Odiapua.com

ବାବା ଆଖଣ୍ଡଳମଣିଙ୍କ ଶିବ ବିବାହ ପାଇଁ ଉଠିଲା ଲଗ୍ନଥାଳ, ଜୁନ୍ ୧୫ ରେ ଦେବଦମ୍ପତ୍ତିଙ୍କ ବିବାହ ଉତ୍ସବ, ଭର୍ଚୁଆଲ ମାଧ୍ୟମରେ ସମୀକ୍ଷା କଲେ ଜିଲାପାଳ

ଭଦ୍ରକ, ୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆସନ୍ତା ଜୁନ୍ ୧୫ ରେ ରାଜ୍ୟର ପ୍ରସିଦ୍ଧ ଶୈବପୀଠ ଆରଡିସ୍ଥିତ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ଦେବଦମ୍ପତ୍ତିଙ୍କ ବିବାହ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ଚନ୍ଦନପୂର୍ଣ୍ଣିମା ଦିନ ବରପିତା ଓ କନ୍ୟାପିତା ଚୟନ ପ୍ରକ୍ରିୟା ସଂପନ୍ନ ହୋଇଥିଲା । ଚଳିତବର୍ଷ ବରପିତା ଭାବେ ସେବାୟତ ବାଙ୍କବିହାରୀ ପାଢୀଙ୍କ ପୁତ୍ର ସୌଭାଗ୍ୟ ଲାଭ କରିଥିବାବେଳେ କନ୍ୟା ପିତା ଭାବେ ସେବାୟତ ଚନ୍ଦ୍ରମଣି ପାଢୀଙ୍କ ଜଜମାନ ବ୍ରହ୍ମପୁର ନିବାସୀ ଚନ୍ଦ୍ରଶେଖର ଦାଶ ସୌଭାଗ୍ୟ ପ୍ରାପ୍ତ ହୋଇଛନ୍ତି । ଆଜି ବିଧିବିଧାନ ଅନୁଯାୟୀ ଲଗ୍ନଥାଳ ଉଠା କାର୍ଯ୍ୟ ସଂପନ୍ନ ହୋଇଛି । ଏଥିପାଇଁ ଆଜି ଦିନ ତମାମ୍ ମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି କରାଯିବା ସହ ମଧ୍ୟାହ୍ନରେ ବରପିତାଙ୍କ ଘରୁ ଏକ ସୁସଜ୍ଜିତ ଲଗ୍ନଥାଳି କନ୍ୟାଘର ଅଭିମୁଖେ ବାହାରିଥିଲା । କନ୍ୟାଘର ପକ୍ଷରୁ ମନ୍ଦିର ପରିସରରେ ସୁସଜ୍ଜିତ ବେଦୀରେ ବ୍ରାହ୍ମଣମାନଙ୍କ ଦ୍ୱାରା ଲୋକାଚାରରେ ଲଗ୍ନକାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଜ୍ୟୋତିଷଙ୍କ ଦ୍ୱାରା ତାଳପତ୍ର ଓ ଲେଖନୀରେ ଲଗ୍ନଚିଟାଉ ଲେଖାଯିବା ପରେ ଉଭୟ ବର ଓ କନ୍ୟା କର୍ତ୍ତାଙ୍କ ଉପସ୍ଥିତିରେ ତାହା ପଠନ କରାଯାଇଥିଲା । ପରେ କନ୍ୟାପିତା ଚନ୍ଦ୍ରମଣି ପାଢୀ ଲଗ୍ନଥାଳକୁ ବରପିତାଙ୍କ ହସ୍ତକୁ ସମର୍ପିତ କରିଥିଲେ । ଏପରିକି ବିଧି ବିଧାନ ଅନୁଯାୟୀ କନ୍ୟାପିତା ବରପକ୍ଷଙ୍କୁ ଯୌତୁକ ମୁତାବକ ୧ ହଜାର ୧ ଟଙ୍କା ସହ ୪ ହଳ ନାଗନାଗୁଣୀ, ୨ ହଳ ଷଣ୍ଢ ଦେବାପାଇଁ ସର୍ବସମ୍ମତି କ୍ରମେ କହିଥିଲେ । ଚଳିତବର୍ଷ ମହାମାରୀ କରୋନାର ସଂକ୍ରମଣକୁ ଦୃଷ୍ଟିରେ ରଖି କୋଭିଡ୍ ନିୟମ ମୂଳେ ସମସ୍ତ ମାଙ୍ଗଳିକ ନୀତି ସଂପନ୍ନ ନିମନ୍ତେ ଜିଲାପାଳ ଡ. ଜ୍ଞାନ ଦାସ ପରାମର୍ଶ ଦେଇଛନ୍ତି । ଏଥିସହ ମନ୍ଦିରର ବରିଷ୍ଠ ସେବାୟତ, ମନ୍ଦିର ପରିଚାଳନା କମିଟିର ଟ୍ରଷ୍ଟି ତଥା ଭଦ୍ରକ ଉପଜିଲାପାଳ ପୀତାମ୍ବର ସାମଲ ମ୍ୟାନେଜରଙ୍କ ସହ ଭର୍ଚୁଆଲ ମାଧ୍ୟମରେ ଜିଲାପାଳ ଡ. ଜ୍ଞାନ ଦାସ ଆଲୋଚନା କରିବା ସହ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ ।