Odiapua.com

ବହୁମୁଖୀ ପ୍ରତିଭାର ଅଧିକାରୀ ନାରାୟଣ ସେନାପତି, ବୟସର ଅପରାହ୍ନରେ କଳାପାଇଁ ଜାରି ରଖିଛନ୍ତି ସଂଗ୍ରାମ

ଭଦ୍ରକ, ୨୯ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ବନ୍ତ ବ୍ଲକ ସେଣ୍ଢତୀରା ପଞ୍ଚାୟତ ମହାନ୍ତିଆ ଗ୍ରାମର ସ୍ୱର୍ଗତ କପିଳ ସେନାପତିଙ୍କ ପୁତ୍ର ନାରାୟଣ ଚନ୍ଦ୍ର ସେନାପତି । ବୟସ ଏବେ ତାଙ୍କୁ ୭୭ ଛୁଇଁଲାଣି । ତଥାପି ନିଜର କଳା ନୈପୁଣ୍ୟ ଓ କାର୍ଯ୍ୟ କରିବାର ନିଶା ମନରୁ ପାସୋରି ନାହାନ୍ତି । ଓଡିଶାର ପୁରପଲ୍ଲୀର ବିକାଶ ପାଇଁ କଳା, ସାହିତ୍ୟ, ସଂସ୍କୃତି, ନାଟକର ନବାୟନ ମାଧ୍ୟମରେ ଆହ୍ୱାନ ଦେଇଆସିଛନ୍ତି । ସମୁଦାୟ ଜୀବନରେ ନିଜ ବିକାଶକୁ ପଛରେ ପକାଇ ସର୍ବାଙ୍ଗୀନ ଉନ୍ନତିକଳ୍ପେ ଏହି ବରିଷ୍ଠ ଓ ଦୁଃସ୍ଥ ଶିଳ୍ପୀ ସାମୁହିକ ବିକାଶ ନିମନ୍ତେ ସଂଗ୍ରାମ ଜାରି ରଖିଛନ୍ତି । ଚାଟଶାଳୀ ପରେ ବାଲିପୁରସ୍ଥିତ ‘କ’ମୌଳିକ ବିଦ୍ୟାଳୟରୁ ପ୍ରାଥମିକ ଶିକ୍ଷାଲାଭ କରି ସେଣ୍ଢତୀରାସ୍ଥିତ ଜନାର୍ଦ୍ଦନ ଉଚ୍ଚ ବିଦ୍ୟାପୀଠରେ ଏକାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିଲେ । ପ୍ରଥମ ଶ୍ରେଣୀ ଠାରୁ ଚିତ୍ରକଳା, ହସ୍ତଶିଳ୍ପ, କୁଟୀର ଶିଳ୍ପ ପ୍ରତି ଆଗ୍ରହ ସୃଷ୍ଟି ହୋଇଥିଲା । ତତ୍କାଳୀନ ମୁଖ୍ୟମନ୍ତ୍ରୀ ଡଃ.ହରେକୃଷ୍ଣ ମହତାବ ଓ ତତ୍କାଳୀନ ଜିଲାପାଳଙ୍କ ଠାରୁ ବିଦ୍ୟାଳୟର ବିଭିନ୍ନ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରି ପୁରସ୍କୃତ ହେବା ସହ ପ୍ରୋତ୍ସାହିତ ହୋଇଥିଲେ । ପ୍ରାଥମିକ ଶିକ୍ଷା ବେଳେ ଶିଶୁ ପାଲାକାର ଭାବେ ଗ୍ରାମାଞ୍ଚଳ, ସହରାଞ୍ଚଳରେ ନିଜ ଶିକ୍ଷକ ମାନଙ୍କ ତତ୍ତ୍ୱାବଧାନରେ ପାଲା ଗାୟନ କରି ସୁନାମ ଅର୍ଜ୍ଜନ କରିଥିଲେ । ସେସମୟରୁ ସଙ୍ଗୀତ, ନାଟକରେ ଶିଶୁ ଅଭିନେତା ଭାବେ ଅଭିନୟ କରି ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିପାରୁଥିଲେ । ପ୍ରାଥମିକ ସ୍ତରରୁ ଏକକ ଅଭିନୟ କରି ଭଲ ହାସ୍ୟଭିନେତା ଭାବରେ ଜନସାଧାରଣ ଓ ପ୍ରଶାସନ ଦ୍ୱାରା ପୁରସ୍କୃତ ହୋଇଥିଲେ । ପ୍ରାଥମିକ ବିଦ୍ୟାଳୟରୁ ଖୋଖୋ, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ଗୁଳଡିଆଁ, ଭଲି, ଫୁଟବଲ ଆଦି କ୍ରୀଡା କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ । କୃଷି ଓ ବାଡି ବଗିଚାରେ କାର୍ଯ୍ୟ କରି ଧୁରୀଣତାକୁ ମଇ ବିଦ୍ୟାଳୟ ପର୍ଯ୍ୟନ୍ତ ପ୍ରତିପାଦନ କରି ଶିକ୍ଷକ ଓ ଜନସାଧାରଣଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ସେଣ୍ଢତୀରା ଟିମ୍ ସହିତ ଜିଲା ଓ ଜିଲା ବାହାରକୁ ଯାଇ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇ ପ୍ରତ୍ୟେକ ସ୍ଥାନରୁ ଜୟମାଲ୍ୟ ହାସଲ କରିଥିଲେ ।

ସମାଜସେବା କରି ୨୦୧୭ ମସିହାରେ ଗଣଶିକ୍ଷା ବିଭାଗର ରାଇମ୍ସ ସ୍କୁଲ ମାଧ୍ୟମରେ ସେବା ପୁରସ୍କାର ପାଇବା ସହିତ ଚିତ୍ରକଳା ଓ ନାଟକ ଆଦି ନିମିତ୍ତ ଶିଶୁ କିଶୋର ପ୍ରତିଭା ସମ୍ମାନରେ ସମ୍ମାନୀତ ହୋଇଛନ୍ତି । ୨ୟ ଶ୍ରେଣୀ ଠାରୁ ଓଡିଆ ଭାଷା ସାହିତ୍ୟର ବିଭିନ୍ନ ବିଭାଗରେ ଶିଶୁ କବିତା, ପ୍ରବନ୍ଧ, ଏକାଙ୍କିକା ଆଦିରେ ଲେଖାଲେଖି କରି ନିଜେ ଅଭିନୟ ପ୍ରଦର୍ଶନ କିର ପ୍ରଶଂସିତ ହୋଇଥିଲେ । ମଇ ବିଦ୍ୟାଳୟରେ ପାଦଦେବା ବେଳକୁ ଏହି ସବୁ ଅସାଧାରଣ କୃତିତ୍ୱ ପାଇଁ କଳା, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ର ମାନଙ୍କରେ ସେ ବେଶ ସୁନାମ ଅର୍ଜ୍ଜନ କରିବା ସହିତ ସାଧନାକ୍ଷେତ୍ର ସମୁଦାୟରେ ଆଗକୁ ଆଗକୁ ତାର ପ୍ରଚାର ଓ ପ୍ରସାର ପାଇଁ ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପର୍ଯ୍ୟନ୍ତ ଚାରଣ ଶିଳ୍ପୀ ଭାବେ ବୁଲିବୁଲି ଓଡିଶା ତଥା ଓଡିଶା ବାହାରେ ଝୋଟି, ମୁରୁଜ କଳାର ପ୍ରସାର ନିମିତ୍ତ ବିନା ଦ୍ୱିଧାରେ କାମ କରି ଆସିଛନ୍ତି । ଏଥିପାଇଁ ତତ୍କାଳୀନ ମଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ପ୍ରୋତ୍ସାହନରେ ବିଦ୍ୟାଳୟର ସଂସ୍କୃତି ମନ୍ତ୍ରୀ ମଧ୍ୟ ହୋଇପାରିଥିଲେ । ସେବେ ଠାରୁ ବହୁବିଧ ଚିତ୍ରକଳା ସହିତ ମଣିଷକୁ ଦେଖବା ମାତ୍ରେ ପେନସିଲ, କଲମ, ଡଟ୍ ମାଧ୍ୟମରେ ଫ୍ରି ହ୍ୟାଣ୍ଡ ଡ୍ରଇଁ କରି ଜୀବନ୍ତ ପ୍ରତ୍ୟେୟ କରାଇ ଉଚ୍ଚ ପ୍ରଶଂସା ଓ ପ୍ରମାଣ ପତ୍ର ହାସଲ କରିପାରିଛନ୍ତି । ଏଥିସହ ମୂର୍ତ୍ତି ଗଠନ କଳାରେ ଜୀବନ୍ତ ମଣିଷ, ବହୁବିଧ ଜୀବଙ୍କର ବାସ୍ତବ ଓ ଜୀବନ୍ତ ନିଖୁଣ ପ୍ରତିମୂର୍ତ୍ତି ଗଠନ କରି ପ୍ରମାଣ ପତ୍ର ହାସଲ କରି ଏପର୍ଯ୍ୟନ୍ତ ପରବର୍ତ୍ତୀ ପିଢିକୁ ପ୍ରୋତ୍ସାହନ ଯୋଗାଇ ଆସୁଛନ୍ତି । ରାଜ୍ୟ, ଜିଲା ସ୍ତରୀୟ ବିଭିନ୍ନ ବହୁମୁଖୀ ପ୍ରତିଭା ଭାବରେ ସମର୍ଦ୍ଧିତ ହୋଇଆସୁଛନ୍ତି । ଓଡିଶା ଅପେରା ମାଧ୍ୟମରେ ବଙ୍ଗ, ବିହାର, ଓଡିଶା ଆଦି ପ୍ରାଦେଶିକ ସ୍ତରରେ ଗଣନାଟ୍ୟକୁ ଆଧୁନିକରଣ କରାଇ ଅନେକବାର ସଫଳତା ଅର୍ଜ୍ଜନ କରିଛନ୍ତି । ଏହାକୁ ଆଜୀବନ ବୃତ୍ତି ନଭାବି ସେବାରେ ନିଜକୁ ଉତ୍ସର୍ଗୀକୃତ କରିଥିବାରୁ ସାରା ଜୀବନ ଅଭାବ ଅନାଟନରେ ସମ୍ମୁଖୀନ ହୋଇଆସୁଛନ୍ତି । ଉତ୍କଳୀୟ ମାନଙ୍କର ପରମ୍ପରା ଓ ସଂସ୍କୃତି କଳା ଭାସ୍କର୍ଯ୍ୟ, ଭାଷା, ସାହିତ୍ୟ, କୃଷି, ଜୀବନ ଜୀବିକାର ପୁନରୁତ୍ଥାନ ସହିତ ଶାନ୍ତି, ସଂଘତି, ଐତିହ୍ୟକୁ ସୁଦୃଢ କରି ଏକ ସୁସ୍ଥ ନିରାମୟ ସମୃଦ୍ଧ ଓଡିଶା ଗଠନ କରିବା ପୂର୍ବକ ସମଗ୍ର ଭାରତକୁ ଏକ ନୂତନ ରୂପରେ ନିର୍ମାଣ କରିବାର ସ୍ୱପ୍ନ ଓ ତାର ସମ୍ଭାବନାରେ ବିଶ୍ୱାସ ରଖି ଏପର୍ଯ୍ୟନ୍ତ ସେ ଧୃତ ସାରଥୀ ଭଳି କାର୍ଯ୍ୟ କରିବାର ଦୃଢ ମନୋବଳ ରଖି ଆସିଛନ୍ତି ।

ଏଥିପାଇଁ ତାଙ୍କ ପରିବାର ଯେଉଁ ଅର୍ଥନୈତିକ ଅସହାୟ ଯାତନାରେ ସମ୍ମୁଖୀନ ହେଉଛି, ସେଥିରୁ ତାଙ୍କୁ ମୁକ୍ତି ପାଇବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କଳାକାର ଭତ୍ତାକୁ ଶିଘ୍ର ଅନୁମୋଦନ ପାଇଁ ସେ ନିବେଦନ କରିଛନ୍ତି । ଡାକ ବିଭାଗର ଚାକିରୀ ଛାଡି ଆଜକୁ ୬୫ ବର୍ଷ ଧରି ସମାଜସେବା, ସମାଜ ସଂସ୍କାରକ, କୃଷିର ଉନ୍ନତିକରଣ, କ୍ରୀଡାର ବିକାଶ, ନାଟକ, ସାହିତ୍ୟ ନବଦିଗନ୍ତର ଉନ୍ମୋଚନ ଏବଂ ସଂସ୍କୃତିର ସଂସ୍କାରଧର୍ମୀ କାର୍ଯ୍ୟକ୍ଷେତ୍ର ସମୁଦାୟରେ ଦକ୍ଷତାର ସହ ପ୍ରତ୍ୟେକ ଶାସକ, ପ୍ରଶାସକ ବ୍ୟତିରେକ ସରକାର ଓ ଜନସାଧାରଣଙ୍କର ସହଯୋଗ କରି ଆସୁଛନ୍ତି । ଦାରିଦ୍ର‌୍ୟତା ଭିତରେ ନିଜର ସାଧନା ଓ ସିଦ୍ଧି କଣ୍ଟକିତ ପଥରେ ଚାଲି ଅଭାବ ଅନାଟନରେ ଶୀକାର ହୋଇ ଆସୁଥିଲେ ମଧ୍ୟ କର୍ମ କ୍ଷେତ୍ରରେ ସକ୍ରିୟ ଅଂଶ ଗ୍ରହଣ କରି ଆସିଛନ୍ତି । ପରିପକ୍ୱ ବୟସର ତାଡନା ଏବଂ ପରିବାରର ପିଲାଙ୍କ ଦୁଃସ୍ଥିତିରେ ତାଙ୍କର ମନୋବଳ ଦୁର୍ବଳ ହୋଇଯିବାରୁ ଜୀବନ ଜିଇଁବାର କଷ୍ଟ ସେ ଅନୁଭବ କରୁଛନ୍ତି । ରାଜ୍ୟ ସରକାର ତାଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବରିଷ୍ଠ କଳାକାର ଭତ୍ତା ସହିତ ତାଙ୍କର ନିରାମୟ ଜୀବନ ପାଇଁ କେନ୍ଦ୍ର ସରକାର ପ୍ରଦତ୍ତ ଔଷଧ ଖର୍ଚ୍ଚ ଘୋଷିତ ୫ ଶତ ଟଙ୍କା ବର୍ଦ୍ଧିତ ଭତ୍ତାକୁ ଯଥାଶିଘ୍ର ଅନୁମୋଦନ ପାଇଁ ସୁପାରିଶ କଲେ ସେ ରାଜ୍ୟ ଓ କେନ୍ଦ୍ର ସରକାର ତଥା ଓଡିଶାର ଅଗଣିତ ଜନସାଧାରଣଙ୍କ ଠାରେ ସେ ଓ ତାଙ୍କ ପରିବାର ଚିରକୃତଜ୍ଞ ରହିବେ ବୋଲି କହିଛନ୍ତି ।ଏହି ଦୁଃସ୍ଥ କଳାକାରଙ୍କର ୩ ପୁଅ ଓ ଗୋଟିଏ ଝିଅ ଅଛନ୍ତି । ସମସ୍ତ ପୁଅ ଓ ଝିଅ ପାଠ ପଢି ମଧ୍ୟ ବେକାର ହୋଇଛନ୍ତି । ସରକାରୀ ସହାୟତା ଭାବେ ରାଜ୍ୟ କଳାକାର ଭତ୍ତା ବାବଦ ମାସକୁ ୧୨ ଶହ ଟଙ୍କା ପାଉଛନ୍ତି । କେନ୍ଦ୍ର କଳାକାର ଭତ୍ତା ପାଇଁ ସେ ଦୀର୍ଘ ୨୦ ବର୍ଷ ହେବ ଆବେଦନ କରିଆସୁଥିଲେ ମଧ୍ୟ ତାଙ୍କ ଦୁଃଖ କେହି ବୁଝୁ ନଥିବା ସେ କ୍ଷୋଭର ସହ କହିଛନ୍ତି ।