Odiapua.com

ବାତ୍ୟା ‘ବୁଲ୍ ବୁଲ୍‌’ ମୁକାବିଲା ପାଇଁ ୯ଟି ଜିଲାକୁ ୨ଟି ଲେଖାଏଁ ଓଡ୍ରାଫ ଟିମ ଏନଡିଆରଏଫ ଟିମ ପଠାଇବାକୁ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନା

ଭୁବନେଶ୍ୱର ୭। ୧୧ (ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ) ବାତ୍ୟା ‘ବୁଲ୍ ବୁଲ୍‌’ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ସଜାଗ ହେବା ସୂଚନା ମିଳିଛି। ବାତ୍ୟା ତାର ଗତି ପଥ ପରିବର୍ତ୍ତନ କରି ବାଂଲାଦେଶ ମୁହାଁ ହୋଇଥିବା ସରକାର ନିକଟରେ ସୂଚନା ଥିବାବେଳେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାଇ ରାଜ୍ୟର ଉପକୂଳବର୍ତ୍ତି ଜିଲ୍ଲା ମାନଙ୍କରେ ପ୍ରବଳ ବର୍ଷା ସହ ପବନ ହେବାର ସମ୍ଭାବନା କୁ ଆଖିଆଗରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ କୁମାର ଜେନାଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଛି। ରାଜ୍ୟ ସରକାର ଏବଂ ବିପର୍ଯ୍ୟୟ ପ୍ରଶମନ ବିଭାଗ ସଜାଗ ହୋଇ ରହିବାକୁ ପରାମର୍ଶ ଦିଆଯାଇଛି। ଏନେଇ ରାଜ୍ୟ ସରକାର ପ୍ରସ୍ତୁତ ବୋଲି ସ୍ୱତନ୍ତ୍ର ରିଲିଫ କମିଶନର ଗୁରୁବାର ବୈଠକ ପରେ ଗଣମାଧ୍ୟମକୁ ସୂଚନାଦେଇଛନ୍ତି। ରାଜ୍ୟର ୯ଟି ଉପକୂଳବର୍ତ୍ତି ଜିଲା ମାନଙ୍କୁ ସଜାଗ ରହିବା ପାଇଁ ପରାମର୍ଶ ଦିଆଯାଇଛି। ଏହି ୯ ଟି ଜିଲାମାନଙ୍କ ମଧ୍ୟରେ ପୁରୀ, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, କଟକ, ଯାଜପୁର, ଖୋର୍ଦ୍ଧା, ମୟୁରଭଞ୍ଜ। ଏହି ଜିଲାମାନଙ୍କର ଜିଲାପାଳମାନଙ୍କୁ ସତର୍କ ରହିବା ପାଇଁ ସ୍ୱତନ୍ତ୍ର ରିଲିଫ କମିଶନର ସୂଚନାଦେଇଛନ୍ତି। ଏଥି ସହିତ ଜିଲାମାନଙ୍କର ଅଗ୍ନିଶମ କେନ୍ଦ୍ରମାନଙ୍କୁ ମଧ୍ୟ ସଜାଗ ରହିବାକୁ ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। ୯ଟି ଜିଲାକୁ ୨ଟି ଲେଖାଏଁ ଏନଡିଆରଏଫ ଟିମ ଏବଂ ୬ଟି ଜିଲାକୁ ଗୋଟିଏ ଲେଖାଏଁ ଏନଡିଆରଏଫ ଟିମ ପଠାଇବାକୁ ନିଷ୍ପତ୍ତି ନିଆଯାଇଛି। ଏଥି ସହିତ ୯ଟି ଜିଲାକୁ ୨ଟି ଲେଖାଏଁ ଓଡ୍ରାଫ ଟିମକୁ ମଧ୍ୟ ପଠାଯାଇଛି। ପ୍ରବଳ ପବନ ଏବଂ ବର୍ଷାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ରିଲିଫ କମିଶନର ୯ ଜିଲାର ସମସ୍ତ ସ୍କୁଲକୁ ୯ ତାରିଖ ଛୁଟି ଘୋଷଣା କରିଛନ୍ତି। ପୂର୍ବରୁ କେନ୍ଦ୍ରାପଡା, ପୁରୀ ଏବଂ ଜଗତସିଂହପୁର ଜିଲାରେ ଜିଲାପାଳ ମାନେ ୨ ଦିନ ଲେଖାଏଁ ସ୍କୁଲ ଏବଂ ସମସ୍ତ ଅଙ୍ଗନବାଡି କେନ୍ଦ୍ରକୁ ଛୁଟି ଘୋଷଣା କରିଛନ୍ତି।