ଭଦ୍ରକ, ୨୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ୧୬ନଂ ଜାତୀୟ ରାଜପଥର ଭଣ୍ଡାରିପୋଖରୀ ଠାରୁ ଅନତି ଦୂରରେ ଥିବା ପାଳଦାବାଙ୍କ ନିକଟ ଯାଜପୁରକୁ ସଂଯୋଗ କରୁଥିବା ପୂର୍ତ୍ତ ବିଭାଗ ରାସ୍ତା ଏବେ ବିଭିନ୍ନ ସ୍ଥାନରେ ବିପର୍ଯ୍ୟସ୍ତ ହୋଇପଡିଛି । କେଉଁଠି କଂକ୍ରିଟ୍ ଫାଟିଗଲାଣି ତ ପୁଣି କେଉଁଠି ରାସ୍ତା ଦବିଯାଇ ପଥଚାରୀଙ୍କ ନିମନ୍ତେ ଘୋର ବିପଦ ସୃଷ୍ଟି କରୁଛି । ବିଶେଷକରି ପାଳଦାବାଙ୍କ ଠାରେ ରାସ୍ତାର ଆରମ୍ଭ ସ୍ଥାନ ୧୦ ମିଟର ଏବେ ମରଣଯନ୍ତା ପାଲଟିଛି । ଜାତୀୟ ରାଜପଥ ପ୍ରାଧିକରଣ ସଂସ୍ଥା ରାଜପଥ ନିର୍ମାଣ କରୁଥିବାବେଳେ ଏହି ସ୍ୱଳ୍ପ ଦୂରତା ରାସ୍ତାର ସ୍ଥାନକୁ ଛାଡିଦେଇଛି । ଏହା ପୂର୍ତ୍ତ ବିଭାଗ ଅଂଶ ବୋଲି ନିର୍ମାଣକାରୀ ସଂସ୍ଥା ଯୁକ୍ତି ଦର୍ଶାଇ କାମ ଛାଡିଯାଇଥିବାବେଳେ ପାଖାପାଖି ବର୍ଷେ ହେବ ଏହାର ମରାମତି ହୋଇପାରୁନାହିଁ । ଫଳରେ ଏହି ରାସ୍ତା ଦେଇ ଯାଉଥିବା ଯାନବାହନ ଅନେକ ସମୟରେ ଦୁର୍ଘଟଣାର ସମ୍ମୁଖୀନ ହେଉଥିବାର ଦେଖାଯାଉଛି । ରାତି ପାହିଲେ ଉଭୟ ଯାଜପୁର, ଭଦ୍ରକ ଅନେକ ଯାନବାହନ ଯାତାୟତ କରୁଥିବାବେଳେ ଉଚ୍ଚ କ୍ଷମତା ସଂପନ୍ନ ବାଲି ଟ୍ରକ୍ ମଧ୍ୟ ଏହା ଉପରେ ଯିବାଆସିବା କରିଥାଏ । ସଂପ୍ରତି ବର୍ଷା ହେବା କାରଣରୁ ପାଳଦା ବାଙ୍କରେ ପାଣି ଜମି ଛୋଟବଡ ଗର୍ତ୍ତମାନ ସୃଷ୍ଟି ହୋଇଛି । ଫଳରେ ସାଇକେଲ୍, ମୋଟର ସାଇକେଲ୍ ତ ଦୂରର କଥା କାର୍ ଅଟୋ ଯିବା ମଧ୍ୟ କଷ୍ଟକର ହୋଇପଡୁଛି । ଏହାସତ୍ୱେ ଅନ୍ୟାନ୍ୟ ଭାରିଯାନ ଓ ବାଲିଟ୍ରକ ଅନବରତ ଚାଲୁଥିବାରୁ ୧୦ ମିଟର ରାସ୍ତାଟି ଏବେ ସାଧାରଣ ଲୋକଙ୍କ ପାଇଁ ଅତି ବିପଦ ସଂକୁଳ ପାଲଟି ଯାଇଛି । ଏହାର ମରାମତି ପାଇଁ ପୂର୍ବରୁ ଲୋକେ ପ୍ରଶାସନ ନିକଟରେ ବାରମ୍ବାର ଦାବି ଜଣାଇଥିଲେ ସୁଦ୍ଧା କେହି ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି । ଏଣୁ ସ୍ଥାନୀୟ ଜନସାଧାରଣ ଅସନ୍ତୋଷ ବ୍ୟକ୍ତ କରି ଚଳପ୍ରଚଳ କରୁଥିବା ବାଲି ଟ୍ରକ୍ ଗୁଡିକୁ ଅଟକାଇ ରଖୁଛନ୍ତି । ରାସ୍ତା ମରାମତି କର, ନଚେତ୍ ଭାରିଯାନ ଚଳପ୍ରଚଳ ହୋଇପାରିବ ନାହିଁ ବୋଲି ଲୋକେ ରୋକଠୋକ୍ ଶୁଣାଇ ଦେଇଛନ୍ତି । ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହୁଥିବାରୁ ତୁରନ୍ତ ଏହି ରାସ୍ତା ମରାମତି ନହେଲେ ଆଗାମୀ ଦିନରେ ଏଥିନେଇ ଏକ ଜନ ଆନ୍ଦୋଳନ କରାଯିବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଛନ୍ତି ।