Odiapua.com

ବାଇପାସ୍ ଛକରେ ସ୍ଥାପନ ହେବ କାନ୍ତକବିଙ୍କ ପ୍ରତିମୂର୍ତ୍ତି ଓ ଉଦ୍ୟାନ

ଭଦ୍ରକ, ୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମାଟିର ମହକ ତଥା ଓଡ଼ିଶାର ଗର୍ବ ଓ ଗୌରବ, ରାଜ୍ୟ ସଂଗୀତର ରଚୟିତା କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ରଙ୍କ ପ୍ରତିମୂର୍ତ୍ତି ସ୍ଥାପନା ପାଇଁ ଆଜି ସ୍ଥାନ ପରିଦର୍ଶନ କରିଛନ୍ତି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଓ ଜିଲା ପ୍ରଶାସନ । ଆଗାମୀ ୧୦ ଦିନରେ କାମ ଆରମ୍ଭ ହୋଇ ଯଥାଶୀଘ୍ର ନୂତନ ପ୍ରତିମୂର୍ତ୍ତି ସ୍ଥାପନ ସହ ପାର୍କ ଓ ଏଲିଡି ଲାଇଟ୍‌ରେ ବ୍ୟବସ୍ଥା କରାଯିବା ସହ ସାତଦିନ ମଧ୍ୟରେ ୩ଟି ହୋଡିଙ୍ଗ ଲାଗିବ ବୋଲି କହିଛନ୍ତି ବିଧାୟକ । କଟକର ଏକ ଆର୍କିଟେକ୍ ସଂସ୍ଥାର ଯନ୍ତ୍ରୀଙ୍କ ଉପସ୍ଥିତିରେ ଭଦ୍ରକ ସହର ବାଇପାସ୍ ଛକରେ ସ୍ନାନ ପରିଦର୍ଶନ କରିବା ସହ କାନ୍ତକବିଙ୍କ ପ୍ରତିମୂର୍ତ୍ତି ସ୍ଥାପନ ନେଇ ଆଲୋଚନା କରିଥିଲେ ବିଧାୟକ । ଏହି ସମୟରେ ଭଦ୍ରକ ତହସିଲଦାର, ପୌରପାଳିକା ନିର୍ବାହୀ ଯନ୍ତ୍ରୀ ପ୍ରତିମୂର୍ତ୍ତି ସ୍ଥାପନା ଦାବି ଉଠାଇଥିବା କାନ୍ତକବି ମଂଚ ଆବାହକ ଲକ୍ଷ୍ମୀଧର ବିଶ୍ୱାଳ, ସଂଯୋଜକ ସୁଦାମ ଭୂଇଁ, ପ୍ରକାଶ ସ୍ୱାଇଁ ଓ କାନ୍ତକବିଙ୍କ ନାତି ଉମାକଲ୍ୟାଣ ମହାପାତ୍ର ଓ ପୂର୍ବତନ ଜିଲାପରିଷଦ ଅଧ୍ୟକ୍ଷ ଉପସ୍ଥିତ ଥିଲେ । ନିରୂପଣ ସ୍ଥାନର ୩ଟି ମ୍ୟାପ୍ ପ୍ରସ୍ତୁତ କରାଯାଇ ଖୁବଶୀଘ୍ର କାନ୍ତକବିଙ୍କୁ ଯଥୋଚିତ ସମ୍ମାନ ଦେବାର ବ୍ୟବସ୍ଥା ହେବ । ଅନ୍ୟପଟେ ବିଧାୟକ ଓ ଜିଲା ପ୍ରଶାସନର ଏଭଳି ପଦକ୍ଷେପକୁ ସ୍ୱାଗତ କରିବା ସହ ମୂର୍ତ୍ତି କାର୍ଯ୍ୟ ଖୁବ୍ ଶୀଘ୍ର ସାରିବାକୁ କାନ୍ତକବି ମଂଚ ପକ୍ଷରୁ ଦାବି କରାଯାଇଛି । ରାସ୍ତା ସଂପ୍ରସାରଣ ନାମରେ ଦୀର୍ଘ ଦୁଇବର୍ଷ ହେବ କାନ୍ତକବିଙ୍କ ପ୍ରତିମୂର୍ତ୍ତିକୁ ହଟାଯାଇ ପୁନଃ ପ୍ରତିଷ୍ଠା କରାଯାଇନଥିଲା । ଯାହାଫଳରେ ବିଭିନ୍ନ ସମୟରେ ଏହାକୁ ନେଇ ଅସନ୍ତୋଷ ଦେଖାଯାଉଥିଲା । କିଛିଦିନ ତଳେ କାନ୍ତକବି ମଂଚ ଏନେଇ ବାରମ୍ବାର ସ୍ୱର ଉଠାଇବା ସହ ଧାରଣା ଦେଇଥିଲା । ହେଲେ ଏନେଇ ଜିଲା ପ୍ରଶାସନର ନିଦ ଭାଙ୍ଗିନଥିଲା । ଜିଲା ନୁହେଁ ରାଜ୍ୟ ପାଇଁ ଖୁସିର ଖବର ସ୍ଥାନୀୟ ବିଧାୟକ ସଂଜୀବ ମଲ୍ଲିକ ନିଜ ତରଫରୁ ଏନେଇ ଉଦ୍ୟମ କରି କାନ୍ତକବିଙ୍କ ପ୍ରତିମୂର୍ତ୍ତି ତୁରନ୍ତ ସ୍ଥାପନ ଓ ଅନ୍ୟ ଦାବି ଗୁଡିକ ପ୍ରତି ଗୁରୁତ୍ୱ ଦେଇଥିଲେ । କାନ୍ତକବି ମଂଚର କର୍ମକର୍ତ୍ତା, ଜିଲା ପ୍ରଶାସନକୁ ସାଥୀରେ ନେଇ ବିଧାୟକ ବାଇପାସ୍ ଛକରେ ଯେଉଁ ସ୍ଥାନରେ କାନ୍ତକବିଙ୍କ ମୂର୍ତ୍ତି ସ୍ଥାପନା ହେବା ସହ ପାର୍କ, ଲାଇଟ୍ ଦ୍ୱାରା ସୌନ୍ଦର୍ଯ୍ୟକରଣ ହେବ ସେଇ ସ୍ଥାନ ପରିଦର୍ଶନ କରିଥିଲେ ।