ଭଦ୍ରକ, ୭ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ଧାମନଗର ଥାନା ଅଧୀନ ଦଳାଙ୍ଗ ପଂଚାୟତର ବାଘୁଆରି ଗ୍ରାମରେ ଥିବା ଏୟାରଟେଲ ମୋବାଇଲ ଟାୱାର ପୁଣି ଥରେ ଚୋରଙ୍କ ନିଶାନା ପାଲଟିଛି। ଗତ ବିଳମ୍ବିତ ରାତିରେ ଦୁର୍ବୃତମାନେ ଟାୱାର ପରିସରରେ ପଶି ବ୍ୟାଟେରୀ ସମେତ ଅନ୍ୟାନ୍ୟ ମୂଲ୍ୟବାନ ଯନ୍ତ୍ରାଂଶ ଚୋରି କରି ଫେରାର ହୋଇଯାଇଛନ୍ତି। ସକାଳେ ଟାୱାରର ରକ୍ଷଣାବେକ୍ଷଣ କାମରେ ନିୟୋଜିତ କର୍ମଚାରୀ ଘଟଣା ସମ୍ପର୍କରେ ଜାଣିବା ପରେ ଟାୱାରର ଟେକ୍ନିସିଆନ ପ୍ରିୟବ୍ରତ ନାୟକ ଧାମନଗର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୋଗ ଅନୁଯାୟୀ, ଉକ୍ତ ଏୟାରଟେଲ ଟାୱାରରୁ ଏହାକୁ ମିଶାଇ ମୋଟ ୬ ଥର ଚୋରି ହୋଇଛି। ପୂର୍ବରୁ ମଧ୍ୟ ବ୍ୟାଟେରୀ ଓ ଅନ୍ୟାନ୍ୟ ବୈଦ୍ୟୁତିକ ଉପକରଣ ଚୋରି ହୋଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଧରିବାରେ ସଫଳତା ମିଳିନାହିଁ। ଫଳରେ ବାରମ୍ବାର ଏହି ଟାୱାରକୁ ଲକ୍ଷ୍ୟ କରି ଚୋରି ଘଟୁଥିବାରୁ ଟାୱାରର ସୁରକ୍ଷା ବ୍ୟବସ୍ଥାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି। ସ୍ଥାନୀୟ ଲୋକଙ୍କ କହିବାନୁସାରେ, ଟାୱାରରେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ନଥିବାରୁ ଦୁର୍ବୃତମାନେ ବାରମ୍ବାର ସୁଯୋଗ ପାଉଛନ୍ତି। ଏଭଳି ଘଟଣା ଯୋଗୁଁ ମୋବାଇଲ ନେଟୱର୍କ ସେବା ବ୍ୟାହତ ହେବା ସହ ଗ୍ରାହକମାନେ ଅସୁବିଧାର ସମ୍ମୁଖୀନ ହେବାର ଆଶଙ୍କା ରହିଛି। ବିଶେଷକରି ଜରୁରୀ ସମୟରେ ଯୋଗାଯୋଗ ବ୍ୟବସ୍ଥା ପ୍ରଭାବିତ ହେଲେ ସାଧାରଣ ଲୋକଙ୍କ ସମସ୍ୟା ବଢ଼ିପାରେ ବୋଲି ସେମାନେ କହିଛନ୍ତି। ବାରମ୍ବାର ଚୋରି ସତ୍ୱେ ଦୁର୍ବୃତମାନଙ୍କ ଉପରେ ଅଙ୍କୁଶ ଲାଗିନଥିବାରୁ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି। ଚୋରିରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଶୀଘ୍ର ଗିରଫ କରିବା ସହ ଟାୱାରରେ ସିସିଟିଭି କ୍ୟାମେରା, ଉନ୍ନତ ସୁରକ୍ଷା ବ୍ୟବସ୍ଥା ଓ ନିୟମିତ ରାତ୍ରିକାଳୀନ ପହରାର ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଓ ସ୍ଥାନୀୟ ଜନପ୍ରତିନିଧିମାନେ ଦାବି କରିଛନ୍ତି। ପୁଲିସ ପକ୍ଷରୁ ଘଟଣାର ସମସ୍ତ ଦିଗକୁ ନେଇ ତଦନ୍ତ ଚାଲିଥିବା ଜଣାପଡ଼ିଛି।