Odiapua.com

ବାପା ସଭିଙ୍କ ପାଇଁ ଭରସାର ଗୋଟେ ନିବୁଜ ଲଫାପା, ସାଳନ୍ଦୀ ସାହିତ୍ୟ ସଂଗମର ଆଳାପନ

ଭଦ୍ରକ, ୨୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାପା କେବଳ ଘରର କାନ୍ଥ କି ଛାତ ନୁହନ୍ତି; ସେ ଘରର ମଝି ଖୁଂଟ । ବାପା ସର୍ବଦା ଏକ ଛୟାପ୍ରଦ ଦ୍ରୁମ ହେଲେ ବି ରହିଥାନ୍ତି ବିଲ ମଝିର ଏକୁଟିଆ ତାଳ ଗଛଟିଏ ପରି । ମାଆକୁ ନେଇ ସାରା ଦୁନିଆ ମୁଖରିତ ଥିଲାବେଳେ ବାପା ଆମ ପାଇଁ ଆଶା, ଭାଷା ଓ ଭରସାର ଏକ ନିବୁଜ ଲଫାପା ହୋଇ ରହିଥା’ନ୍ତି । ‘ବିଶ୍ୱ ପିତୃଦିବସ’ ଅବସରରେ ଆରଡ଼ି ଛକ, ଭଦ୍ରକ ସ୍ଥିତ ପ୍ରେମ ନଗର ସଭାକକ୍ଷରେ ଟାଇମପାଶ୍ ଆୟୋଜିତ ‘ସାଳନ୍ଦୀ ସାହିତ୍ୟ ସଂଗମ’ର ବାପା ଶୀର୍ଷକ ଆଳାପନ କାର୍ଯ୍ୟକ୍ରମରେ ଏହି ମତ ପ୍ରକାଶ ପାଇଛି । ସାହିତ୍ୟ ସଂଗମର ସଭାପତି ପବିତ୍ର ପାଣିଗ୍ରାହୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ସଭାର ସଂଚାଳନ କରିଥିଲେ ସାଳନ୍ଦୀ ସାହିତ୍ୟ ସଂଗମର ନିର୍ଦ୍ଦେଶକ ସରୋଜ ବଳ ଓ ସ୍ୱାଗତ ସମ୍ଭାଷଣ ରଖିଥିଲେ ପ୍ରେମ ପୃଥିବୀର ସଂପାଦକ କୈଳାଶ ଚନ୍ଦ୍ର ପଣ୍ଡା । ମୁଖ୍ୟ ଅତିଥି ପ୍ରଫେସର ଶୈଳେନ୍ଦ୍ର ମହାପାତ୍ର, ବରେଣ୍ୟ ଅତିଥି ଡ. ବାସୁଦେବ ବାରିକ ଓ ତ୍ୟାଗଭୂମିର ସଭାପତି ଅଜୟ ନାୟକ ବାପାଙ୍କୁ ନେଇ ଭାବପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ‘ବାପା: କିଛି କଥା, ବ୍ୟଥା ଓ କବିତା’ କ୍ରମରେ କିଶୋର ପାଣିଗ୍ରାହୀ, ମମତା ସାହୁ, ସାବିତ୍ରୀ କବି, ଅଭିଜିତ୍ ନାୟକ, ଅଶୋକ କୁମାର ଜେନା, ପୂର୍ଣ୍ଣଚନ୍ଦ୍ର ବହଳୀ, ପ୍ରମୋଦ ରାୟ, ଋତୁରାଜ ଅକ୍ଷୟ, ଅରୂପାନନ୍ଦ ନାୟକ, ରମେଶ ଚନ୍ଦ୍ର ସ୍ୱାଇଁ, ଅଶୋକ କୁମାର କବି, ବିସ୍ମୟ ବିହାରୀ ସାହୁ ଆଦି ବାପାଙ୍କୁ ନେଇ କଥା ଓ କବିତା ଉପସ୍ଥାପନ କରିଥିଲେ। ଆବହ ସଂଗୀତର ମୃଦୁ ମୂର୍ଛନା ଭିତରେ କବିତା ପାଠ ଏକ ଭାବପୂର୍ଣ୍ଣ ପରିବେଶ ସୃଷ୍ଟି କରିଥିଲା। ସଭା ଶେଷରେ ଡ. ହରିପ୍ରିୟ ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ।