Odiapua.com

ବାଂଶଡା ପୋଲରେ ୭ଲକ୍ଷ ବ୍ୟୟ ଅଟକଳରେ ମଧ୍ୟ ଆଲୋକୀକରଣ ନୋହିଲା, ପିଣ୍ଡି ନିର୍ମାଣ କରି ଠିକାଦାର ଛୁ, ବିଡିଓ ଙ୍କ ପାଖରେ ଖବର ନାହିଁ

ଭଦ୍ରକ, ୧୮ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ବାଂଶଡା ପୋଲ ନିର୍ମାଣର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ଏହି ପୋଲରେ ଆଲୋକୀକରଣ ହୋଇ ପାରିଲା ନାହିଁ। କେଉଁ ପରିସ୍ଥିତିରେ ସରକାରୀ ତହବିଲରୁ ୧୭ଲକ୍ଷ ଟଙ୍କା ବ୍ୟୟ ହୋଇଥିବା ବେଳେ ଆଜି ପର୍ଯ୍ୟନ୍ତ ଏହି ଆଲୋକୀକରଣ ଖୁଂଟ ମଧ୍ୟ ବସିପାରିଲା ନାହିଁ ତାହାର ବିଦ୍ଧିବଦ୍ଧ ତଦନ୍ତ କରିବାକୁ ବାଂଶଡା ପଂଚାୟତ ସରପଂଚ ପ୍ରଶାନ୍ତି ଦାସ ଭଦ୍ରକ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି। ପ୍ରାପ୍ତ ଖବରରୁ ପ୍ରକାଶ ଚାନ୍ଦବାଲି ପଂଚାୟତ ସମିତିରୁ ବାଂଶଡା ପୋଲର ଆଲୋକୀକରଣ ପାଇଁ ସିଜିଏଫ ଯୋଜନାରେ ୭ଲକ୍ଷ ୧୭ହଜାର ୬୨୨ଟଙ୍କା ବ୍ୟୟ ଅଟକଳ ହୋଇଛି ବୋଲି ଏକ ବିଦ୍ୟୁତ ଖୁଂଟରେ ଥିବା ସୁଚନା ଫଳକ ଲଗାଯାଇଛି। ଦୀର୍ଘ ୧ବର୍ଷ ହେବ ଏହି ସୁଚନା ଫଳକ ଲଗାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ କେବଳ ଏହି ଖୁଂଟ ବସାଯିବା ପାଇଁ ଢଳେଇ କାର୍ଯ୍ୟ କିଛି ମାତ୍ରାରେ ହୋଇଥିବା ବେଳେ ସଂପୃକ୍ତ ଠିକାଦାର ଆଜି ପର୍ଯ୍ୟନ୍ତ ଆଉ ଧରାଛୁଆଁ ଦେଉ ନାହାନ୍ତି ବୋଲି ଅଭିଯୋଗ ହୋଇଛି। ତୁରନ୍ତ ସଂପୃକ୍ତ ସ୍ଥାନରେ ଲାଇଟ ପୋଷ୍ଠ ଲଗାଯିବା ସହ ସଂପୃକ୍ତ ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟନୁଷ୍ଠାନ ନେବାକୁ ଦାବୀ ଜଣାଇଛନ୍ତି। ଅନ୍ୟ ପକ୍ଷରେ ଏହି କାର୍ଯ୍ୟ କାହିଁକି ଅମିମାଂସିତ ଭାବେ ରହିଯାଇଛି ବୋଲି ଚାନ୍ଦବାଲି ବିଡିଓ ଅସିତ ମହାନ୍ତିଙ୍କୁ ପଚାରିବାରୁ ସେ ଏହି ବିଷୟରେ ଅବଗତ ନାହାନ୍ତି ଏବଂ କେଉଁ ଫଣ୍ଡରେ ଏହି କାର୍ଯ୍ୟ ହେଉଛି ତାହା ମଧ୍ୟ ଜାଣି ନଥିବା କଥା କହିବା ସହ ତୁରନ୍ତ ଏ ବିଷୟରେ ଅନୁଧ୍ୟାନ କରି କାର୍ଯ୍ୟନୁଷ୍ଠାନ ନେବେ ବୋଲି ପ୍ରତିକ୍ରିୟା ରଖିଛନ୍ତି। ଏଠାରେ ସୁଚନା ଯୋଗ୍ୟ ଏହି ଆଲୋକୀକରଣ ପାଇଁ ଏପରି ଏକ ସ୍ଥାନରେ ଏହି ସୁଚନା ଫଳକ ଲଗାଯାଇଛି ଯେପରି କୌଣସି ଜନସାଧାରଣ ଏହି ସୁଚନା ଫଳକ ଦେଖି ନ ପାରିବେ ଅଥବା କୌଣସି ଅଭିଯୋଗ ଆଣି ନପାରିବେ ବୋଲି ସର୍ବସାଧାରଣରେ ଚର୍ଚା ଚାଲିଛି।