ଭଦ୍ରକ, ୩ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବାଇକ ଦୁର୍ଘଟଣାରେ ଦୁଇଜଣ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛି । ପ୍ରକାଶ ଯେ, ଧାମନଗର ବ୍ଲକ ଭଟ୍ଟସାହି ଗ୍ରାମର ବଳରାମ ମହାଳିକଙ୍କ ପୁଅ ଦୀପ୍ତିରଂଜନ ମହାଳିକ(୨୪) ଓ ତାଙ୍କ ସାଙ୍ଗ ମଣ୍ଟୁ ମହାଳିକ ଦୁହେଁ ବାଇକରେ ଆଜି ଭଦ୍ରକ ଯାଉଥିଲେ । ଭଦ୍ରକ-ଆଖଣ୍ଡଳମଣି ରାସ୍ତାର ସାତଭଉଣୀ ନିକଟରେ ଅନ୍ୟ ଏକ ବାଇକ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳେ ଦୁହେଁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ଭଦ୍ରକ ପରେ କଟକକୁ ସ୍ଥାନାନ୍ତରିତ କରାଯାଇଥିଲା । କଟକରେ ଦୀପ୍ତିରଂଜନଙ୍କ ମୃତ୍ୟୁ ଘଟିଛି । ମଣ୍ଟୁ ସଂକଟାପନ୍ନ ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ସେହିପରି ଧୁଷୁରୀ ଥାନା ସାଅଁଳପୁର ଗ୍ରାମର ସୂର୍ଯ୍ୟକାନ୍ତ ପ୍ରଧାନଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀ ପ୍ରଧାନ (୪୦) ଗତକାଲି ତାଙ୍କ ଭଣଜା ବାଇକରେ ବସି ଭଦ୍ରକ ଯାଉଥିଲେ । ଧୁଷୁରୀ ନିକଟସ୍ଥ ଜଗନ୍ନାଥସାହି ଛକ ନିକଟରେ ଜ୍ୟୋତ୍ସ୍ନାରାଣୀ ବାଇକରୁ ତଳକୁ ଖସି ପଡିଥିଲେ । ତଳେ ପଡି ସେ ଗୁରୁତର ହେବାରୁ ତାଙ୍କୁ ଭଦ୍ରକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଗତକାଲି ବିଳମ୍ବିତ ରାତିରେ ତାଙ୍କ ମୃତ୍ୟୁ ଘଟିଛି । ଖବରପାଇ ଧୁଷୁରୀ ପୁଲିସ ଘଟଣାସ୍ଥଳେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ କରାଇବା ସହିତ ଥାନାରେ ଏକ ମାମଲା କେଶ ନଂ-୧୬୫/୨୦ ମାମଲା ରୁଜୁ କରିଛି । ପୁଲିସ ଦୁର୍ଘଟଣାଗ୍ରସ୍ତ ବାଇକଟିକୁ ମଧ୍ୟ ଜବତ କରିଛି ।