Odiapua.com

ବାଡି ନୃସିଂହଙ୍କ ନଗର ବିଜେ

ପୁରୀ, ୨୮/୩ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ)- ଜଗନ୍ନାଥ ସଂସ୍କୃତି ଅନନ୍ୟ। ଶ୍ରୀମନ୍ଦିରରେ ରହିଛି ସବୁ ମାନବିକ ଜୀବନ ଜଡିତ ପରମ୍ପରା। ମାନବ ସମାଜପ୍ରତି ଘଟୁଥିବା ପ୍ରତିଟି ବିପତି ସହିତ ଯୋଡି ହୋଇଛି। ମହାପ୍ରଭୁଙ୍କର ନୀତିକାନ୍ତି ଓ ପରମ୍ପରା। ମହାମାରୀକୁ ପ୍ରତିହତ କରିବା ପାଇଁ ଶ୍ରୀମନ୍ଦିରେ ରହିଛି ଏକ ଅନନ୍ୟ ପରମ୍ପରା ବାଡି ନୃସିଂହ ବିଜେ। ପ୍ରତିବର୍ଷ ଚୈତ୍ରମାସ ଚତୁର୍ଥ ତିଥିରେ ଶ୍ରୀମନ୍ଦିରର ବାଡି ନୃସିଂହ ନଗରକୁ ବିଜେ କରିଥାନ୍ତି। ବାଡିନୃସିଂହ ଶ୍ରୀମନ୍ଦିର ଦକ୍ଷିଣୀଘରୁ ବାହାରି ନଗର ପରିକ୍ରମା କରି ଶ୍ରୀକ୍ଷେତ୍ରରେ ଥିବା ଚାରିଆଶ୍ରମ ଅଙ୍ଗୀରା, ଭୃଗୁ ମାର୍କେଣ୍ଡୟ ଓ ପଣ୍ଡୁ ଆଶ୍ରମକୁ ବିଜେ କରି ଜଗତ କଲ୍ୟାଣ କରିଥାନ୍ତି। ପରେ ବିଭିନ୍ନ ସାହି ଛକରେ ଠାକୁରଙ୍କର ପନ୍ତି ଭୋଗ ହୋଇଥାଏ। ବାଡିନୃସିଂହ ବିଜେ ପରେ ମହାମାରୀ ଆୟତ ହୋଇଥାଏ ବୋଲି ବିଶ୍ୱାସ ରହିଛି। ବାଡିନୃସିଂହ ବିଜେ ପରମ୍ପରାର ଏକ ମହତ୍ୱ ଉଦ୍ଦେଶ୍ୟ ରହିଛି। ଯେତେବେଳେ ମରନବ ସମାଜକୁ ମହାମାରୀଗ୍ରାସ କରେ ସେତେବେଳେ ସ୍ୱୟଂ ମହାପ୍ରଭୁ ବିଜେକରି ଏହାର ନିରାକରଣ କରିଥାନ୍ତି। ମହାପ୍ରଭୁ ବିଜେ କରିବା ପରେ ମହାମାରୀ ଭଲ ହେବବୋଲି ବିଶ୍ୱାସ ରହିଥିବା କହିଛନ୍ତି ଗବେଷକ ଡଃ ନରେଶଚନ୍ଦ୍ର ଦାସ। ଡଃ ଦାସଙ୍କ ସୂଚନା ହେଲା ଏକଦା ଶ୍ରୀକ୍ଷେତ୍ର ଓ ଅନ୍ୟ ପ୍ରାନ୍ତରେ ହଇଜା ବା ବାଡି ବ୍ୟାପିଥିଲା। ୧୯୦୩ରୁ ୧୯୦୫ ମସିହାରେ ଏହା ଅଣାୟତ ହୋଇପଡିଥିଲା। ପୋକମାଛି ଭଳି ଲୋକ ମରୁଥିଲେ। ମନ୍ଦିର ମ୍ୟାନେଜର ରାଜକିଶୋର ରାୟ ପଣ୍ଡିତମାନଙ୍କୁ ଡକାଇ ଏହାର ନିରାକରଣ ପାଇଁ ମହାପ୍ରଭୁଙ୍କ ଶରଣକୁ ଯିବାକୁ ହେବବୋଲି କହିଥିଲେ। ସେହିବର୍ଷ ଶ୍ରୀମନ୍ଦିରରେ ବାଡିନୃସିଂହ ବିଜେ ନୀତି ଆରମ୍ଭ ହୋଇଥିଲା। ମହାପ୍ରଭୁ ବାଡିନୃସିଂହ ଭାବେ ନଗରକୁ ବିଜେ କରିବା ପରେ ସମଗ୍ର ପ୍ରାନ୍ତରେ ମହାମାରୀ ଭଲ ହୋଇଥିଲା। ସେହି ସ୍ମୃତିରେ ଆଜିବି ଏହି ପରମ୍ପରା ପାଳିତ ହେଉଛି। ଏବେ ହଇଜା ନାହିଁ ବାଡି ନୃସିଂହ କରୋନା ରୋଗର ପ୍ରତିହତ କରିବେ ବୋଲି ବିଶ୍ୱାସ ରଖିବାକୁ ହେବ ବୋଲି ଡଃ ଦାସ କହିଛନ୍ତି।