Odiapua.com

ବହୁ ଚର୍ଚ୍ଚିତ ମାନସ ସ୍ୱାଇଁ ହତ୍ୟା ମାମଲା, ୪ର୍ଥ ସାକ୍ଷୀ ସରୋଜିନ ସେଠ୍ ଓରଫ ସୋନିର ସାକ୍ଷ୍ୟ ପ୍ରଦାନ ଶେଷ

DCIM100MEDIADJI_0262.JPG

ଭଦ୍ରକ, ୨୩ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବହୁ ଚର୍ଚ୍ଚିତ କ୍ୟାମେରାମେନ୍ ମାନସ ସ୍ୱାଇଁ ହତ୍ୟା ମାମଲାର ୪ର୍ଥ ସାକ୍ଷୀ ଦୟାଲ ଆଶ୍ରମର କେୟାରଟେକର ସରୋଜିନୀ ସେଠ୍ ଓରଫ ସୋନିର ଆଜି ଜେରା ଶେଷ ହୋଇଛି । ତେବେ ଆଜି ନିରଞ୍ଜନ ସେଠୀଙ୍କ ଓକିଲ ଶରତ ଚନ୍ଦ୍ର ମହାପାତ୍ର ତାଙ୍କୁ ପୂର୍ବ ତାରିଖରୁ ପଚାରିଥିବା ପ୍ରଶ୍ନକୁ ବାଦ୍ ଦେଇ ଆଶ୍ରମ ଓ ନ୍ୟୁଜ୍ ଚେନାଲ ଅଫିସ୍ ସଂପର୍କରେ ଅନେକ ପ୍ରଶ୍ନ ପଚାରିଥିଲେ । ଯାହାର ଉତ୍ତର ସେ ସଠିକ୍ ଭାବେ ପ୍ରଦାନ କରିଥିଲେ । ଶେଷରେ ଶର୍ମିଷ୍ଠାଙ୍କ ଓକିଲ ବସନ୍ତ କୁମାର ଦାସ, ଗଦାଧର ବଳ ଆଜି ଦିନ ତମାମ ଘଟଣା ସମ୍ବନ୍ଧୀୟ ଅନେକ ପ୍ରଶ୍ନ ପଚାରିଥିଲେ । ଯାହାର ଉତ୍ତର ସେ ସଠିକ୍ ଭାବେ ମଧ୍ୟ ଦେଇଥିଲା । ତେବେ ଦିନ ତମାମ୍ ଆଜି ଜିଲା ଜଜ୍ କୋର୍ଟରେ ଏହି ସ୍ପର୍ଶକାତର ମାମଲାଟିର ଶୁଣାଣି ଚାଲିଥିଲା । ଏହି ହାଇ ପ୍ରୋଫାଇଲ୍ ହତ୍ୟାକାଣ୍ଡ ଘଟଣାର ତଦନ୍ତ ରାଜ୍ୟ କ୍ରାଇମବ୍ରାଞ୍ଚ କରୁଥିବାବେଳେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତ, ତାର ସହଯୋଗୀ ଝୁନା ଭୋଇ, ରାଜ ଓରଫ ରଂଜନ ନାୟକ ଓ ଅବସରପ୍ରାପ୍ତ ରାଜ୍ୟ ମୁଖ୍ୟ ସୂଚନା ଓ ଲୋକସଂପର୍କ ନିର୍ଦ୍ଦେଶକ ନିରଞ୍ଜନ ସେଠୀ ପ୍ରମୁଖଙ୍କୁ ଗିରଫ କରିଥିଲା । ଏବେ ସେମାନେ ଭଦ୍ରକ ସ୍ୱତନ୍ତ୍ର ଉପକାରାଗାରରେ ବିଚାରାଧୀନ ବନ୍ଦୀ ଭାବେ ଅଟକ ଅଛନ୍ତି । ଏହି ମାମଲାଟି ଭଦ୍ରକ ଜିଲା ଜଜ୍ ପ୍ରଦ୍ୟୁମ୍ନ କୁମାର ନାୟକଙ୍କ ଅଦାଲତରେ ବିଚରାଧୀନ ଅଛି ।

ପୂର୍ବରୁ ଏହି ସାକ୍ଷୀ କ୍ରାଇମବ୍ରାଞ୍ଚ ନିକଟରେ ବୟାନ ଦେଇ କହିଥିଲା ସେ ନିଜ ପାଇଁ ଚାକିରୀ ଖୋଜି ନୟାଗଡ ଜିଲା ରଣପୁରରୁ ଆସି ଭୁବନେଶ୍ୱର ଦୟାଲ ଆଶ୍ରମର ମାଲିକ ଶର୍ମିଷ୍ଠା ରାଉତଙ୍କ ଅଧୀନରେ କେୟାର ଟେକର ଭାବେ ଚାକିରୀ କରିଥିଲା । ୨୦୨୨ ମସିହା ଜାନୁଆରୀ ୨୨ ତାରିଖରେ ଛୁଟିନେଇ ନିଜ ଘରକୁ ପଳାଇଯାଇଥିବା ସମୟରେ ଶର୍ମିଷ୍ଠାଙ୍କ ଅନୁରୋଧ କ୍ରମେ ସେହିମାସ ୨୯ ତାରିଖରେ ପୁଣି ଫେରିଆସିଥିଲା । ତାଙ୍କ ଆଶ୍ରମ ଠାରୁ କିଛି ଦୂରରେ ଶର୍ମିଷ୍ଠାର ‘ସଂପୂର୍ଣ୍ଣ’ ନ୍ୟୁଜ୍ ୱେବ୍ ଚେନାଲର କାର୍ଯ୍ୟାଳୟକୁ ସେ ନିୟମିତ ଯାଏ । ସେଠାରେ ସେ ଶର୍ମିଷ୍ଠା, ଝୁନା ଭୋଇ, ନିରଞ୍ଜନ ସେଠୀ ଓ ଅନ୍ୟମାନଙ୍କୁ ଅନେକ ସମୟରେ ଦେଖିଛି । ଥରେ ସେ ସେଠାକୁ ଯାଇଥିବା ସମୟରେ ମାନସ ସ୍ୱାଇଁ ତାଙ୍କ କ୍ୟାମେରା ଚିଫ୍ କେମିତି ନଫେରାଇ ହଇରାଣ କରୁଛି ସେ ସଂପର୍କୀୟ କଥାବାର୍ତ୍ତା ଶୁଣିଥିଲେ । ପରଦିନ ଦୟାଲ ଆଶ୍ରମକୁ ସମସ୍ତେ ଆସି ମାନସକୁ ଭିଡିଓ କଲ୍ କରି କଥା ହୋଇଥିଲା । ସେ ଚାନ୍ଦବାଲି ଆସିଛି ଓ ତାକୁ ୧୦ ହଜାର ଟଙ୍କା ନଦେଲେ ସେ କ୍ୟାମେରା ଚିଫ୍ ଫେରାଇବ ନାହିଁ ବୋଲି କହିଥିଲା । ଫଳରେ ସେମାନେ ତାଙ୍କୁ କେମିତି ଚାନ୍ଦବାଲିରୁ ଆଣିବେ ଯୋଜନା ପ୍ରସ୍ତୁତ କରି ତାକୁ ଆଣି ହତ୍ୟା କରିଥିଲେ । ଏହି ହତ୍ୟାକାଣ୍ଡର ଶବ୍ଦ ସେ ଶୁଣିଥିବାର କହିଥିଲା । କିନ୍ତୁ ମାନସ ନିଜର ଠିକଣା ଓ ତାକୁ ଉଦ୍ଧାର କରିବାକୁ ନିବେଦନ କରିଥିବା ତାର ହାତଲେଖା ଚିଠି ଡାଏରୀ ଭିତରୁ ସେ ପାଇଥିଲା । ଏବଂ ଶର୍ମିଷ୍ଠା ନିର୍ଦ୍ଦେଶ କ୍ରମେ ସେ ସବୁକୁ ଝରକା ବାହାରକୁ ଫିଙ୍ଗି ଦେଇଥିଲା । ତେବେ ଅବଶିଷ୍ଟ ସାକ୍ଷୀମାନଙ୍କ ବୟାନ ରେକର୍ଡିଂ ପାଇଁ ଆସନ୍ତା ସେପ୍ଟମ୍ବର ମାସ ୧୩ ତାରିଖ ଦିନଧାର୍ଯ୍ୟ ରଖାଯାଇଥିବା ବିଷୟ ସରକାରୀ ଓକିଲ ପ୍ରଦୀପ୍ତ କୁମାର ସାମଲ ପ୍ରକାଶ କରିଛନ୍ତି ।