଆହ୍ୱାନ ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଡଃ ପ୍ରମୋଦ କୁମାର ନାୟକ କ୍ରୀଡ଼ାହିଁ ଶରୀର ଓ ମନର ଆଧାର ବୋଲି ମତବ୍ୟକ୍ତ କରିଥିଲେ । ଆଜିଠାରୁ ଉକ୍ତ କ୍ରୀଡ଼ା ମହୋତ୍ସବର ଶୁଭାରମ୍ଭ ହେଉଥିବାରୁ ଅନ୍ୟ ବକ୍ତାମାନେ ଉଚ୍ଚଶିକ୍ଷା ବିଭାଗକୁ ସାଧୁବାଦ ଅର୍ପଣ କରିଥିଲେ । କ୍ରୀଡ଼ା ସଂଯୋଜକ ଅଧ୍ୟାପକ ଶୁକଦେବ ପଣ୍ଡା କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ । ଉକ୍ତ ସଭାରେ ଶ୍ରୀମତୀ ଗାୟତ୍ରୀ ମହାନ୍ତି, ମଞ୍ଜୁଲତା ମହାପାତ୍ର, ଗୌରାଙ୍ଗ ଦାସ ଓ ରଘୁନାଥ ନାୟକ ପ୍ରଭୃତି ଅଂଶ ଗ୍ରହଣ କରିଥିଲେ । ପରିଶେଷରେ ପ୍ରଧାନ ପଣ୍ଡିତ ଅକ୍ଷୟ ପାଣିଗ୍ରାହୀଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ ପରେ ସଭାସାଙ୍ଗ ହୋଇଥିଲା ।