Odiapua.com

ବହୁ ଚର୍ଚ୍ଚିତ ସଂଗୀତା ମୋଟର୍ସ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୋଲକାତାରୁ ଗିରଫ

ଭଦ୍ରକ, ୧୩ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ହୋଇଥିବା ସଂଗୀତା ମୋଟର୍ସ କର୍ମଚାରୀର ମୃତ୍ୟୁ ପାଇଁ ମୁଖ୍ୟ ଦାୟୀ କୁହାଯାଉଥିବା ଏହାର ମାଲିକ ଚନ୍ଦନ ଶାହାଙ୍କୁ ପୁଲିସ ଗିରଫ କରିଛି । ଏହାକୁ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଭଦ୍ରକ ଜିଲ୍ଲା ପୁଲିସକୁ ସାଧୁବାଦ ଦିଆ ଯାଇଛି । ଭଦ୍ରକ ସାହାପୁର ଗ୍ରାମର ଚିତ୍ତ ରଂଜନ ଯେନା ନାମକ ଜଣେ ଯୁବକ ସଂଗୀତା ମୋଟର୍ସରେ କାର୍ଯ୍ୟ କରୁଥିଲେ । ସେ ଗତ ତାରିଖରେ ନୂଆ ବସ୍‌ଷ୍ଟାଣ୍ଡ ନିକଟ ତଥା ସଂଗୀତା ମୋଟର୍ସର ପଛପଟେ ଜୁଲାଇ ୧ ତାରିଖରେ ଆତ୍ମହତ୍ୟା କରିଥିଲେ । ମାଲିକ ଚନ୍ଦନ ଶାହାକୁ ଦାୟୀ କରି ଆତ୍ମହତ୍ୟା କରିବା ପୁର୍ବରୁ ଏକ ସୁଇସାଇଡାଲ ନୋଟ ଲେଖିଥିଲେ । ପୁଲିସ ସୁଇସାଇଡାଲ ନୋଟକୁ ଗୁରୁତ୍ୱ ନ ଦେଇ କେବଳ ଅପମୃତ୍ୟୁ ମାମଲା ରୁଜୁ କରି ଚୂପ୍ ବସିଥିବା ବେଳେ ଭଦ୍ରକ ନିର୍ବାଚନ ମଣ୍ଡଳୀ କଂଗ୍ରେସ ନେତା ତଥା ଜିଲ୍ଲା କଂଗ୍ରେସର କାର୍ଯ୍ୟକାରୀ ସଭାପତି ନଳିନୀ ମହାନ୍ତି, ଭଣ୍ଡାରିପୋଖରୀ କଂଗ୍ରେସ ନେତା ସୁବ୍ରତ ଦାସ ଏହାକୁ ତୀବ୍ର ବିରୋଧ କରିବା ସହିତ ଏକ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ଚନ୍ଦନ ଶାହାକୁ ଗିରଫ କରିବାକୁ ଦାବୀ କରିଥିଲେ । ଏ ନେଇ ବାରମ୍ବାର ଆନ୍ଦୋଳନ ସ୍ୱରୂପ ରାଜପଥ ଅବରୋଧ, ଏସ୍‌ପି ଅଫିସ ଘେରାଓ, ଗଣଧାରଣା ଆଦି କରିବା ପରେ ପୁଲିସ ହତ୍ୟାକାଣ୍ଡ ମାମଲା ରୁଜୁ କରିବାକୁ ବାଧ୍ୟ ହୋଇଥିଲା । ଏସ୍‌ପି ରାଜେଶ ପଣ୍ଡିତଙ୍କ ନିର୍ଦ୍ଦେଶରେ ଭଦ୍ରକ ଏସ୍‌ଡିପିଓ ସିଦ୍ଧାର୍ଥ ରାୟ, ଟାଉନ ଥାନା ଆଇଆଇସି ଚନ୍ଦନ ଘଡେଇ ଯୋଜନାବଦ୍ଧ ଭାବେ ଗତକାଲି ଚନ୍ଦନ ଶାହାକୁ ଗିରଫ କରିବାକୁ ସକ୍ଷମ ହୋଇଥିଲେ । ଆଜି ଚନ୍ଦନ ଶାହାକୁ କୋର୍ଟ ଚାଲାଣ କରାଯାଇଛି ।