Odiapua.com

ବାପଘରେ ସର୍ପ ଦଂଶନ, ମହିଳା ମୃତ

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ମଣିନାଥପୁର ଗ୍ରାମ ସୁରେନ୍ଦ୍ର ସାମଲଙ୍କ ପତ୍ନୀ ଅନ୍ନପୂର୍ଣ୍ଣା ସାମଲ(୪୯) ରବିବାର ସର୍ପ ଦଂଶନରେ ମୃତ୍ୟୁବରଣ କରିଥିବା ଜଣାଯାଇଛି । ପିଲାଙ୍କ ଖରାଛୁଟି ଥିବାରୁ ଅନ୍ନପୂର୍ଣ୍ଣା ନପଙ୍ଗ ପଂଚାୟତ କୋରାଗତିଆ ଗ୍ରାମ ବାପଘରକୁ ଗତ ଶନିବାର ଯାଇଥିଲେ । ରବିବାର ସକାଳେ ଦାନ୍ତକାଠି ପାଣିବା ପାଇଁ ବାଢିକୁ ଯାଇଥବା ବେଳେ ବିଷଧର ସର୍ପ ଦଂଶନ କରିଥିଲା । ଅନ୍ନପୂର୍ଣ୍ଣା ଚିତ୍କାର କରିବାରୁ ବାପଘର ଲୋକେ ତାଙ୍କୁ ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ଚିକିତ୍ସା ପାଇଁ ନେଉଥିବା ବେଳେ ବାଟରେ ପ୍ରାଣବାୟୁ ଉଡିଯାଇଥିଲା । ଡାକ୍ତରଖାନାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରି ଶବ ବ୍ୟବଚ୍ଛେଦ କରାଯାଇଥିଲା । ଶବକୁ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ଦଣ୍ଡାଶମେଧ ଘାଟରେ ଶୋକାକୂଳ ପରିବେଶରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏକମାତ୍ର ପୁତ୍ର ପ୍ରଣଗ ମୁଖାଗ୍ନି ଦେଇଥିଲା । ମା’ର ଅକାଳ ମୃତ୍ୟୁ ପରେ ଛୋଟ ୩ ଶିଶୁ ବେସାହାରା ହୋଇ ପଡିଥିବାରୁ ଗ୍ରାମବାସୀ ସ୍ତବ୍ଧ ହୋଇଛି । ପ୍ରଶାସନ ପକ୍ଷରୁ ଆବଶ୍ୟକୀୟ ସହାୟତ ଯୋଗାଇ ଦେବା ପାଇଁ ଗ୍ରାମବାସୀମାନେ ଦାବି କରିଛନ୍ତି ।