Odiapua.com

ବାପ କରିଥିବା ଋଣକୁ ପରିଶୋଧ କରିବା ନେଇ ଦୁଇ ପୁତ୍ରଙ୍କ ପରିବାର ମଧ୍ୟରେ ଗଣ୍ଡଗୋଳ, ହଣାକଟା ଲାଗି ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି, ପୁଲିସ୍‌ର ତଦନ୍ତ ଆରମ୍ଭ

ଭଦ୍ରକ, ୧୯ା୩ (ଓଡିଆ ପୁଅ / ସ୍ନିଗ୍ଧା ରାୟ) – ପିଲାମାନଙ୍କୁ ଦୁଇଓଳି ଭଲ ଖାଇବାକୁ ଦେବା ସହ ପିନ୍ଧିବାକୁ କନା ଓ ମଣିଷ ପରି ମଣିଷଟିଏ ଗଢି ତୋଳିବା ପାଇଁ ବାପା ବହୁ କଷ୍ଟ ସ୍ୱୀକାର କରେ । ଏହିଭଳି ଏକ ପିତା ନିଜ ଅଭାବବୋଧ ମଧ୍ୟରେ ପିଲାମାନଙ୍କୁ ମଣିଷ କରିବା ପାଇଁ କରିଥିବା ବ୍ୟାଙ୍କ ଋଣ ପରିଶୋଧ କରିବା ନିମନ୍ତେ ଦୁଇପୁତ୍ରଙ୍କ ପରିବାର ହଣାକଟା ଲାଗି ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି । ପିତା କରିଥିବା ଋଣକୁ କେଉଁ ପୁତ୍ର ସୁଝିବ, ସେଥିନେଇ ଘଟିଛି ଏଭଳି ଘଟଣା । ସୂଚନା ଅନୁସାରେ ଭଦ୍ରକ ଜିଲା ଧାମନଗର ଥାନା ପାହିମହୁରା ଗ୍ରାମର ଦିବାକର ଜେନା ଓ ରମାକାନ୍ତ ଜେନାଙ୍କ ପରିବାର ମଧ୍ୟରେ ବାପାଙ୍କ ବ୍ୟାଙ୍କ ଋଣ ଟଙ୍କା ପରିଶୋଧ କରିବା ନେଇ ବିଭିନ୍ନ ସମୟରେ ପାଟିତୁଣ୍ଡ ହୁଏ । କିନ୍ତୁ ଗତକାଲି ଏହା ଉଗ୍ରରୂପ ନେଇଥିଲା । ଅଭିଯୋଗ ଅନୁଯାୟୀ ରମାକାନ୍ତ ଜେନା ଓ ତାଙ୍କ ପୁଅମାନେ ହଠାତ୍ ଏହି ବ୍ୟାଙ୍କ ଟଙ୍କା ପରିଶୋଧ ଜନିତ ବଚସାକୁ ନେଇ ହିଂସ୍ର ହୋଇପଡିଥିଲେ । ଫଳରେ ଦିବାକରଙ୍କ ଘରେ ପଶି ତାଙ୍କ ପରିବାର ଉପରେ ଭୁଜାଲିରେ ଆକ୍ରମଣ କଲେ । ଯେଉଁଥିରେ ଦିବାକର ତାଙ୍କ ପତ୍ନୀ ଓ ପୁଅଝିଅ ଗୁରୁତର ଆହତ ହୋଇଥିଲେ । ତେବେ ଗ୍ରାମବାସୀମାନେ ତାଙ୍କୁ ତୁରନ୍ତ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣି ଭର୍ତ୍ତି କରିଥିଲେ । ସେମାନଙ୍କ ମୁଣ୍ଡ, ହାତ ଓ ପିଠିରେ ଗଭୀର ଆଘାତ ଲାଗିଥିବାବେଳେ ବିଳମ୍ବରେ ହେଲେ ବି ଧାମନଗର ପୁଲିସ୍ ଘଟଣାସ୍ଥଳରେ ପହଞ୍ôଚ ତଦନ୍ତ ଆରମ୍ଭ କରିଛି ।