Odiapua.com

ବାତ୍ୟା “ଆସାନୀ”କୁ ନେଇ ବିପଦ ଆଶଙ୍କାରେ ନଈକୂଳିଆବାସୀ

ଭଦ୍ରକ, ୭ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପାଣିପାଗ ସୂତ୍ରରୁ ସଦ୍ୟ ସୂଚନା ଅନୁଯାୟୀ ବାତ୍ୟା “ଆସାନୀ” ଯୋଗୁଁ ଓଡ଼ିଣାରେ ପବନ ତୁଳନାରେ ପ୍ରବଳ ବର୍ଷା ହେବାର ଜଣାପଡ଼ିବା ପରେ ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଆଗରପଡ଼ା ଅଂଚଳର ସାଳନ୍ଦୀ ନଈକୂଳିଆବାସୀ ବିପଦ ଆଶଙ୍କାରେ ଗତି କରୁଛନ୍ତି। ପ୍ରାକୃତିକ ବିପର୍ଯ୍ୟୟରୁ ପରିବେଶକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ସମସ୍ତେ ବିଭିନ୍ନ ପ୍ରକାର ଯୋଜନା ମାଧ୍ୟମରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଥିବା ସ୍ଥଳେ ପ୍ରଶାସନିକ ଅଧିକାରିଙ୍କ ଦୂର ଦୃଷ୍ଟିର ଅଭାବ ଯୋଗୁଁ ଏହାର ସଫଳ ରୂପାୟନ ହୋଇ ପାରୁ ନାହିଁ କାରଣ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳବିହାରୀ ବାଜପେୟୀଙ୍କ ପ୍ରଧାମନ୍ତ୍ରୀତ୍ୱ କାଳରେ ୨୦୦୨-୦୩ ଆର୍ଥିକ ବର୍ଷରେ ତତ୍କାଳୀନ କେନ୍ଦ୍ର ଜଳସମ୍ପଦ ମନ୍ତ୍ରୀ ତଥା ପୂର୍ବତନ ଭଦ୍ରକ ସାଂସଦ ଅର୍ଜୁନଚରଣ ସେଠୀଙ୍କ ଉଦ୍ୟମ କ୍ରମେ ସାଳନ୍ଦି ସଂସ୍କାର ଯୋଜନାରେ ୧୦୨କୋଟି ଟଙ୍କା ଅନୁଦାନ ମଞ୍ଜୁର ହୋଇଥିବା ବେଳେ ୨୦୦୫-୦୬ ଆର୍ଥିକ ବର୍ଷରେ ବ୍ୟୟ ଅଟକଳ ପ୍ରସ୍ତୁତ କରାଯାଇ କାର୍ଯ୍ୟ କରାଯାଇଥିଲା। ଏହାର ଲକ୍ଷ୍ୟଥିଲା ସାଳନ୍ଦୀ ସଂସ୍କାର ଯୋଜନାରେ ପୋତି ହୋଇଯାଇଥିବା ନଦୀଗର୍ଭ ପୁନଃଦ୍ଧାର ଓ ସାଳନ୍ଦୀ ସଂଯୋଗୀକରଣ କରି ସାଳନ୍ଦୀ ନଦୀକୁ ସୁରକ୍ଷିତ ରଖିବା। ମାତ୍ର ଉକ୍ତ ଯୋଜନା ଅନୁଦାନ ରାଶିି ଉପଯୁକ୍ତ ବିନିଯୋଗ ନହେବାରୁ ଏବଂ ନଦୀ ପଠାରେ ବେଆଇନ ଭାବେ ଗଢି ଉଠୁଥିବା ଇଟା ଭାଟି ଓ ବାଲି ଖନନ ଯୋଗୁଁ କ୍ରମଶଃ ନଦୀର ଗତିପଥ ବଦଳିି ଜନବସତି ଆଡକୁ ମାଡି ଆସୁଛି।

ପ୍ରକାଶ ଥାଉକି;ଆଗରପଡା ଥାନା ଅଧିନ ଗୋପିନାଥପୁର, ମହାନ୍ତିପଡ଼ା, ଚାରିଗାଁ ଏବଂ ଅଣିଜୋ ଆଦି ପଞ୍ଚାୟତ ଅନ୍ତର୍ଗତ ସାଳନ୍ଦୀ ନଦୀରୁ ଦୀର୍ଘ ଦିନ ଧରି ବେନିୟମ ଭାବେ ମାଫିଆ ମାନେ ଦିନ ଦ୍ୱିପ୍ରହରରେ ବାଲି ଖୋଳି ନେଉଥିଲେ। ବାରମ୍ବାର ଅଭିଯୋଗ ପରେ ପ୍ରଶାସନ ପକ୍ଷରୁ ଘାଟ ଗୁଡ଼ିକୁ ଗତ ବର୍ଷ ନିଲାମ କରାଯାଇଥିଲା। ନିଲାମ ପରେ ଅଂଚଳବାସୀ ବେଆଇନ ବାଲି ଖନନ ଉପରେ ରୋକ ଲାଗିବ ବୋଲି ଆଶା ବ୍ୟକ୍ତ କରିଥିବା ବେଳେ ସରକାରଙ୍କ ପ୍ରଦତ୍ତନିୟମକୁ କେହିବି ନମାନି ପୂର୍ବପରି ରାଜସ୍ୱ ବିଭାଗ କର୍ମଚାରୀଙ୍କ ଜ୍ଞାତ ସାରରେ ଦିନ ଦ୍ୱିପ୍ରହରରେ ଖୋଲାଖୋଲି ଭାବେ ନିର୍ଦ୍ଦାରିତ ନିୟମଠାରୁ ଅଧିକ ବାଲି ଖୋଳି ଟ୍ରାକ୍ଟର ଓ ଟ୍ରକରେ ଅନ୍ୟ ସ୍ଥାନକୁ ପଠାଉଛନ୍ତି। ଏହା ଜାଣି ସୁଦ୍ଧା ପ୍ରଶାସନ ପକ୍ଷରୁ କୌଣସି କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ। ଘାଟ ନିଲାମ କେବଳ ପ୍ରହସନ ପାଲଟିଛି। ଏହିପରିି ବେନିୟମ କାର୍ଯ୍ୟ ହେଉଥିବା ଅଭିଯୋଗ ନେଇ ଗତ ବର୍ଷ କିଛି ପଂଚାୟତର ବାସିନ୍ଦା ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ପାଇପାରି ନଥିଲେ। ଆଜି ପର୍ଯ୍ୟନ୍ତ ପ୍ରତିଦିନ ଏହି ପରି ବେଧଡକ ବାଲିଖୋଳାଯାଉଥିବାରୁ ନଦୀର ଗତି ପଥରେ ପରିବର୍ତ୍ତନ ଘଟିଛି। ସ୍ୱଳ୍ପ ବର୍ଷାରେ ସାଳନ୍ଦୀ ଫୁଲିଯାଉଛି। ବାତ୍ୟା “ଆସାନୀ” ପ୍ରଭାବରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ପାଣିପାଗ ବିଭାଗ ତରଫରୁ ସୂଚନା ମିଳିଥିବାରୁ ଏହାକୁ ନେଇ ନଈକୂଳିଆବାସୀ ଅଶା ଓ ଆଶଙ୍କାରେ ଗତି କରୁଛନ୍ତି। ଯଦି ପ୍ରବଳ ବର୍ଷା ହୁଏ ତେବେ ନଦୀ ବଢି ପାଣି ଗାଁ ମଧ୍ୟକୁ ପଶିଆସି ଲୋକ ମାନଙ୍କର ବ୍ୟାପକ କ୍ଷତି ପହଁଚାଇବା ସମ୍ଭାବନା ସୃଷ୍ଟି କରିଛି।