Odiapua.com

ବାଇକ୍ ମଧ୍ୟରେ କୁକୁର ପଶିଯିବାରୁ ଆରୋହୀ ଗୁରୁତର, ସାଥିରେ ଥିବା ମହିଳା ଆହାତ

ହରିଚନ୍ଦନପୁର, ତା ୧୨ ସେପ୍ଟେମ୍ବର (ଓଡ଼ିଆ ପୁଅ ପ୍ରେମାନନ୍ଦ ଦାସ) କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ନିକଟସ୍ଥ କଲେଜ ଛକ ନିକଟରେ ବାଇକ୍ ମଧ୍ୟରେ କୁକୁର ପଶିଯିବା କାରଣରୁ ଆରୋହୀ ଗୁରୁତର ହୋଇଥିବା ବେଳେ ସାଥିରେ ଥିବା ମହିଳା ଆହାତ ହୋଇଛନ୍ତି । ଖବର ଅନୁଯାୟୀ ଆଜି ଅପରାହ୍ନ ସମୟରେ ହରିଚନ୍ଦନପୁର ନିକଟସ୍ଥ ହାତିଆନାଳୀ ଗ୍ରାମର ମିତା ମୁଣ୍ଡା ସମ୍ପର୍କୀୟ ଭାଇ ନିଳମଣୀ ମୁଣ୍ଡାଙ୍କ ସହ ବାପଘର ପଣ୍ଡାପଡାକୁ ବାଇକ୍ ଯୋଗେ ଯାଉଥିଲେ । କଲେଜ ଛକ ନିକଟରେ ଅଚାନକ ଏକ ବୁଲା କୁକୁର ଦୌଡ଼ି ଆସି ବାଇକ୍ ମଧ୍ୟରେ ପଶିଯିବା ଫଳରେ ଘଟଣାସ୍ଥଳରେ ବାଇକଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ବାଇକ୍ ଆରୋହୀଙ୍କ ସହ ସାଥିରେ ଥିବା ମହିଳା ଜଣଙ୍କ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ନିକଟରେ ଥିବା ଯୁବକମାନେ ହରିଚନ୍ଦନପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ନିଳମଣୀଙ୍କୁ ସ୍ବାସ୍ଥ୍ୟ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଅଧିକ ଚିକିତ୍ସା ନିମନ୍ତେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।