Odiapua.com

ବାତ୍ୟା ଫନି ମୁକାବିଲା ପାଇଁ ରାଜ୍ୟସରକାରଙ୍କ ପ୍ରସ୍ତୁତି କେବଳ କାଗଜ କଲମରେ ସୀମିତ : ବିଜେପି

ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଭେଟିଲା ବିଜେପି ପ୍ରତିନିଧୀ ଦଳ
– ଏକ ସପ୍ତାହ ପରେ ବି ବାତ୍ୟା ବିପନ୍ନଙ୍କ ପାଖରେ ପହଂଚିନି ଶୁଖିଲା ଖାଦ୍ୟ
– ବିଜେପି ପ୍ରତିନିଧୀଙ୍କ ଦ୍ୱାରା ପୁରୀ ଜିଲ୍ଲା ସତ୍ୟବାଦୀ ଏବଂ କଣାସ ବ୍ଲକ ବାତ୍ୟା ବିପନ୍ନଙ୍କୁ ରିଲିଫ ବଂଟନ
– ରାଜ୍ୟ ସରକାର ତଥ୍ୟ ଦେଲେ ଭାଙ୍ଗି ଯାଇଥିବା କଚ୍ଚା ଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯିବ
ଭୁବନେଶ୍ୱର, ତା.୧୧/୦୫(ଓଡ଼ିଆ ପୁଅ): ବାତ୍ୟା ଫନିର ପ୍ରଭାବ ନେଇ ପାଣିପାଗ ବିଭାଗ ପକ୍ଷରୁ ୭ ଦିନ ପୂର୍ବରୁ ସୂଚନା ଦିଆଯାଇଥିଲେ ମଧ୍ୟ ରାଜ୍ୟସରକାର ପ୍ରସ୍ତୁତି କେବଳ କାଗଜକଲମରେ ସୀମିତ ରହିଛି। ଏକ ସପ୍ତାହ ପରେ ବି ବାତ୍ୟା ବିପନ୍ନଙ୍କ ପାଖରେ ପହଂଚିନି ଶୁଖିଲା ଖାଦ୍ୟ। ତାର୍ପୋଲିନକୁ କାଟିକି ଦିଆଯାଉଛି। ରନ୍ଧା ଖାଦ୍ୟ କେବଳ ଗୋଟିଏ ଗାଁର ଲୋକଙ୍କୁ ଦିଆଯାଇଛି। ୮ ଦିନ ବିତିଯାଇଥିଲେ ମଧ୍ୟ ଲୋକଙ୍କୁ ଯଥେଷ୍ଟ ପାନୀୟ ଜଳ, ରାସ୍ତାଘାଟକୁ ବ୍ୟବସ୍ଥିତ କରିବାରେ ସରକାରୀ ବିଭାଗ ସଂପୂର୍ଣ୍ଣ ବିଫଳ ହୋଇଛି। ପୁରୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ସମୟରେ ସମସ୍ତଙ୍କ ପାଖରେ ଏପର୍ଯ୍ୟନ୍ତ ରନ୍ଧା ଖାଦ୍ୟ କିମ୍ବା କୌଣସି ରିଲିଫ ସାମଗ୍ରୀ ପହଂଚି ନାହିଁ ବୋଲି ଗତକାଲି ବିଜେପିର ଏକ ପ୍ରତିନିଧୀ ଦଳ ପୁରୀ ଜିଲ୍ଲାର ସତ୍ୟବାଦୀ ଓ କଣାସ ବ୍ଲକ ପରିଦର୍ଶନ କରିବା ସମୟରେ ବାତ୍ୟା ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଲୋକମାନେ ଜଣାଇଛନ୍ତି।

ବାତ୍ୟାବିପନ୍ନଙ୍କ ପାଖରେ ଶୁଖିଲା ଖାଦ୍ୟ, ପିଇବା ପାଣି, ରନ୍ଧା ଖାଦ୍ୟ, ତାର୍ପୋଲିନ, ମହମବତୀ ଆଦି ରିଲିଫ ସାମଗ୍ରୀ ଯୋଗାଇବା ସହ ରାସନ କାର୍ଡ ନଥିବା ଲୋକଙ୍କୁ ଚାଉଳ ସହ ଆର୍ଥୀକ ସହାୟତା ଯୋଗାଇବା ପାଇଁ ବିଧାୟକ ଦଳ ନେତା ଶ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧୀ ଦଳ ଆଜି ରାଜ୍ୟ ସ୍ୱତନ୍ତ୍ର ରିଲିଫ କମିଶନରଙ୍କୁ ଭେଟି ଦାବି ଜଣାଇବା ସହ ପୁରୀ ଜିଲ୍ଲାରେ ଯୁଦ୍ଧକାଳୀନ ଭିତିରେ ବିଦ୍ୟୁତ ସେବାକୁ ଯୋଗାଇବା ପାଇଁ ଦାବି ଜଣାଇଛନ୍ତି।

ରାଜ୍ୟ ସରକାର ବାତ୍ୟା ବିପନ୍ନଙ୍କ ପାଖରେ ରିଲିଫ ପହଂଚାଇ ପାରୁନାହାଁନ୍ତି। ପ୍ରଳୟଙ୍କରୀ ବାତ୍ୟାରେ ଚାଳ ଘର, ଆଜବେଷ୍ଟସ ଘର ବିଶେଷ ଭାବେ ବହୁ କ୍ଷତିଗ୍ରସ୍ତ ହୋଇଛି। ବାତ୍ୟା ପୀଡିତମାନେ ଖୋଲା ଆକାଶ ତଳେ ପିଲା ଛୁଆଙ୍କ ସହ ଦୁର୍ଦଶ ଜୀବନ ବିତାଉଛନ୍ତି। ଭାଙ୍ଗି ଯାଇଥିବା ଘରକୁ ସଜାଡିବା ପାଇଁ ସାମାନ୍ୟ ପଲିଥିନ ନାହିଁ। ଏପରିକି ପାନୀୟ ଜଳ ପାଇଁ ସଂଗ୍ରାମ କରୁଛନ୍ତି। ଅଳ୍ପ କେତୋଟି ସ୍ଥାନରେ ଚୁଡା ୩୦୦ ଗ୍ରାମ ଏବଂ ରନ୍ଧା ଖାଦ୍ୟ ଯୋଗାଇ ଦିଆଯାଇଛି। ଏହା ରାଜ୍ୟ ସରକାରଙ୍କ ବାତ୍ୟା ପରିଚାଳନାରେ ସଂପୂର୍ଣ୍ଣ ବିଫଳତାକୁ ସ୍ପଷ୍ଟ କରିଛି। ରାଜ୍ୟ ସରକାର ତଥ୍ୟ ଦେଲେ ଭାଙ୍ଗି ଯାଇଥିବା କଚ୍ଚା ଘରକୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯିବ ବୋଲି ଶ୍ରୀ ସିଂହଦେଓ କହିଛନ୍ତି।

ଏହି ପ୍ରତିନିଧି ଦଳରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି ଓ ରମାରଂଜନ ବଳିୟାରସିଂହ, ରାଜ୍ୟ ସଂପାଦିକା ଡ. ଲେଖାଶ୍ରୀ ସାମନ୍ତସିଂହାର, ଶାରଦା ପ୍ରସାଦ ଶତପଥୀ, ମନସୁଖ ଲାଲ ସେଠିଆ ପ୍ରମୁଖ ସାମିଲ ଥିଲେ।