Odiapua.com

ବହୁ ପ୍ରତିଶ୍ରୁତି ପରେ ସହୀଦପୀଠରେ ନିର୍ମାଣ ହୋଇପାରିଲାନାହିଁ ପ୍ରତିମୂର୍ତିଟିଏ, କାର୍ଗିଲ ବିଜୟ ଦିବସରେ ସହୀଦ ନିରଞ୍ଜନଙ୍କୁ ପ୍ରଶାସନ

ଭଦ୍ରକ, ୨୬ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କାର୍ଗିଲ ଯୁଦ୍ଧରେ ସହୀଦ ହୋଇଥିବା ରାଜ୍ୟର ୯ମ ଓ ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ୍ ଅଧୀନସ୍ଥ ଉତୁକୁଡା ପଂଚାୟତ ପାଙ୍ଗୁଡା ଗ୍ରାମର ଏକମାତ୍ର ବୀର ସହୀଦ ନିରଞ୍ଜନ ବେହେରାଙ୍କୁ ଆଜିର କାର୍ଗିଲ ବିଜୟ ଦିବସରେ ପ୍ରଶାସନର ଅଣଦେଖା ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି । ଏଠାରେ ସୂଚନାଯୋଗ୍ୟ ୧୯୯୯ ଜୁଲାଇ ୨୬ ତାରିଖରେ କାର୍ଗିଲ ସହୀଦ ନିରଞ୍ଜନ ବେହେରା ଦେଶ ଓ ଜାତିପାଇଁ ପ୍ରାଣବଳି ଦେଇଥିଲେ । ଦୀର୍ଘ ୨୫ ବର୍ଷ ଧରି ପ୍ରଶାସନ ଏହି ସହୀଦଙ୍କ ପ୍ରତି ଅବହେଳା ପ୍ରଦର୍ଶନ କରୁଥିବା ନେଇ ସ୍ଥାନୀୟ ବୁଦ୍ଧିଜୀବୀ, ଯୁବକ ଓ ଅଂଚଳବାସୀ ଦୁଃଖପ୍ରକାଶ କରିଛନ୍ତି । ସହୀଦ ନିରଞ୍ଜନଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀକୁ ପ୍ରଶାସନ ଯେଭଳି ଭାବେ ପାଳନ କରିଥିଲେ, ତାହା ପରଠାରୁ ସେହିପରି ସମ୍ମାନ ପ୍ରଦର୍ଶନ କରାଯାଇପାରିନାହିଁ ବୋଲି ସାଧାରଣରେ ସ୍ୱର ଉଠିଛି । ଜନ୍ମସ୍ଥାନ ପାଙ୍ଗୁଡାସ୍ଥିତ ସହୀଦ ସ୍ମୃତିସ୍ତମ୍ଭ ଏବଂ ସହୀଦ ସ୍ମୃତିପୀଠ ଅବହେଳିତ ଅବସ୍ଥାରେ ପଡିଥିବାବେଳେ ସହୀଦଙ୍କ ସ୍ତମ୍ଭରେ ବୀର ଯବାନ ନିରଞ୍ଜନଙ୍କ ପ୍ରତିମୂର୍ତିଟିଏ ୨୫ ବର୍ଷ ବିତିଯାଇଥିଲେ ହେଁ ନିର୍ମାଣ ହୋଇପାରିଲା ନାହିଁ । ଏପରିକି ସହୀଦ ସ୍ମୃତିପୀଠକୁ ଯିବାଆସିବା ପାଇଁ ଏକ ଭଲ ରାସ୍ତାଟିଏ ହୋଇପାରିନାହିଁ । ୧୯୯୯ କାର୍ଗିଲ ଯୁଦ୍ଧରେ ଭାରତ ପାକିସ୍ତାନକୁ ଯେଉଁ ପରାଜୟର ସ୍ୱାଦ ଚଖାଇଥିଲା, ସେହି ଯୁଦ୍ଧରେ ବୀର ଯାବନ ଚାନ୍ଦବାଲି ମାଟିର ବରପୁତ୍ର ସହୀଦ ନିରଞ୍ଜନଙ୍କ କୀର୍ତିଗାଥା ଓ ସ୍ମୃତି ଆଜି ଇତିହାସ ହୋଇଯାଇଥିଲେ ମଧ୍ୟ ବୁଦ୍ଧିଜୀବୀ ଓ ଚାନ୍ଦବାଲିର ଅଗ୍ରଣୀ କ୍ରାନ୍ତିକାରୀ ସ୍ୱେଚ୍ଛାଚାରୀ ଯୁବକ ସଂଗଠନ ବିଧି ରଖିବା ପାଇଁ ଶ୍ରାଦ୍ଧବାର୍ଷିକୀ ପାଳନ କରୁଛନ୍ତି । ସହୀଦଙ୍କ ପ୍ରତି ଏପରି ଅବହେଳା ପ୍ରଦର୍ଶନକୁ ସ୍ଥାନୀୟ ଲୋକେ ନିନ୍ଦା କରିବା ସହ ସହୀଦଙ୍କ ସ୍ମୃତିସ୍ତମ୍ଭରେ ପ୍ରତିମୂର୍ତ୍ତି ସ୍ଥାପନ, ପାର୍କ, ଲାଇବ୍ରେରୀ, ସ୍କୁଲ ଓ ପ୍ରଶାସନ ସହଯୋଗରେ ବ୍ଲକ୍ ତଥା ଜିଲାସ୍ତରରେ ଶ୍ରାଦ୍ଧବାର୍ଷିକୀ ପାଳନ କରିବାକୁ ଦାବି କରିଆସୁଛନ୍ତି । କିନ୍ତୁ ସୁଫଳ ମିଳିପାରୁନାହିଁ । କେବଳ ଯାହା ଆଜି ଚାନ୍ଦବାଲିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ, କ୍ରାନ୍ତିକାରୀ ଯୁବକ ସଂଘର କର୍ମକର୍ତାମାନେ ତାଙ୍କ ସମାଧୀ ପୀଠରେ ପହଂଚି ପୁଷ୍ପାର୍ଘ୍ୟ ଅର୍ପଣ କରିଛନ୍ତି ।