Odiapua.com

ବାଇକ ଲୁଟେରା ଗ୍ୟାଙ୍ଗର ଚାରି ଅଭିଯୁକ୍ତ ଗିରଫ

ବଲାଙ୍ଗୀର,୨୧-୦୬, (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ଅନ୍ତର୍ଗତ କଣ୍ଟାବାଞ୍ଜି ପୋଲିସ ଏକ ବାଇକ ଲୁଟେରା ଗ୍ୟାଙ୍ଗ କୁ ଠାଵ କରିଥିବା ଜଣାପଡ଼ିଛି। ପ୍ରକାଶ ଯେ, ଏକ ନିର୍ଦ୍ଦିଷ୍ଟ ଦଳ କରି ଏହି ବାଇକ ଲୁଟେରା ଗ୍ୟାଙ୍ଗ ଗଠନ କରି ଯୋଜନାବଦ୍ଧ ଭାବେ ଗାଡି ଲୂଟ କରିବା ସହ ନାମି, ଦାମି ଗାଡି ଚୋରୀ କରି ଫେରାର ହୋଇଯାଉଥିଲେ। ଦୀର୍ଘ ଦିନ ଧରି ଏମାନେ ବଲାଙ୍ଗୀର, ସଇଁତଲା, ପାଟଣାଗଡ଼, ଟିଟିଲାଗଡ଼, ବେଲପଡା, ବଙ୍ଗୋମୁଣ୍ଡା, କଣ୍ଟାବାଞ୍ଜି ଆଦି ଅଞ୍ଚଳରେ ବୁଲି, ବୁଲି ସୁଯୋଗ ଦେଖି ବିଭିନ୍ନ ପ୍ରକାର ବାଇକ ଚୋରି କରୁଥିଲେ। ଏପରି କି ଉକ୍ତ ନୂତନ, ପୁରାତନ ବାଇକ ଚୋରି କରି ଆଣି କଣ୍ଟାବାଞ୍ଜି ର ଜଣେ ବ୍ୟବସାୟୀ ଙ୍କୁ ବିକ୍ରି କରି ଦେଉଥିଲେ। ଦୀର୍ଘ ଦିନ ଧରି ଲୁଟ କରୁଥିବା ଏହି ବାଇକ ଲୁଟେରା ଗ୍ୟାଙ୍ଗ ବେଲପଡା ରାସ୍ତାରେ ଗୋଟିଏ ଜାଗାରେ ଛପି ରହିଥିବା ବେଳେ କଣ୍ଟାବାଞ୍ଜି ପୋଲିସ ପେଟ୍ରୋଲିଂ କରୁଥିବା ସମୟରେ ଉକ୍ତ ଚୋରମାନଙ୍କୁ ଗିରଫ କରିଛି। ତେବେ ଚୋରମାନେ ପୋଲିସକୁ ଦେଖି ଫେରାର ହେବାକୁ ଉଦ୍ୟମ କରିଥିବାବେଳେ ପୋଲିସ ସେମାନଙ୍କୁ କାବୁ କରିବାରେ ସଫଳ ହୋଇଥିଲା। ସମସ୍ତଙ୍କୁ ଥାନାରେ ଅଟକ ରଖି ତଦନ୍ତ ଜାରି ରଖିଥିବା ବେଳେ, ସେମାନଙ୍କ ପାଖରୁ ୩ ଗୋଟି ଚୋରି ବାଇକ ସହ ୪ ଜଣକୁ ଗିରଫ କରାଯାଇଛି।ଗିରଫ ଅଭିଯୁକ୍ତ ହେଲେ ବେଲପଡା ଥାନା ମୁଡ଼ାଗାଁର ରାଜକିଶୋର ମହାନନ୍ଦ, କଣ୍ଟାବାଞ୍ଜିର ରୋହିତ ପାଣ୍ଡେ, ପ୍ରେମ ବେହେରା, ମନୋଜ ମେହେର। ଏହି ଅଭିଯୁକ୍ତ ଙ୍କ ସହ ଥିବା ଅନ୍ୟ କେତେକ ସହଯୋଗୀ ଓ ସେମାନେ ଚୋରି ବାଇକ ବିକ୍ରି କରୁଥିବା ଉକ୍ତ ବ୍ୟବସାୟୀ ଫେରାର ଥିବା ବେଳେ ଅଧିକ ତଦନ୍ତ ଜାରି ଥିବା ପ୍ରକାଶ ପାଇଛି। ଏହାସହ ପୂର୍ବରୁ ଗିରଫ ଅଭିଯୁକ୍ତ ମାନଙ୍କ ନାମରେ ଥାନାରେ ଏକାଧିକ ମାମଲା ଥିବା ଜଣାଯାଇଛି। ଅନେକ ସଂଖ୍ୟକ ବାଇକ ଚୋରି କରିଆସୁଛନ୍ତି ବୋଲି ସେମାନେ ସ୍ବୀକାର କରିଥିବା ବେଳେ ପୋଲିସ ଅଧିକ ତଦନ୍ତ ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନିମନ୍ତେ ଦାବି ପ୍ରକାଶ ପାଇଛି।