Odiapua.com

ବାତ୍ୟା ଜୱାଦ ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ସରକାର ତୁରନ୍ତ ଉପଯୁକ୍ତ କୃଷି ଇନପୁଟ୍ ସହାୟତା ଯୋଗାଇ ଦେବା ଦାବି ନେଇ ଡିସେମ୍ବର ୧୫ ରାଜଭବନ ସମ୍ମୁଖରେ ଧାରଣା ଦେବ ପ୍ରଦେଶ କିଷାନ କଂଗ୍ରେସ

ଭୁବନେଶ୍ୱର, ୧୩/୧୨ (ଓଡ଼ିଆ ପୁଅ) – ସାମୁଦ୍ରିକ ବାତ୍ୟା ଜୱାଦ ପ୍ରଭାବରେ ଡିସେମ୍ବର ୫ ଓ ୬ରେ ଅତିଶୟ ଲଗାଣ ବର୍ଷା ଯୋଗୁଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଲକ୍ଷାଧିକ ଚାଷୀ କ୍ଷତିଗ୍ରସ୍ତ ହୋଇଛନ୍ତି। ଲକ୍ଷ ଲକ୍ଷ ହେକ୍ଟର ଜମିରେ ଥିବା ଧାନ ଫସଲ ଉଜୁଡ଼ି ଯାଇଛି। ପବନରେ ପାଚିଲା ଧାନ ଗଛଗୁଡ଼ିକ ମାଟିରେ ଲୋଟିଛି। ଧାନ କେଣ୍ଡା ଉପରେ ବର୍ଷା ପାଣି ଜମା ହେବାରୁ ବିଭିନ୍ନ ଅଞ୍ଚଳରେ ଧାନ ଗଜା ହେବାରେ ଲାଗିଲାଣି। ଚାଷୀଙ୍କ ବର୍ଷକର ଦାନା ଛଡ଼ାଇ ନେଇଛି ବାତ୍ୟା। ହଜାର ହଜାର ଏକର ପନିପରିବା ମଧ୍ୟ ଉଜୁଡ଼ି ଯାଇଛି। ଚାଷୀ ବର୍ତ୍ତମାନ ଘୋର ଦୁର୍ଦ୍ଦଶାର ସମ୍ମୁଖିନ। ବିଭାଗୀୟ ରାଜସ୍ୱ ମନ୍ତ୍ରୀ ଫସଲ କ୍ଷୟକ୍ଷତି ପରେ ରିଲିଫ୍ କୋର୍ଡ଼ ଅନୁଯାୟୀ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ବୋଲି ଯେଉଁ ଘୋଷଣା କରଛନ୍ତି ଏହା ଚାଷୀଙ୍କ ପାଇଁ ଉପହାସ। ସରକାର ୩୩ ପ୍ରତିଶତରୁ ଅଧିକ ଫସଲ ନଷ୍ଟ ହେଲେ ଚାଷୀଙ୍କୁ କ୍ଷତିପୂରଣ ଦେବାପାଇଁ ଘୋଷଣା କରିଥିବା ବେଳେ କ୍ଷୁଦ୍ର ଓ ନାମମାତ୍ର ଚାଷୀ କ୍ଷତିପୂରଣ ପାଇବାରୁ ବଞ୍ôଚତ ହେବେ। ଅନ୍ୟ ପକ୍ଷରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିର ପ୍ରଚଳିତ କୃଷି ଇନପୁଟ୍ ସହାୟତା ସମୁଦ୍ରକୁ ଶଙ୍ଖେ। ଚାଷୀ ଏକର ପିଚ୍ଛା ୫୦ ହଜାରରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଉଭୟ ସରକାରଙ୍କ ପ୍ରଚଳିତ ବ୍ୟବସ୍ଥା ଅନୁଯାୟୀ ଜଳସେଚିତ ଅଞ୍ଚଳ ପାଇଁ ହେକ୍ଟର ପିଚ୍ଛା ୧୩, ୫୦୦ ଓ ଅଣଜଳସେଚିତ ଅଞ୍ଚଳ ପାଇଁ ୬, ୮୦୦ ଟଙ୍କା ଥିବାରୁ ଏଥିରେ ଚାଷୀର କ୍ଷତି ଭରଣା ହେବା ଆଦୌ ସମ୍ଭବପର ନୁହେଁ। ତେଣୁ ରାଜ୍ୟ ସରକାର ବାରମ୍ବାର ଚାଷୀ ଆତ୍ମହତ୍ୟାଠାରୁ ଆରମ୍ଭ କରି କୃଷି ଓ କୃଷକମାନଙ୍କ ବିଭିନ୍ନ ମୌଳିକ ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ଅଣଦେଖା କରି ଚାଲିଛନ୍ତି। ଚିରାଚରିତ ବ୍ୟବସ୍ଥା ଅନୁଯାୟୀ ଚାଷୀ ଏହି ଜୱାଦରୁ ମୁକୁଳିବା ଏବେ କାଠିକର ପାଠ। ତେଣୁ ରାଜ୍ୟ ସରକାର ଅବିଳମ୍ବେ ଜୱାଦ ଓ ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ଦ୍ୱାରା ଫସଲ କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ଉପଯୁକ୍ତ କୃଷି ସହାୟତା ଯୋଗାଇ ଦେବା ଯଥା- ପ୍ରଥମେ ପ୍ରଚଳିତ ରିଲିଫ୍ କୋର୍ଡ଼ ସଂଶୋଧନ, ପ୍ରଚଳିତ ପ୍ରାକୃତିକ ବିପର୍ଯ୍ୟୟ ପାଣ୍ଠିରେ ଥିବା କୃଷି ଇନପୁଟ୍ ସହାୟତାର ୩ ଗୁଣା ବୃଦ୍ଧି, ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନାର ସର୍ତ୍ତାବଳୀ ଅନୁଯାୟୀ ଅଗ୍ରୀମ ୩୦ ପ୍ରତିଶତ ବୀମା କ୍ଷତିପୂରଣ, ସମସ୍ତ ଚାଷୀଙ୍କଠାରୁ ସମସ୍ତ କୃଷିଋଣ ଛାଡ଼, ଚଳିତ ରବି ଚାଷ ପାଇଁ ମାଗଣାରେ ବିହନ, ସାର ଓ କୀଟନାଶକ ଔଷଧ ଯୋଗାଣ, ଫସଲ କ୍ଷତିଗ୍ରସ୍ତ ଚାଷୀଙ୍କୁ ପ୍ରତି ଗୁଣ୍ଠ ପିଚ୍ଛା ସର୍ବନିମ୍ନ ୩ ହଜାର ଟଙ୍କା ସହାୟତା ରାଶି ପ୍ରଦାନ, ଭାଗଚାଷୀଙ୍କୁ ସୁରକ୍ଷା ଦିଗରେ ତୁରନ୍ତ ପଦକ୍ଷେପ ନେବାପାଇଁ ଦାବି କରି ଆସନ୍ତା ଡିସେମ୍ବର ୧୫ ତାରିଖ ଦିନ ୧୧ ଘଟିକା ସମୟରେ ଓଡ଼ିଶା ପ୍ରଦେଶ କିଷାନ କଂଗ୍ରେସ ପକ୍ଷରୁ ରାଜଭବନ ସମ୍ମୁଖରେ ୩୦ ଜିଲ୍ଲାର ଚାଷୀ ପ୍ରତିନିଧିମାନଙ୍କୁ ନେଇ ଧାରଣା ଓ ପ୍ରତିବାଦ କରାଯିବ ବୋଲି ପିସିସି କିଷାନ କଂଗ୍ରେସ ଅଧ୍ୟକ୍ଷ ଅମିୟ କୁମାର ପଟ୍ଟନାୟକ, ଉପାଧ୍ୟକ୍ଷ ଶଶି ଭୂଷଣ ପାତ୍ର, ପ୍ରେମାନନ୍ଦ ସ୍ୱାଇଁ, ଉମେଶ ସାହୁ ପ୍ରମୁଖ ଚାଷୀନେତାମାନେ ଏକ ପ୍ରେସ ବିଜ୍ଞପ୍ତିରେ ଜଣାଇଛନ୍ତି।