Odiapua.com

ବହୁ ପ୍ରତୀକ୍ଷାର ଅନ୍ତ ଘଟିଲା, ଖୋଲିଲା ମଣିନାଗ କଲ୍ୟାଣ ମଣ୍ଡପ ହେଲେ ହୋଇନି ବିଦ୍ୟୁତ ଓ ପାଣି ସଂଯୋଗ

ନୟାଗଡ଼ ୦୬/୦୪ (ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ନୟାଗଡ ଜିଲ୍ଲା ରଣପୁର ମଣିନାଗ ପର୍ଯ୍ୟଟନ ସ୍ଥଳୀରେ ୨୦୧୭ ମସିହାରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ହୋଇଥିଲା। ପୁର୍ବତନ ରାଜ୍ୟସଭା ସାଂସଦ ରବିନାରାୟଣ ମହାପାତ୍ର ଙ୍କ ପାଣ୍ଠିରୁ ୧ କୋଟି ଟଙ୍କା ବ୍ୟୟ ବିନିମୟରେ ନିର୍ମାଣ ହୋଇଥିଲା। କାର୍ଯ୍ୟାଦେଶ ରଣପୁର ବ୍ଲକ କନିଷ୍ଠ ଯନ୍ତ୍ରୀ ଙ୍କ ନାମରେ ଥାଇ ଯୋଗାଣକାରୀମାନେ କାର୍ଯ୍ୟ କରୁଥିଲେ। ବିଦ୍ୟୁତ ଓ ପାନୀୟ ଜଳ ସଂଯୋଗ ପାଇଁ ୨୦ ଲକ୍ଷ ଟଙ୍କା ବ୍ୟୟ ବରାଦ କରାଯାଇଥିଲା। ହେଲେ ନିର୍ମାଣ କାର୍ଯ୍ୟ ସରିଥିଲା। କଲ୍ୟାଣ ମଣ୍ଡପ ଭିତର ବିଦ୍ୟୁତିକରଣ କାର୍ଯ୍ୟ ସରିଥିଲା। କିନ୍ତୁ ସାମଗ୍ରୀ ଯୋଗାଣକାରୀ ଓ କାର୍ଯ୍ୟ କରିଥିବା ଲୋକମାନେ ସେମାନଙ୍କ ପ୍ରାପ୍ୟ ପାଇନଥିଲେ। ଫଳରେ ସେମାନେ ୪ ବର୍ଷହେଲା କଲ୍ୟାଣ ମଣ୍ଡପକୁ ତାଲା ପକାଇ ରଖିଥିଲେ। ଯାହାଫଳରେ କଲ୍ୟାଣ ମଣ୍ଡପ କାର୍ଯ୍ୟକାରୀ ନହୋଇ ଭୁତକୋଠି ପାଲଟି ଝରକା କବାଟ ରକ୍ଷଣା ବେକ୍ଷଣ ଅଭାବରୁ ଭଙ୍ଗାରୁଜା ଅବସ୍ଥା ହୋଇଯାଇଥିଲା।

ରଣପୁର ମଣ୍ଡଳ ଉନ୍ନୟନ ଅଧିକାରିଣୀ ଋତୁପର୍ଣ୍ଣା ମହାପାତ୍ର ହସ୍ତକ୍ଷେପ କରି କଲ୍ୟାଣ ମଣ୍ଡପ ତାଲା ଖୋଲି ନୂତନ ତାଲା ପକାଇ ରଣପୁର ବିଜ୍ଞାପିତ ଅଂଚଳ ପରିଷଦକୁ ଦାୟିତ୍ୱ ହସ୍ତାନ୍ତର କରିଥିବା ଜଣାପଡିଛି। ହେଲେ ପାନୀୟଜଳ ସଂଯୋଗ ବିଦ୍ୟୁତ ସଂଯୋଗ ହୋଇନଥିବା ଯୋଗୁଁ କଲ୍ୟାଣ ମଣ୍ଡପ କାର୍ଯ୍ୟକାରୀ ହେବା ନେଇ ପ୍ରଶ୍ନବାଚି ସୃଷ୍ଟି କରିଛି। ଏ ନେଇ ରଣପୁର ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷା ରଙ୍ଗିନ୍ ମହାନ୍ତି ଙ୍କୁ ଯୋଗାଯୋଗ କରିବାରେ କୁହନ୍ତି କଲ୍ୟାଣ ମଣ୍ଡପ ମଧ୍ୟରେ ପାନୀୟଜଳ ଯୋଗାଣ ପାଇଁ ବୋରିଂ ବ୍ୟବସ୍ଥା ହୋଇଛି। କେବଳ ସଂଯୋଗ କାର୍ଯ୍ୟ ଖୁବଶୀଘ୍ର କରାଯିବ। ବିଦ୍ୟୁତ ସଂଯୋଗ ପାଇଁ ବିଦ୍ୟୁତ ବିତରଣ କମ୍ପାନୀ ନିକଟରେ ଅର୍ଥ ଜମା ହୋଇ ସାରିଛି। ବିଜ୍ଞାପିତ ଅଂଚଳ ପରିଷଦ ତରଫରୁ ଏକ ଜେନେରେଟରର ବ୍ୟବସ୍ଥା କରାଯିବା ପାଇଁ ପ୍ରସ୍ତାବ ରହିଛି। ତେଣୁ ଖୁବଶୀଘ୍ର କଲ୍ୟାଣ ମଣ୍ଡପ କାର୍ଯ୍ୟକ୍ଷମ ହେବ।