Odiapua.com

ବାତ୍ୟା ‘ୟସ୍‌’ ପ୍ରଭାବରେ ଆଜି ମଧ୍ୟାହ୍ନରୁ ଭଦ୍ରକ ଜିଲାରେ ଲାଗିରହିଛି ବର୍ଷା ଓ ପବନ, ଚାଲିଛି ପ୍ରଶାସନିକ ବ୍ୟାପକ ପ୍ରସ୍ତୁତି

ଭଦ୍ରକ, ୨୪ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବଙ୍ଗୋପସାଗରରେ ସୃଷ୍ଟି ହେଇଥିବା ଘୃର୍ଣ୍ଣିବଳୟ ଏବେ ଅବପାତର ରୂପ ନେଇ ବାତ୍ୟାରେ ପରିଣତ ହୋଇଛି । ତେଣୁ ଆଜି ସକାଳୁ ଧାମରା, ଚାନ୍ଦବାଲି ଓ ଆରଡିର ବିଭିନ୍ନ ଅଂଚଳରେ ପବନ ସାଙ୍ଗକୁ ବର୍ଷା ଲାଗି ରହିଥିବାବେଳେ ଭଦ୍ରକରେ ଅପରାହ୍ନରୁ ଆରମ୍ଭ ହୋଇଛି । ପାଣିପାଗର ପୂର୍ବାନୁମାନ ଅନୁଯାୟୀ ଆସନ୍ତା ୨୬ ରେ ଏହା ପାରାଦ୍ୱୀପ ଓ ସାଗର ଦ୍ୱୀପ ମଧ୍ୟରେ ସ୍ଥଳଭାଗ ଛୁଇଁବ ବୋଲି ଅନୁମାନ କରାଯାଉଛି । ଗତ ୫ ଦିନ ହେଲା ଏସ୍‌ଆରସି ଘନ ଘନ ବୈଠକ କରିବା ସହ ଭଦ୍ରକ ସମେତ ଉପକୂଳବର୍ତ୍ତୀ ଜିଲାପାଳଙ୍କ ସହ ଆଲୋଚନା ଜାରି ରଖିଥିବାବେଳେ ମୁଖ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ସ୍ଥିତିର ସମୀକ୍ଷା କରିଛନ୍ତି । ପ୍ରଭାବିତ ହେବାକୁ ଥିବା ଭଦ୍ରକ ଜିଲାର ସମୁଦ୍ର ଉପକୂଳବର୍ତ୍ତୀ ଅଂଚଳର ସ୍ଥିତି ପରଖିବା ସହ ସଜାଗ ରହିବାକୁ ଚାନ୍ଦବାଲି ବିଡିଓ ଓ ତହସିଲଦାରଙ୍କ ସହ ଜିଲାପାଳ ଡ. ଜ୍ଞାନ ଦାସ ଆଲୋଚନା ଜାରି ରଖିଛନ୍ତି । ଅନ୍ୟପଟେ ବାତ୍ୟା ୟସ୍ ପ୍ରଭାବରେ ଏବେ ଜୋରରେ ପବନ ବହିବା ସହିତ ତୁହାକୁ ତୁହା ବର୍ଷା ଲାଗିରହିଛି । ଏପରିକି ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଓ ବିଦ୍ୟାଳୟ ଗୃହ ପ୍ରସ୍ତୁତ ମଧ୍ୟ କରାଯାଇଛି । ଜିଲାପାଳ ଭର୍ଚୁଆଲ ମିଟିଂ ମାଧ୍ୟମରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ସମସ୍ତ ବ୍ଲକ୍‌ର ତହସିଲଦାର, ବିଡିଓ ଓ ଅନ୍ୟାନ୍ୟ ପଦାଧିକାରୀଙ୍କୁ ସଜାଗ ରହିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏପଟେ ବାତ୍ୟା ଅଧିକ ପ୍ରଭାବିତର ଆଶଙ୍କା କରି ଚାନ୍ଦବାଲି, ଧାମରା, ଆରଡି ଅଂଚଳରେ ବ୍ୟାପକ ପ୍ରସ୍ତୁତି ଆରମ୍ଭ କରିଛନ୍ତି ତହସିଲଦାର ଓ ବିଡିଓମାନେ । ବିଶେଷକରି ୨୬ ରେ ପୂର୍ଣ୍ଣିମା ତିଥି ଥିବାରୁ ଉଚ୍ଚ ଲୁଣା ଜୁହାର ଉଠିବାର ଆଶଙ୍କା ରହିଥିବାବେଳେ ଅନେକ ସ୍ଥାନରେ ନଦୀବନ୍ଧ ମୁକୁଳା ପଡିଛି । ଏବେ ବର୍ତ୍ତମାନ ସୁଦ୍ଧା ଧାମରା, ଚାନ୍ଦବାଲି ଓ ଆରଡିରେ ଏନ୍‌ଡିଆରଏଫ୍‌, ଓଡ୍ରାଫ ଓ ଅଗ୍ନିଶମ ବାହିନୀ ପହଞ୍ôଚ ସେମାନଙ୍କର ପ୍ରସ୍ତୁତି ପର୍ବ ଆରମ୍ଭ କରିଛନ୍ତି । ସନ୍ଧ୍ୟାରେ ନଦୀକୂଳିଆ ଓ ତଳି ଅଂଚଳରେ ରହୁଥିବା ଲୋକଙ୍କୁ ସ୍ଥାନାନ୍ତର ଆରମ୍ଭ ହୋଇଛି । ଜିଲାରେ ବାତ୍ୟା ମୁକାବିଲା ପାଇଁ ଚରମ୍ପାସ୍ଥିତ ରିଜର୍ଭ ପୁଲିସ୍ କ୍ୟାମ୍ପସରେ ସମସ୍ତ ପ୍ରସ୍ତୁତିର ସମୀକ୍ଷା କରିଛନ୍ତି ଅତିରିକ୍ତ ପୁଲିସ୍ ମହା ନିର୍ଦ୍ଦେଶକ ଯଶବନ୍ତ ଜେଠ୍‌ୱା ।