Odiapua.com

ବାତିଲ ହୋଇପାରେ ପାକିସ୍ତାନ-ଶ୍ରୀଲଙ୍କା ମ୍ୟାଚ

ନୂଆଦିଲ୍ଲୀ,୦୯/୦୯,(ଓଡ଼ିଆ ପୁଅ ପି ନାଏକ): ପାକିସ୍ତାନରେ ପୁଣିଥରେ ଅନ୍ତର୍ଜାତୀୟ କ୍ରିକେଟ ଯୁଗ ଆରମ୍ଭ କରିବା ଲାଗି ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସ୍ୱପ୍ନକୁ  ଝଟକା ଲାଗିଛି । ପାକ୍ ଟିମ୍ କୁ ଶ୍ରୀଲଙ୍କା ସହ ଖେଳାଇ ଦେଶରେ ଅନ୍ତର୍ଜାତୀୟ କ୍ରିକେଟର ପର୍ଯ୍ୟାୟ ଆରମ୍ଭ କରିବା ଲାଗି ପାକିସ୍ତାନ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ପିସିବି)ର ଉଦ୍ୟମ ବିଫଳ ହୋଇଛି। ସୁରକ୍ଷାଗତ କାରଣ ଦର୍ଶାଇ ଶ୍ରୀଲଙ୍କା କ୍ରିକେଟରମାନେ ପାକ୍ ଗସ୍ତ କାର୍ଯ୍ୟକ୍ରମରୁ ଓହରି ଯାଇଛନ୍ତି। ଫଳରେ ପାକିସ୍ତାନରେ ଅନୁଷ୍ଠିତ ହେବାକୁ ଥିବା ସିରିଜରୁ ଶ୍ରୀଲଙ୍କା ଓହରି ଯାଇଛି।

ସୋମବାର ଶ୍ରୀଲଙ୍କା କ୍ରିକେଟ୍ ଖେଳାଳିମାନଙ୍କ ସହ ଏକ ବୈଠକ ଡକାଇଥିଲା। ଏଥିରେ ଟି-୨୦ ସ୍କିପର ଲସିଥ ମଲିଙ୍ଗା, ଡି. କରୁଣା ରତ୍ନେ ଓ ଆଞ୍ଜେଲୋ ମାଥ୍ୟୁସ୍ ପାକିସ୍ତାନରେ ଖେଳିବା ସୁରକ୍ଷିତ ନୁହେଁ କହି ଓହରିଯାଇଥିଲେ। ତାଙ୍କ ସହ ଆଉ ୧୦ ଜଣ ଖେଳାଳି ବି ପାକ୍ ଟୁରରେ ଯିବାକୁ ମନା କରିଦେଇଛନ୍ତି। ଫଳରେ  ସେପ୍ଚେମ୍ବର ୨୭ରୁ ଆରମ୍ଭ ହେବାକୁ ଯାଉଥିବା ପାକ୍-ଶ୍ରୀଲଙ୍କା ଦ୍ୱିପାକ୍ଷୀକ ସିରିଜ୍ ରୁ ଓହରି ଯାଇଥିବା ଶ୍ରୀଲଙ୍କା କ୍ରିକେଟ ଘୋଷଣା କରିଛି।

ଅକ୍ଟୋବର ୯ ତାରିଖ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ଏହି ସିରିଜରେ ୩ଟି ଅନ୍ତର୍ଜାତୀୟ ଏକଦିବସୀୟ ସାଙ୍ଗକୁ ସମ ସଂଖ୍ୟକ ଟି-୨୦ ସିରିଜ୍ ଖେଳିଥାନ୍ତା। ହେଲେ ଖେଳାଳିମାନେ ପାକିସ୍ତାନ ଯିବାକୁ ରାଜି ହେଉନଥିବାରୁ ଶ୍ରୀଲଙ୍କ କ୍ରିକେଟ ସିରିଜରୁ ଓହରି ଯିବାକୁ ବାଧ୍ୟ ହୋଇଛି। ୨୦୦୯ ମସିହାରେ ଶ୍ରୀଲଙ୍କ ଟିମ୍ କ୍ରିକେଟ ଖେଳିବାକୁ ପାକିସ୍ତାନ ଯାଇଥିଲା। ତେବେ ଲାହୋରରେ କ୍ରିକେଟରଙ୍କ ବସ୍ ଉପରକୁ ଆତଙ୍କବାଦୀଙ୍କ ଆଖିବୁଜା ଗୁଳିମାଡରେ କେତେକ ଖେଳାଳି ଆହତ ହୋଇଥିଲେ। ସେବେଠାରୁ ପାକିସ୍ତାନରେ ଅନ୍ତର୍ଜାତୀୟ କ୍ରିକେଟ ବନ୍ଦ ହୋଇଯାଇଛି।