କେନ୍ଦ୍ରାପଡ଼ା, ୨୭ା୫ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ): ବାତ୍ୟା ୟାସର ପରେ କେନ୍ଦ୍ରାପଡା ଗସ୍ତରେ ଆସି ପହଞ୍ଚିଛନ୍ତି ପୂର୍ବତନ ସାଂସଦ ତଥା ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। କେନ୍ଦ୍ରାପଡାରେ ପହଞ୍ଚି ବାତ୍ୟାର ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଲୋକମାନଙ୍କୁ ଭେଟି ପଚାରି ବୁଝିଛନ୍ତି ଶ୍ରୀ ପଣ୍ଡା। ଜିଲ୍ଲାର ରାଜନଗର ଓ ରାଜକନିକା ବ୍ଲକର ବାତ୍ୟା ପ୍ରଭାବିତ ବିଭିନ୍ନ ଅଞ୍ଚଳ ଗସ୍ତକରି କ୍ଷତିଗ୍ରସ୍ତ ଲୋକଙ୍କଙ୍କ ଠାରୁ ସେମାନଙ୍କ ସମସ୍ୟା ସମ୍ପର୍କରେ ପଚାରି ବୁଝିଛନ୍ତି ଶ୍ରୀ ପଣ୍ଡା। ବାତ୍ୟା ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ଲୋକଙ୍କ ଠାରୁ ପଚାରି ବୁଝିବା ପରେ ରିଲିଫ ଓ ପୁନଃରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ଶ୍ରୀ ପଣ୍ଡା। ବାତ୍ୟା ପ୍ରଭାବରେ ବାସଗୃହ ହରାଇଥିବା ବିପନ୍ନଙ୍କ ଥଇଥାନ ଉପରେ ଗୁରୁତ୍ୱାରୋପ କରିଛନ୍ତି ଶ୍ରୀ ପଣ୍ଡା। ଶ୍ରୀ ପଣ୍ଡା ପ୍ରତିକ୍ରୀୟାରେ କହିଛନ୍ତି ଯେ ସରକାରଙ୍କ ବାତ୍ୟା ପୂର୍ବର ପ୍ରସ୍ତୁତି ଠିକଠାକ ଥିଲା। ବିଜେପି ପକ୍ଷରୁ ବାତ୍ୟା କ୍ଷତିଗ୍ରସ୍ତମାନଙ୍କୁ ସହାୟତା ପ୍ରଦାନ କରାଯାଉଛି। ଏଥିସହିତ କେନ୍ଦ୍ର ଗୃହମନ୍ତ୍ରୀ ବାତ୍ୟାର ସମୀକ୍ଷା କରି ସହାୟତା ପ୍ରଦାନ କରିଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି। ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଶ୍ରୀ ପଣ୍ଡାଙ୍କୁ କେନ୍ଦ୍ରାପଡା ସହରର ତିନିମୁହାଣି ଛକରେ ଜିଲ୍ଲା ସଭାପତି କିଶୋର କୁମାର ପଣ୍ଡା, ସୁନାକର ବେହେରା ଓ ଗଗନ ବିହାରୀ ସାହୁ ପ୍ରମୁଖ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ।