Odiapua.com

ବାର୍ଦ୍ଧକ୍ୟ, ବିଧବା ଓ ବିକଳାଙ୍ଗ ଭତ୍ତା ବୃଦ୍ଧି କରିବାକୁ ସାଂସଦଙ୍କ ଦାବି

ଭଦ୍ରକ, ୧୬ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତକାଲି ସଂସଦର ଶୀତକାଳୀନ ଅଧିବେଶନ ଶୂନ୍ୟକାଳରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ଭଦ୍ରକର ସାଂସଦ ମଂଜୁଲତା ମଣ୍ଡଳ ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ମଂଜୁର ହେଉଥିବା ଇନ୍ଦିରାଗାନ୍ଧି ବାର୍ଦ୍ଧକ୍ୟ, ଦିବ୍ୟାଙ୍ଗ ଓ ବିଧବା ଭତ୍ତାକୁ ୩ ଗୁଣ ବୃଦ୍ଧି ପାଇଁ ସଂସଦରେ ଦାବି କରିଛନ୍ତି। ଏ ବାବଦରେ ସଂସଦର ମାନ୍ୟବର ବାଚସ୍ପତିଙ୍କ ଜରିଆରେ କେନ୍ଦ୍ର ସରକାରଙ୍କ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଶ୍ରୀମତୀ ମଣ୍ଡଳ କହିଥିଲେ ଯେ ଇନ୍ଦିରା ଗାନ୍ଧି ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ୬୦-୭୯ ବୟସର ବାର୍ଦ୍ଧକ୍ୟ ଭତ୍ତା ବାବଦରେ କେନ୍ଦ୍ରୀୟ ଅଂଶ ୨୦୦ ଟଙ୍କା ଓ ରାଜ୍ୟ ଅଂଶ ୩୦୦ ଟଙ୍କା ମିଶି ମୋଟ ୫୦୦ ଟଙ୍କା, ୮୦ ବର୍ଷରୁ ଉର୍ଦ୍ଧ୍ୱ ବାର୍ଦ୍ଧକ୍ୟ ଭତ୍ତା ବାବଦରେ କେନ୍ଦ୍ରୀୟ ଅଂଶ ୫୦୦ ଟଙ୍କା ଓ ରାଜ୍ୟ ଅଂଶ ୨୦୦ ଟଙ୍କା ମିଶି ମୋଟ ୭୦୦ ଟଙ୍କା। ସେହିପରି ଇନ୍ଦିରା ଗାନ୍ଧି ଜାତୀୟ ସାମାଜିକ ସୁରକ୍ଷା ଯୋଜନାରେ ବିଧବା ଭତ୍ତା ବାବଦରେ କେନ୍ଦ୍ରୀୟ ଅଂଶ ୩୦୦ ଓ ରାଜ୍ୟ ଅଂଶ ୨୦୦ ମିଶି ମୋଟ ୫୦୦ ଟଙ୍କା ଓ ଦିବ୍ୟାଙ୍ଗ ଭତ୍ତା ବାବଦକୁ କେନ୍ଦ୍ରୀୟ ଅଂଶ ୩୦୦ ଟଙ୍କା ଓ ରାଜ୍ୟ ଅଂଶ ୪୦୦ ମିଶି ମୋଟ ୭୦୦ ଟଙ୍କା ପ୍ରଦାନର ବ୍ୟବସ୍ଥା ରହିଛି। ସେହିପରି ପରିବାରର କୌଣସି ବ୍ୟକ୍ତି ଆକସ୍ମିକ ମୃତ୍ୟୁ ଘଟିଲେ ଏକକାଳୀନ ୨୦ ହଜାର ଟଙ୍କା ପ୍ରଦାନର ବ୍ୟବସ୍ଥା ରହିଛି। ତେବେ ଦରଦାମ ବୃଦ୍ଧି ହେତୁ ଏହି ଭତ୍ତା ଅର୍ଥରେ ମାସେ ପାଇଁ ନିଜର ତେଲଲୁଣ ସଂସାର ଚଳାଇବା କଷ୍ଟସାଧ୍ୟ ବୋଲି ସାଂସଦ ଶ୍ରୀମତୀ ମଣ୍ଡଳ ଯୁକ୍ତି ବାଢିଥିଲେ। ଏଥିପାଇଁ କେନ୍ଦ୍ରୀୟ ଅଂଶ ୩ ଗୁଣ ବୃଦ୍ଧି ପାଇଁ ଶ୍ରୀମତୀ ମଣ୍ଡଳ ଦାବି ଉପସ୍ଥାପନ କରିଥିଲେ। ଏହାଦ୍ୱାରା ଅନେକ ଗରିବ ହିତାଧିକାରୀ ଉପକୃତ ହେବା ସହିତ ପରିଣତ ବୟସରେ ସୁଖରେ କାଳାତିପାତ କରିବେ ବୋଲି ସେ କହିଥିଲେ।