Odiapua.com

ବାତ୍ୟା ସୁଯୋଗରେ କୃତ୍ରିମ ଅଭାବ ଜନିତ ଦରବୃଦ୍ଧି ରୋକିବା ପାଇଁ ପ୍ରଶାସନିକ ଚଢ଼ଉ

ଭଦ୍ରକ, ୨୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ସୁଯୋଗ ନେଇ ଅସାଧୁ ବ୍ୟବସାୟୀମାନେ ଆଳୁ, ପିଆଜ ଭଳି ଅତ୍ୟାବଶ୍ୟକ ଦ୍ରବ୍ୟର କୃତ୍ରିମ ଅଭାବ ସୃଷ୍ଟି କରି କଳାବଜାରୀ, ଦରବୃଦ୍ଧି, ବେନିୟମ ମହଜୁଦ ଭଳି ଖବର ଓ ଅଭିଯୋଗ ଆଧାରରେ ଜିଲ୍ଲା ପ୍ରଶାସନ ତରଫରୁ ଚଢ଼ଉ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବାତ୍ୟା ମୁକାବିଲା ନେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ ଯୋଗ ଦେଇଥିବା ସାଂସଦ ଓ ଜିଲ୍ଲାର ସମସ୍ତ ବିଧାୟକମାନଙ୍କ ଅଭିଯୋଗ ନେଇ ଏହି ଚଢ଼ଉ ପାଇଁ ମନ୍ତ୍ରୀ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ଏହି ପରିପ୍ରେକ୍ଷୀରେ ଭଦ୍ରକ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତୀଙ୍କ ନେତୃତ୍ୱରେ ଜିଲ୍ଲାଯୋଗାଣ ଅଧିକାରୀ ଲିଙ୍ଗରାଜ ବେହେରା ଓ ଏ.ସି.ଏସ୍‌.ଓ ଶରତ ବେହେରାଙ୍କୁ ନେଇ ଭଦ୍ରକ ସହରରେ ପରିବା ବଜାର ଓ ବଡ଼ ବଡ଼ ଆଳୁ, ପିଆଜ ଗୋଦାମମାନଙ୍କରେ ଚଢ଼ଉ କରାଯାଇଥିଲା । ଆଳୁ କିଲୋପ୍ରତି ୩୦ଟଙ୍କା ଓ ପିଆଜ କିଲୋ ପ୍ରତି ୫୫ଟଙ୍କାରେ ବିକ୍ରି କରାଯାଉଥିବା ଦର ତାଲିକାକୁ ଦୋକାନୀମାନେ ଦୋକାନ ଆଗରେ ଖାଉଟୀମାନଙ୍କ ଉଦ୍ଦେଶ୍ୟରେ ଫଳକ ଜରିଆରେ ଲେଖି ଜଣାଇବା ପାଇଁ କୁହାଯାଇଥିଲା । ଗୋଦାମ ଗୁଡ଼ିକର ଷ୍ଟକ ଓ କ୍ରୟ ବିଲ ଯାଂଚ କରାଯାଇ ଧାର୍ଯ୍ୟଦର ମଧ୍ୟରେ ବିକ୍ରୟ କରିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟକି ଜିଲ୍ଲାର ସମସ୍ତ ବ୍ଲକ୍‌ରେ ମଧ୍ୟ ଏହିପରି ଚଢ଼ଉ ପାଇଁ ବି.ଡ଼ି.ଓ. ଓ ତହସିଲଦାରମାନଙ୍କୁ ନିର୍ଦ୍ଦେଶପ୍ରଦାନ କରାଯାଇଛି । ଏହି ଚଢ଼ାଉ ପରେ ଭଦ୍ରକ ସହରରେ ଆଳୁ, ପିଆଜର ଦର ସ୍ୱାଭାବିକଥିବା ପରିଲ୍ଲଖିତ ହୋଇଛି ।