Odiapua.com

ବାତ୍ୟା ଅସାନି : ୧୨ ତାରିଖ ଯାଏଁ ପ୍ରବଳ ବର୍ଷା ସମ୍ଭାବନା, ହାଇ ଆଲର୍ଟରେ ଜିଲ୍ଲା ପ୍ରଶାସନ

ପୁରୀ ୧୦-୫ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ବାତ୍ୟା ଅସାନି ପ୍ରଭାବ ଆଜି ରାତିରୁ ଆସନ୍ତା ୧୨ ତାରିଖ ଯାଏଁ ପୁରୀ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି। ଏସ ଆର ସି ଅଫିସରୁ ଏ ନେଇ ପୁରୀ ଜିଲାପାଳଙ୍କୁ ଅବଗତ କରାଯିବା ପରେ ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ହାଇ ଆଲର୍ଟରେ ରହିଛି। ପୁରୀ ଅନେକ ପର୍ଯ୍ୟଟକ ଥିବାରୁ ସେମାନଙ୍କ ସୁରକ୍ଷା ପାଇଁ ଜିଲ୍ଲା ପ୍ରଶାସନ ବେଶୀ ଗୁରୁତ୍ତ୍ୱ ଦେଇଛି। ଆସନ୍ତା ୧୨ ତାରିଖ ଯାଏଁ ସମୁଦ୍ର ସ୍ନାନ କରିବା ନେଇ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ସେହିପରି ସମୁଦ୍ର କୂଳ ବର୍ଷା ପବନ ସମୟରେ ନସିବା ପାଇଁ ଆଜି ପୁରୀ ପୋଲିସ ପକ୍ଷରୁ ବେଳାଭୂମି ପର୍ଯ୍ୟଟକଙ୍କୁ ସଚେତନ କରାଯାଇଛି। ପୁରୀ ଜିଲ୍ଲାର ସମସ୍ତ ବ୍ଳକରେ କଣ୍ଟ୍ରୋଲ ରୁମ ଖୋଲାଯାଇଛି। ବିଡ଼ିଓମାନେ ବାତ୍ୟା ମୁକାବିଲା ନେଇ ସମସ୍ତ ପ୍ରସ୍ତୁତି ତଦାରଖ କରୁଛନ୍ତି। ପୁରୀ ଜିଲାପାଳ ମଧ୍ୟ ଜିଲ୍ଲାର ବରିଷ୍ଠ ଅଧିକାରୀ, ବିଡ଼ିଓ, ତହସିଲଦାରଙ୍କ ସହ ଭିଡିଓ କନ୍ଫରେନ୍ସ ଘନ ଘନ ବୈଠକ କରି ବାତ୍ୟା ପ୍ରସ୍ତୁତିର ତଦାରଖ କରୁଛନ୍ତି। ସେପଟେ ତଳିଆ ଅଞ୍ଚଳ ଲୋକଙ୍କୁ ଅତ୍ୟଧିକ ବର୍ଷା କିମ୍ବା ପବନ ହେଲେ ବାତ୍ୟା ଆଶ୍ରୟ ସ୍ଥଳୀକୁ ନେବା ପାଇଁ ବ୍ୟବସ୍ଥା ହୋଇଛି। ବାତ୍ୟା ଆଶ୍ରୟ ସ୍ଥଳୀ ଗୁଡିକ ପାନୀୟ ଜଳ, ବିଦ୍ୟୁତ ବ୍ୟବସ୍ଥା, ଔଷଧ ଅନ୍ୟାନ୍ୟ ଜରୁରୀ ସାମଗ୍ରୀ ମହଜୁଦ ରଖାଯାଇଛି। ସେହିପରି ଅତ୍ୟାବଶ୍ୟକ ସାମଗ୍ରୀ ଯେଭଳି ଖାଉଟି ପାଇବାରେ ସମସ୍ୟା ନ ଭୋଗନ୍ତି ସେ ନେଇ ସମସ୍ତ ବ୍ୟବସ୍ଥା ହୋଇଛି। ପୁରୀ ଜିଲ୍ଲାର କୃଷ୍ଣ ପ୍ରସାଦ, ବ୍ରହ୍ମଗିରି, ଅସ୍ତରଙ୍ଗ ଓ ପୁରୀ ହେଡ଼ କ୍ୱାର୍ଟରରେ ୪ ଟି ଓଡ୍ରାଫ ଟିମ ମୁତୟନ କରାଯାଇଛି। ଅଗ୍ନିଶମ ବାହିନୀ ମଧ୍ୟ ପବନ ଯୋଗୁଁ ରାସ୍ତା ଘାଟ ଅବରୋଧ ହେଲେ ତାହା ସଫା କରିବା ପାଇଁ ପ୍ରସ୍ତୁତ ରହିଛନ୍ତି। ସମୁଦ୍ରକୁ ଯାଇଥିବା ସମସ୍ତ ମତ୍ସ୍ୟଜୀବି ଫେରି ଆସିଥିବା ବେଳେ ତାଙ୍କ ଡଙ୍ଗା, ଜାଲ ସୁରକ୍ଷିତ ସ୍ଥାନରେ ରଖିଛନ୍ତି। ଅତ୍ୟଧିକ ବର୍ଷାକୁ ଦୃଷ୍ଟି ରେ ରଖି ପୁରୀ ସହରର ତଳିଆ ଅଞ୍ଚଳରେ ପାଣି ପମ୍ପ ରଖାଯାଇଛି ଜଳ ନିଷ୍କାସନ ପାଇଁ। ପୁରୀ ବେଳାଭୂମିରେ ଏହି ତିନି ଦିନ ପର୍ଯ୍ୟଟକ ମାନେ ବୁଲାବୁଲି ନ କରିବା ଓ ସମୁଦ୍ରରେ ସ୍ନାନ ନ କରିବା ପାଇଁ ବେଳାଭୂମିରେ ସଚେତନ କରାଯାଇଛି। ସମୁଦ୍ରରେ କୌଣସି ଅଘଟଣକୁ ରୋକିବାକୁ ଲାଇଫ ଗାର୍ଡ ମୁତୟନ କରାଯାଇଛି। ବାତ୍ୟା ଅସାନି ଯୋଗୁ ପୁରୀ ଜିଲ୍ଲାରେ ୪୦ ରୁ ୫୦ କିମି ବେଗରେ ପବନ ବହିବାରେ ଅନୁମାନ କରାଯାଉଛି। ଏଣୁ ଅତ୍ୟଧିକ ବର୍ଷା ଓ ପବନ ଦୃଷ୍ଟିରେ ରଖାଯାଇ ଲୋକଙ୍କ ସୁରକ୍ଷା ପୁରୀ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ଆଲର୍ଟ ଥିବା ପୁରୀ ଜିଲାପାଳ କହିଛନ୍ତି।