Odiapua.com

ବାଟାଗୁଡ଼ା ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ଝୁଲୁଛି ତାଲା:ଏଏନଏମଙ୍କ ଅନୁପସ୍ଥିତ ଅଭିଯୋଗ :ଆଶା ଦିଦିଙ୍କ ଭରଷାରେ ଚାଲିଛି : ପ୍ରସୂତି ଓ ରୋଗୀ ହନ୍ତସନ୍ତ

ବାଲିଗୁଡ଼ା, ୧୫/୧୦-(ଓଡ଼ିଆ ପୁଅ/ସଞ୍ଜୟ କୁମାର ପାଣିଗ୍ରାହୀ):ଅଧିକାଂଶ ସମୟରେ ତାଲା ଝୁଲୁଛି ଉପ ସ୍ବାସ୍ଥ୍ୟକେନ୍ଦ୍ରରେ। ଫଳରେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ରହିବା ସହ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ପଞ୍ଚାୟତବାସୀ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଟାଗୁଡ଼ାରୁ ଆସିଛି ଏଭଳି ଅଭିଯୋଗ। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅନ୍ତର୍ଗତ ବାଟାଗୁଡ଼ା ପଞ୍ଚାୟତ, ୫୯ନଂ- ଜାତୀୟ ରାଜପଥ କଡ଼ରେ ରହିଛି ଏହି ଉପ ସ୍ବାସ୍ଥ୍ୟକେନ୍ଦ୍ର। ପଞ୍ଚାୟତର ପ୍ରାୟ ଛଅ (୬)ହଜାର ଲୋକେ ଏହି ଉପ ସ୍ବାସ୍ଥ୍ୟକେନ୍ଦ୍ର ଉପରେ ନିର୍ଭର କରିଥାନ୍ତି। କିନ୍ତୁ ୫୯ନଂ ଜାତୀୟ ରାଜପଥ କଡ଼ରେ ଥାଇ ମଧ୍ୟ ଅଧିକାଂଶ ସମୟରେ ଉପ ସ୍ବାସ୍ଥ୍ୟକେନ୍ଦ୍ରରେ ତାଲା ଝୁଲୁଥିବା ଦେଖିବାକୁ ମିଳୁଛି। ଫଳରେ ସ୍ବାସ୍ଥ୍ୟସେବାରୁ ବଞ୍ଚିତ ରହୁଛନ୍ତି ଅଞ୍ଚଳବାସୀ। ଅନ୍ୟପଟେ ଏହି ଉପସ୍ୱାସ୍ଥ୍ୟ କେନ୍ଦ୍ରରେ ନିୟୋଜିତ ଏଏନ୍ଏମ୍ ସେଠାରେ ରହୁନଥିବା ସହ ସ୍ବାସ୍ଥ୍ୟକେନ୍ଦ୍ର ବନ୍ଦ ରହୁଛି ଏବଂ ରୋଗୀ ହନ୍ତସନ୍ତ ହେଉଥିବା ଅଭିଯୋଗ କରିଛନ୍ତି ଅଞ୍ଚଳବାସୀ। ଅଞ୍ଚଳରେ ଅଧିକାଂଶ ଲୋକେ ଆଦିବାସୀ ବର୍ଗର ହୋଇଥିବାବେଳେ ବିଶେଷ କରି ପ୍ରସୂତି ମହିଳା ମାନେ ମଧ୍ୟ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଗୋଟିଏ ପଟେ ଆଶା ଦିଦିଙ୍କ ଭରସାରେ ସ୍ବାସ୍ଥ୍ୟକେନ୍ଦ୍ର ଚାଲିଥିବା ଅଞ୍ଚଳବାସୀ କହିଛନ୍ତି। ସେପଟେ ଆଗରୁ ମଧ୍ୟ ଏଭଳି ଅଭିଯୋଗ ଆସିଛି, ସମ୍ପୃକ୍ତ ଏଏନଏମ ବର୍ତ୍ତମାନ ସେଠାରେ ରହୁଥିବା କହୁଥିଲେ। ଯଦି ପୁଣି ଏଭଳି ଅଭିଯୋଗ ହେଉଛି ମୁଁ ବୁଝିବି ବୋଲି କହିଛନ୍ତି ମେଡିକାଲ୍ ଅଧିକାରୀ ଡ଼ଃ-ଅଭିନନ୍ଦନ। ବିଭାଗୀୟ ଅଧିକାରୀ ଏଥିପ୍ରତି ଦୃଷ୍ଟି ଦେଇ ଯଥାଶୀଘ୍ର ସମସ୍ୟାର ସମାଧାନ କଲେ ଅଞ୍ଚଳବାସୀ ଉପଯୁକ୍ତ ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ଆଶା କରାଯାଉଛି।