Odiapua.com

ବାତ୍ୟା ‘ଦାନା’ ପରେ କୃତ୍ରିମ ବନ୍ୟା ସୃଷ୍ଟି କଲା ଲଗାଣ ବର୍ଷା, ପାଣିଘେରରୁ ରୋଗୀକୁ ଉଦ୍ଧାର କରି ବିଧାୟକ ସୀତାଂଶୁ ଚର୍ଚ୍ଚାରେ

ଭଦ୍ରକ, ୨୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ‘ଦାନା’ ନିଜର ଭୟଙ୍କର ରୂପ ଦେଖାଇ ଚାଲିଯାଇଛି । ହେଲେ ଛାଡିଯାଇଛି ତାର କରାଳ ପ୍ରତିଛବି । ଭଦ୍ରକ ଜିଲାର ପ୍ରଭାବିତ ଅଂଚଳଗୁଡିକ ଏବେବି ଜଳମଗ୍ନ ରହି ବନ୍ୟାକୁ ଆମନ୍ତ୍ରଣ କରିଛି । ଧାମନଗରର ଭଦ୍ରକ-ଆଖଣ୍ଡଳମଣି ରାସ୍ତାର ୩ଟି ସ୍ଥାନରେ ବର୍ଷାଜଳ ୨ ଫୁଟ୍ ଉଚ୍ଚରେ ପ୍ରବାହିତ ହେବା ଫଳରେ ଯାତାୟତ ଏକ ପ୍ରକାର ଠପ୍ ହୋଇଯାଇଛି । ତେବେ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହୋଇଥିବା ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ୍‌ରେ ଜିଲା ପ୍ରଶାସନ ପକ୍ଷରୁ ରାସ୍ତାଘାଟରେ ପଡିଥିବା ଗଛଗୁଡିକ କଟାଯିବା ସହ ଉପୁଡି ପଡିଥିବା ବିଦ୍ୟୁତ୍ ଖୁଂଟି ଗୁଡିକର ସଜଡା ଆରମ୍ଭ ହୋଇଛି । ତେବେ ତଳିଆ ଅଂଚଳରେ ବର୍ଷାଜଳ ନିଷ୍କାସିତ ନହେବା ଫଳରେ ଲୋକଙ୍କ ଘରେ ପାଣି ପଶିଛି । ବହୁ କଚ୍ଚା ଓ ଆଜବେଷ୍ଟ୍ ଘର ଭାଂଗିଛି । ସେହିଭଳି ଭଦ୍ରକରେ ମଧ୍ୟ ବର୍ଷାଜଳ କୃତ୍ରିମ ବନ୍ୟାର ବିଭୀଷିକା ସୃଷ୍ଟି କରିଛି । ବିଶେଷକରି ଭଦ୍ରକ ସହରରେ ଦୀର୍ଘ ୪୦ ବର୍ଷ ବ୍ରିଟ୍ରିଶ ସମୟର ସ୍ୱରେଜ ବ୍ୟବସ୍ଥା ଉପରେ ପ୍ରଭାବଶାଳୀ ଲୋକଙ୍କ ଜବରଦଖଲ ସାମାନ୍ୟ ବର୍ଷରେ ଲୋକଙ୍କୁ ଘରୁ ବାହାରକୁ ବାହାର କରିଦେଉନାହିଁ । ତେବେ ଦାନା ଜନିତ ବାତ୍ୟା ଯଦିଓ ଭଦ୍ରକରେ ଏତେଟା ପ୍ରଭାବ ପକାଇନାହିଁ, ତେବେ ପ୍ରବଳ ବର୍ଷା ଲୋକଙ୍କୁ ବେହାଲ କରିଛି । ଜିଲାରେ ଗତ ୯ ଘଂଟା ମଧ୍ୟରେ ରେକର୍ଡ ପରିମିତ ୭୦୯ ମିଲିମିଟର ବୃଷ୍ଟିପାତ ରେକର୍ଡ କରାଯାଇଛି । ୨୫ ତାରିଖ ସକାଳ ୮ଟାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ଜିଲାରେ ୭ଟି ବ୍ଲକ୍‌ରେ ରେକର୍ଡ କରାଯାଇଥିବା ବୃଷ୍ଟିପାତ ତଥ୍ୟ ଅନୁଯାୟୀ ଚାନ୍ଦବାଲି ଓ ଧାମନଗର ବ୍ଲକ୍‌ରେ ସର୍ବାଧିକ ୧୨୫ ମିମି ଲେଖାଏଁ ବର୍ଷା ରେକର୍ଡ କରାଯାଇଥିବାବେଳେ ଭଣ୍ଡାରିପୋଖରୀରେ ୧୨୦, ଭଦ୍ରକ ବ୍ଲକ୍‌ରେ ୯୮, ବନ୍ତ ବ୍ଲକ୍‌ରେ ୯୦, ତିହିଡିରେ ୮୫ ଓ ବାସୁଦେବପୁର ବ୍ଲକ୍‌ରେ ୬୬ ମିମି ବର୍ଷା ଅନୁଭୂତ ହୋଇଛି । ତେବେ ୯ ଘଂଟାରେ ଜିଲାରେ ହାରାହାରି ବୃଷ୍ଟିପାତ ୧୦୧ ମିମି ରେକର୍ଡ କରାଯାଇଛି । ଗତ ୨୪ ତାରିଖ ମଧ୍ୟରାତ୍ରରୁ ଜିଲାବ୍ୟାପୀ ବର୍ଷା ଜାରି ରହିଥିବାବେଳେ ୨୬ ତାରିଖ ଆଜି ସକାଳୁ ଏହା ଥମିଛି । ତେବେ ଏହି ବାତ୍ୟା ଜନିତ ବୃଷ୍ଟିପାତ ଜିଲାରେ ଏକ ବନ୍ୟାକୁ ଆମନ୍ତ୍ରଣ କରିଛି । ତେବେ ଭଦ୍ରକ ପୌରାଂଚଳର ତଳିଆ ଅଂଚଳର ବହୁ ଲୋକ ଏବେବି ପାଣିଘେରରେ ରହିଥିବାବେଳେ ବିଧାୟକ ସୀତାଂଶୁ ଶେଖର ମହାପାତ୍ର ବହୁ ଅଂଚଳ ବୁଲି ଲୋକଙ୍କ ସମସ୍ୟା ବୁଝିବା ସହ କିପରି ରିଲିଫ୍ ଓ ସରକାରୀ ସହାୟତା ଯୋଗାଇ ଦିଆଯିବ, ସେ ସଂପର୍କରେ ତଦାରଖ କରିଛନ୍ତି । ବିଶେଷକରି ଚରମ୍ପା ବରାଳପୋଖରୀରେ ଏକ ରୋଗୀ ପାଣିଘେରରେ ଥିବାର ଖବର ପାଇ ସେ ଏକ ଉଦ୍ଧାରକାରୀ ଟିମ୍‌ରେ ସିଟି ଡିଏସ୍‌ପି ଅଂଶୁମାନ ଦ୍ୱିବେଦୀ ଓ ତହସିଲଦାର ସଂଗ୍ରାମ ପ୍ରିୟଦର୍ଶୀ ଖୁଂଟିଆଙ୍କୁ ସାଙ୍ଗରେ ଧରି ଜଳବନ୍ଦୀରୁ ତାଙ୍କୁ ଉଦ୍ଧାର କରିବା ଘଟଣା ସାଧାରଣରେ ପ୍ରଶଂସିତ ହୋଇଛି ।