Odiapua.com

ବହୁ ପ୍ରତିକ୍ଷୀତ ଅତ୍ୟାଧୁନିକ ନୟାଗଡ଼ ନୂଆ ବସଷ୍ଟାଣ୍ଡ ଉଦ୍‌ଘାଟିତ : ମନ୍ତ୍ରୀ ଡ.ସାହୁ ନିଜେ ବସ୍ ଚଳାଇ ବସଷ୍ଟାଣ୍ଡରେ ବସ୍ ଚଳାଚଳ ଶୁଭାରମ୍ଭ କଲେ

ନୟାଗଡ଼, ୨୨ା୧୨ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ର ବହୁ ପ୍ରତିକ୍ଷୀତ ନୂଆ ବସଷ୍ଟାଣ୍ଡକୁ ବାଣିଜ୍ୟ, ସମନ୍ୱୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଉଦଘାଟନ କରିଛନ୍ତି। ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜରାସ୍ତାର ନୟାଗଡ଼ ପୁରୁଣା ସହରର ପଶ୍ଚିମ ପାଶ୍ୱର୍ରେ ପ୍ରାୟ ୨କୋଟି ୭୭ଲକ୍ଷ ଟଙ୍କା ଟଙ୍କା ବ୍ୟୟରେ ଏହି ବସଷ୍ଟାଣ୍ଡ ନିର୍ମାଣ କରାଯାଇଛି। ନୟାଗଡ଼ ସହରର ବିକାଶରେ ଆଉ ଏକ ଫର୍ଦ୍ଦ ଯୋଡ଼ା ହେଲା ଏହି ନୂଆ ବସଷ୍ଟାଣ୍ଡ ବୋଲି ମୁଖ୍ୟଅତିଥିଭାବେ ଯୋଗଦେଇଥିବା ନୟାଗଡ଼ର ବିଧାୟକ ତଥା କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପଶୁ ସଂପଦ ମନ୍ତ୍ରୀ ଡ. ଅରୁଣ କୁମାର ସାହୁ କହିଛନ୍ତି। ନୟାଗଡ଼ ଟ୍ରାଫିକ ସମସ୍ୟାକୁ ଏଡ଼ାଇବା ପାଇଁ ନୂଆ ବସଷ୍ଟାଣ୍ଡର ପରିକଳ୍ପନା ଥିଲା ବୋଲି ମୁଖ୍ୟଅତିଥି ମନ୍ତ୍ରୀ ଡ. ସାହୁ କହିବା ସହିତ ଦୀର୍ଘବର୍ଷରୁ ଏହି ନୂଆ ବସଷ୍ଟାଣ୍ଡ ନିର୍ମାଣ ହୋଇ ସାରିଥିଲେ ମଧ୍ୟ ବିଭିନ୍ନ ସମସ୍ୟାକୁ ନେଇ ନୂଆ ବସଷ୍ଟାଣ୍ଡ ଉଦ୍‌ଘାଟନ ହୋଇ ପାରୁନଥିଲାବେଳେ ପୂର୍ତ୍ତ ବିଭାଗ ଓ ପୌର ପରିଷଦର ମିଳିତ ଉଦ୍ୟମରେ ନୂଆ ବସଷ୍ଟାଣ୍ଡର ନବଜୀବନ ରୂପ ପାଇଥିବାରୁ ସେ ସମସ୍ତଙ୍କର ସହଯୋଗ ପାଇଁ ଧନ୍ୟବାଦ ଜଣାଇଥିଲେ। ସେ କହିଲେଯେ, ନୟାଗଡ଼ ସହରର ପରିସୀମା ଆଗ ଅପେକ୍ଷା ବଢିଛି, ମାତ୍ର ପ୍ଳାନିଂ ନାହିଁ। ତେଣୁ ସହରର ସୌନ୍ଦର୍ଯ୍ୟକରଣ ସହ ବିକାଶର ଧାରାକୁ ଆଗେଇ ନେବାପାଇଁ ସମସ୍ତଙ୍କ ସହଯୋଗର ଆବଶ୍ୟକତା ରହିଛି। ଏହୌି ନୂଆ ବସଷ୍ଟାଣ୍ଡରେ ଅତ୍ୟାଧୁନିକ ପରିସ୍ରାଗାର, ଶୌଚାଳୟ ସହ ଯାତ୍ରୀ ରହଣୀ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା ରହିଥିବାବେଳେ ସ୍ୱତନ୍ତ୍ର ମାର୍କେଟ କମ୍ଲେକ୍ସ ଏବଂ ଯାତ୍ରୀଙ୍କ ପାଇଁ ଏକ ହୋଟେଲର ମଧ୍ୟ ନିର୍ମାଣ କରାଯିବାର ବ୍ୟବସ୍ଥା କରାଯାଇଛି। ଏଥିସହିତ ଯାତ୍ରୀ ଅପେକ୍ଷା ସ୍ଥଳ ଏବଂ ଏକ ହୋଟେଲ ଗୃହ ପାଇଁ ପୌର ପରିଷଦ ପକ୍ଷରୁ ୨୯ଲକ୍ଷ ବ୍ୟୟ କରାଯାଇଥିବାବେଳେ ୧୯ଲକ୍ଷ ବ୍ୟୟରେ ଏକ ସୁଲଭ ଶୌଚାଳୟ ଏବଂ ୧ କୋଟିରୁ ଉର୍ଦ୍ଧ୍ୱ ବ୍ୟୟରେ ୨ଟି ମାର୍କେଟ କମ୍ଲେକ୍ସ ନିର୍ମାଣ କରାଯାଇଛି। ବସଷ୍ଟାଣ୍ଡ ଚାରିପାଖରେ ୯୦ଟି ଦୋକାନ ଗୃହ ନିର୍ମାଣ ସହ ବସଷ୍ଟାଣ୍ଡ ପରିସରରେ ବ୍ୟବସାୟୀ, ପୁରୁଷ ଓ ମହିଳାଙ୍କ ପାଇଁ ଉନ୍ନତ ଧରଣର ପରିଶ୍ରାଗାର ନିର୍ମାଣ କରାଯାଇଛି ଏବଂ ସମସ୍ତଙ୍କ ପାଇଁ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ଏହି ଉଦ୍‌ଘାଟନୀ ଉତ୍ସବରେ ପୌରାଂଚଳ ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଯୋଗଦେଇ ନୂଆ ବସଷ୍ଟାଣ୍ଡ ଓ ମାର୍କେଟ କମ୍ପେ୍ଲକ୍ସ ଆଦି ନିର୍ମାଣରେ ସମୁଦାୟ ୫କୋଟି ଟଙ୍କା ବ୍ୟୟ ହୋଇଛି ବୋଲି କହିଥିବାବେଳେ ସମାଜସେବୀ ପ୍ରମୋଦ ପଟ୍ଟନାୟକ ଏସବୁ କେବଳ ବିକାଶର ନାରା ଧରିଥିବା ମନ୍ତ୍ରୀ ତଥା ବିଧାୟକ ଅରୁଣ ସାହୁଙ୍କ ଦ୍ୱାରା ସମ୍ଭବ ହୋଇଛି ବୋଲି କହିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଆଂଚଳିକ ପରିବହନ ଅଧିକାରୀ, ନୟାଗଡ଼ ତହସିଲଦାର, ବେସରକାରୀ ବସ୍ ଆସୋସିଏସନ ସଭାପତି ମନୋଜ କୁମାର ନାୟକ, ସମ୍ପାଦକ ଶେଖ୍ ଇସୁବ୍‌ ପ୍ରମୁଖ ଯୋଗଦେଇଥିଲେ। ତେବେ ନୂଆ ବସଷ୍ଟାଣ୍ଡ ଉଦ୍‌ଘାଟନ ଅବସରରେ ମନ୍ତ୍ରୀ ଡ. ସାହୁ ଏକ ଓଏସ୍‌ଆରଟିସି ବସ୍‌କୁ ବସଷ୍ଟାଣ୍ଡ ପରିସରରେ ନିଜେ କିଛି ବାଟ ଚଳାଇ ଶୁଭାରମ୍ଭ କରିବା ଉପସ୍ଥିତ ଜନତାଙ୍କୁ ବେଶ୍ ଆଶ୍ଚର୍ଯ୍ୟାନ୍ନିତ କରିଥିଲା।