Odiapua.com

ବାଟ ହୁଡୁଛି ସର୍ବଶିକ୍ଷା ଅଭିଯାନ : ସ୍କୁଲ ଘର ନଥିବାରୁ ଗାଁ କୋଠ ଘରେ ପାଠ ପଢୁଛନ୍ତି ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ

କୋଦଳା :୨୫/୦୭ (ଓଡ଼ିଆ ପୁଅ/ସୁଶାନ୍ତ କୁମାର ପଟ୍ଟନାୟକ) ରାଜ୍ୟ ସରକାର ସର୍ବ ଶିକ୍ଷା ଅଭିଯାନ ମାଧ୍ୟମରେ ପ୍ରାଥମିକ ଠାରୁ ଆରମ୍ଭ କରି ଉଚ୍ଚ ଶିକ୍ଷା ପର୍ଯ୍ୟନ୍ତ ମାଗଣାରେ ଶିକ୍ଷା ଉପଲବ୍ଧ କରୁଛନ୍ତି।ଏନେଇ ପ୍ରତି ଗାଁ ରେ ଭିତ୍ତିଭୂମିର ବିକାଶ ପାଇଁ ପାଣ୍ଠି ବରାଦ ସହ ସ୍କୁଲ ଘର ନିର୍ମାଣ କରାଯାଉଥିବା ବେଳେ ଗଂଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକର ଚନ୍ଦନପୁର ପଞ୍ଚାୟତ ତୋଟାପୋଡା ଗ୍ରାମରେ ସ୍କୁଲ ଘର ନଥିବାରୁ ଗ୍ରାମର କୋଠଘରେ ୨ ବର୍ଷ ରୁ ଅଧିକ ସମୟ ଧରି ଅତି ଦୟନୀୟ ଅବସ୍ଥାରେ ୩୫ ଜଣ ଛାତ୍ରଛାତ୍ରୀ ପାଠ ପଢୁଛନ୍ତି। ଏନେଇ ଅନେକ ସମୟରେ ବିଭିନ୍ନ ଖବରକାଗଜରେ ପ୍ରକାଶ ପାଇଥିଲେ ମଧ୍ୟ ଏଯାଏଁ କୌଣସି ସୁଫଳ ମିଳୁନାହିଁ।ପ୍ରବଳ ଗୁଳୁଗୁଳି ରେ ପିଲାମାନଙ୍କ ଅସ୍ବାଭାବିକ ପରିସ୍ଥିତି ସୃଷ୍ଟି ହେଉଛି। ପୂର୍ବରୁ ଗ୍ରାମରେ ଥିବା ପୁରୁଣା ସ୍କୁଲ ଗୃହ ଫାଟି ଭାଗିଂ ଯାଇଥିବା ବେଳେ ଏହି କୋଠାକୁ ବିପଦ ସଂକୁଳ ଦର୍ଶାଇ ବନ୍ଦ କରି ଦିଆଯାଇଥିଲା।ଏହାପର ଠାରୁ ପିଲାମାନଙ୍କୁ ଗ୍ରାମର କୋଠଘରେ ପାଠ ପଢା ଯାଉଥିବା ବେଳେ ଭଂଗା ଚାଳ କୁଡିଆ କରି ସ୍କୁଲର ମଧ୍ୟାହ୍ନ ଭୋଜନ ରୋଷେଇ କରାଯାଉଥିବା ଦେଖିବାକୁ ମିଳିଛି।ତେବେ ନୂତନ କୋଠା ନିର୍ମାଣ ହେଉ ନଥିବାରୁ ଏବଂ ନିର୍ମାଣ ପାଇଁ ପାଣ୍ଠି ବରାଦ ହୋଇଥିଲେ ମଧ୍ୟ ଗ୍ରାମବାସୀ ଓ ପ୍ରଶାସନର ତାଳମେଳର ଅଭାବରୁ ଯାଗା ଚିହ୍ନଟରେ ସମୟ ବିତୁଛି। ତେବେ ବର୍ତ୍ତମାନ ପୁରୁଣା ସ୍କୁଲ ସ୍ଥାନରେ ହିଁ ନୂତନ କୋଠା ନିର୍ମାଣ କରାଯିବାକୁ ସ୍ଥିର ହୋଇଛି ବୋଲି ବିଦ୍ୟାଳୟର ସିଆରସିସି କୃଷ୍ଣ ଚନ୍ଦ୍ର ଦୋରା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସର୍ବଶିକ୍ଷା ଅଭିଯାନରେ ପାଣ୍ଠିର ଅଭାବ ନଥିବା କଥା କୁହାଯାଉଥିବା ବେଳେ ସରକାରୀ ବିଦ୍ୟାଳୟରେ ଘର ନଥିବାରୁ କୋଠ ଘରେ ପାଢ ପଢୁଥିବା ଘଟଣାର ଦୀର୍ଘ ବର୍ଷ ବିତୁଥିବା ବେଳେ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ନିଆ ନଯିବା ନେଇ ମଧ୍ୟ ପ୍ରଶ୍ନ ଉଠୁଛି।ଏନେଇ ଜିଲ୍ଲା ସର୍ବଶିକ୍ଷା ଅଭିଯାନ ମୁଖ୍ୟ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହୋଇଛି।