Odiapua.com

ବାତ୍ୟାକୁ ନେଇ ପ୍ରଶାସନର ପ୍ରସ୍ତୁତି : ୧ଲକ୍ଷ ୫ହଜାର ଲୋକଙ୍କୁ କରାଯାଇପାରେ ସ୍ଥାନାନ୍ତର, ୯୧ଟି ଗ୍ରାମ ବିପଦପୂର୍ଣ୍ଣ ଅଞ୍ଚଳ

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାତ୍ୟା ‘ଅମ୍ଫାନ’କୁ ନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ସମଗ୍ର ଜିଲ୍ଳା ହାଇ ଆଲର୍ଟ ଜୋନରେ ଥିବା ବେଳେ ମୁଖ୍ୟତଃ ବାସୁଦେବପୁର ଓ ଚାନ୍ଦବାଲି ବ୍ଲକ ଏହାର ପ୍ରଭାବରେ ଅଧିକ ପ୍ରଭାବିତ ହେବାର ସମ୍ଭାବନା ରହିଛି । ସେଥିଲାଗି ଏହି ଦୁଇ ବ୍ଲକର ୯୧ଟି ଗ୍ରାମକୁ ବିପଦପୂର୍ଣ୍ଣ ଗ୍ରାମ ଭାବେ ଚିହ୍ନଟ କରାଯାଇଛି । ଏହି ଗ୍ରାମଗୁଡିକରୁ ପ୍ରାୟ ୧ଲକ୍ଷ ୫ ହଜାର ଲୋକଙ୍କୁ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ଓ ବିଦ୍ୟାଳୟକୁ ସ୍ଥାନାନ୍ତର କରାଯିବ । ଜିଲ୍ଳାର ୧୦୮ଟି ବାତ୍ୟା ଆଶ୍ରୟସ୍ଥଳୀ ମଧ୍ୟରୁ ୨୪ଟି କ୍ୱାରେଣ୍ଟାଇନ ସେଣ୍ଟର ନିମନ୍ତେ ବ୍ୟବହୃତ ହୋଇଥିବା ବେଳେ ବାକି ରହିଥିବା ୮୪ଟି ବାତ୍ୟା ଆଶ୍ରୟସ୍ଥଳୀରେ ଲୋକମାନଙ୍କୁ ଥଇଥାନ କରାଯିବାର ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି । ଏହା ଛଡା ୫୫୮ଟି ବିଦ୍ୟାଳୟରେ ମଧ୍ୟ ଲୋକମାନଙ୍କ ରଖାଯିବାର ବ୍ୟବସ୍ଥା ହୋଇଛି । ଏଥିନିମନ୍ତେ ବାତ୍ୟା ଆଶ୍ରୟସ୍ଥଳୀ ଦାୟିତ୍ୱରେ ଥିବା କର୍ମକର୍ତ୍ତା, ବ୍ଲକ ସ୍ତରୀୟ ଅଧିକାରୀ, ନୋଡାଲ ଅଫିସରମାନେ ବ୍ୟାପକ ବନ୍ଦୋବସ୍ତ କରୁଥିବା ଜଣା ପଡିଛି । ଉଦ୍ଧାର କାର୍ଯ୍ୟ ନିମନ୍ତେ ଏନ୍‌ଡିଆର୍‌ଏଫ୍‌ର ଗୋଟିଏ ଟିମ୍ ଚାନ୍ଦବାଲି ଓ ଅନ୍ୟ ଗୋଟିଏ ଟିମ୍‌କୁ ଧାମରା ଠାରେ ଅବସ୍ଥାପିତ କରାଯାଇଥିବା ବେଳେ ଓଡ୍ରାଫ୍‌ର ଗୋଟିଏ ଟିମକୁ ବାସୁଦେବପୁର ବ୍ଳକରେ ନିୟୋଜିତ କରାଯାଇଛି ଏବଂ ଅନ୍ୟ ଏକ ଟିମ୍ ଭଦ୍ରକରେ ଅଛନ୍ତି । ବାତ୍ୟା ‘ଅମ୍ଫାନ’ର ସୁପରିଚାଳନା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ସୁଶିଲ କୁମାର ଲୋହାନୀଙ୍କୁ ଦାୟିତ୍ୱ ପ୍ରଦାନ କରିଛନ୍ତି । ବାତ୍ୟାର ସଫଳ ମୁକାବିଲା କରିବା ପାଇଁ ବାସୁଦେବପୁର ବିଡିଓ, ତହସିଲଦାର, ଚାନ୍ଦବାଲି ବିଡିଓ, ତହସିଲଦାର ପ୍ରମୁଖ ସ୍ଥାନୀୟ ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳକୁ ଯାଇ ମତ୍ସ୍ୟଜୀବୀମାନଙ୍କୁ ସେମାନଙ୍କ ଡଙ୍ଗା ଗୁଡିକ କିପରି ସୁରକ୍ଷିତ ଭାବେ ରହି ପାରିବ ସେ ଦିଗରେ ତଦନ୍ତ କରିଥିବା ଜଣା ପଡିଛି । ଏହାଛଡା କୂଳବର୍ତ୍ତୀ ଅଞ୍ଚଳରେ ମାଇକ ପ୍ରଚାର ଜାରି ରହିଛି । ଲୋକମାନଙ୍କୁ ନିଜ ନିଜ ଜିନିଷ ସବୁ ସୁରକ୍ଷିତ ରଖିବାକୁ କୁହାଯାଇଛି । ଏହାଛଡା ଗର୍ଭବତୀ ମହିଳା, ଛୋଟପିଲାମାନେ କିପରି ସୁରକ୍ଷିତ ଭାବେ ସ୍ଥାନାନ୍ତର ହେବେ ସେ ଦିଗରେ ଅଙ୍ଗନୱାଡି କର୍ମୀ ଓ ଆଶାକର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି । ଆଶ୍ରୟସ୍ଥଳୀରେ ଆଲୋକ ବ୍ୟବସ୍ଥା ଓ ଶୁଖିଲା ଖାଦ୍ୟ ବନ୍ଦୋବସ୍ତ କରାଯିବାକୁ ଜିଲ୍ଲାପାଳ ଡ. ଜ୍ଞାନ ଦାସ ସଂପୃକ୍ତ ଅଞ୍ଚଳର ତହସିଲଦାର, ବିଡିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସହରାଞ୍ଚଳରେ ମଧ୍ୟ ଏ ନେଇ ପୌରପାଳିକା ପକ୍ଷରୁ ବ୍ୟାପକ ସତର୍କତା ଅବଲମ୍ବନ କରାଯାଇଛି । ବିଭିନ୍ନ ନାଳ ସବୁକୁ ଜେସିପି ଲଗାଇ ସଫା କରାଯାଇଛି । ସହରରେ ଲାଗିଥିବା ବଡବଡ ହୋଡିଂ ସବୁକୁ ବାହାର କରିଦିଆ ଯାଇଛି ।