Odiapua.com

ବାରିପଦା ପୋଲିସକୁ ମିଳିଛି ବଡ଼ ସଫଳତା, ଦୁଇ ସୁନା ଲୁଟେରାଙ୍କ ସହ କିଣୁଥିବା ଦୋକାନୀ ଗିରଫ, ୮୪୩ଗ୍ରାମ ସୁନା ଜବତ୍

ମୟୁରଭଞ୍ଜ,ତା ୧୫ ନଭେମ୍ବର (ଓଡ଼ିଆ ପୁଅ/ପ୍ରେମାନନ୍ଦ ଦାସ/ସୀତାରାମ ଦୀକ୍ଷିତ) ମୟୁରଭଞ୍ଜ ଜିଲ୍ଲା ବାରିପଦା ପୋଲିସକୁ ମିଳିଛି ବଡ଼ ସଫଳତା । ପୋଲିସ କବ୍ଜାରେ ଦୁଇ ଚେନ ଲୁଟେରା ସହ ଚୋରା ସୁନା କିଣୁଥିବା ଜଣେ ଗହଣା ଦୋକାନୀ । ଉଦଳା ଥାନା ଅଞ୍ଚଳରେ ଗତ ୫ତାରିଖରେ ହେଇଥିବା ଚେନ୍ ଲୁଟ୍ ଘଟଣାରେ ସମ୍ପୃକ୍ତ ଦୁଇ ଚେନ୍ ଲୁଟେରା ସହ ଲୁଟ ହୋଇଥିବା ସୁନା କିଣୁଥିବା ଜଣେ ଦୋକାନୀକୁ ପୋଲିସ ଗିରଫ କରିଛି । ଏନେଇ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ମୟୁରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଚଳିତ ମାସ ୫ ତାରିଖ ଉଦଳା ଅଞ୍ଚଳର ଶକୁନ୍ତଳା ନାମ୍ନୀ ନାମକ ମହିଳାଙ୍କ ବେକରୁ ଦୁଇଜଣ ଲୁଟେରା ଏକ ପଲସର ବାଇକ ଯୋଗେ ଆସି ସୁନାଚେନ ଲୁଟିନେଇ ପଳାଇଥିଲେ । ଏବାବଦକୁ ନେଇ ଉଦଳା ଥାନାରେ ଏକ ମାମଲା ରୁଜୁ ହୋଇ ତଦନ୍ତଜାରୀ ରହିଥିଲା ବେଳେ ଘଟଣାରେ ସଂମ୍ପୃକ୍ତ ଦୁଇଜଣ ଲୁଟେରାକୁ ପୋଲିସ ଧରିବାରେ ସକ୍ଷମ ହୋଇଛି । ଗିରଫ ଲୁଟେରା ଦୁଇଜଣ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅଞ୍ଚଳର ରବିନ୍ଦ୍ର ନାୟକ ଓ ଦୀପକ ଜେନା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ଏଥିସହ ସେମାନଙ୍କ ଠାରୁ ଲୁଟ ଚୋରା ସୁନାକୁ କିଣୁଥିବା ବସ୍ତା ଅଞ୍ଚଳର ଦୀପକ ଜୁଏଲାରୀ ମାଲିକ ଦୀପକ ରଣାକୁ ପୋଲିସ ଗିରଫ କରିଛି । ସେହି ଦୋକାନରୁ ମୋଟ ୮୪୩ ଗ୍ରାମ ସୁନା ଜବତ ହୋଇଥିବା ସହ ଏକ ପଲସର ବାଇକ ଜବତ ହୋଇଛି । ଉକ୍ତ ଲୁଟେରାଙ୍କ ନାମରେ ପୂର୍ବରୁ ଉଦଳା, ବେତନଟୀ, ବାରିପଦା ଏବଂ ସୋର ଥାନାରେ ୧୫ଟି ମାମଲା ରହିଥିବା ଜଣାପଡ଼ିଛି ।