Odiapua.com

ବହୁବର୍ଷ ପରେ ଦୂର ହେବ ଲୋକଙ୍କ ଯାତାୟତ ସମସ୍ୟା, ତିହିଡ଼ି ବ୍ଲକର ୩ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗ ଅନ୍ତର୍ଭୁକ୍ତ ହେଲା

ଭଦ୍ରକ, ୪ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଧାମନଗର ନିର୍ବାଚନ ମଣ୍ଡଳି ତିହିଡି ବ୍ଲକ ଅଧୀନ ତଳଗୋପବିନ୍ଧା ଓ ଗୁଆମାଳ ପଂଚାୟତର କେତେକ ଗ୍ରାମର ଲୋକମାନଙ୍କର ବହୁବର୍ଷ ପରେ ଦୂର ହେବ ଯାତାୟତ ସମସ୍ୟା । ତଳଗୋପବିନ୍ଧା ପଂଚାୟତର ନରସିଂହପୁର ମହାଦେବସାହି ଠାରୁ ବିଲଣା-ମଙ୍ଗଳପୁର ଆରଡି ରାସ୍ତା ଭାୟା ନିଶ୍ଚନ୍ତା ଜେନାସାହି ଏବଂ କଷଟି ଠାରୁ ମିରିପୁର ଭାୟା ତଳଗୋପବିନ୍ଧା ରାସ୍ତା ୨ଟି ପଂଚାୟତ ଅଧୀନରେ ଥିଲା । ଦୀର୍ଘ ୫କି.ମି ଓ ୪ କି.ମି ଲମ୍ବର ଏହି ୨ଟି ରାସ୍ତା ହୋଇଥିବାରୁ ଏହାକୁ ନିର୍ମାଣ କରିବା ପଂଚାୟତ ପକ୍ଷେ ସମ୍ଭବ ହେଉନଥିଲା । ଯାହାଫଳରେ ନିଶ୍ଚନ୍ତା ଜେନାସାହି, ନାଥପଡା, ହଟନଗର, ନରସିଂହପୁର, ମହାଳିକସାହି, ନାୟକସାହି, ମିରିପୁର, ମାଙ୍କଡକୋଲା ପ୍ରମୁଖ ଗ୍ରାମର ଅଧିବାସୀମାନେ ଯାତାୟତ ପାଇଁ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ । ପଂଚାୟତର ସରପଂଚ ସଞ୍ଜୀବ ବେହେରା ଏନେଇ ଜିଲାପାଳ, ଗ୍ରାମ୍ୟ ଉନ୍ନୟନ ବିଭାଗ କର୍ତୃପକ୍ଷ ପ୍ରମୁଖଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ପଂଚାୟତର ରାସ୍ତା ୨ଟି ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀନକୁ ଯାଇଥିବା ଜଣାଯାଇଛି । ଭିଭାଗୀୟ କନିଷ୍ଠ ଯନ୍ତ୍ରୀ କୃତିବାସ ମହାପାତ୍ର ଶନିବାର ସେହି ୨ ପଂଚାୟତକୁ ଯାଇ ରାସ୍ତାର ପରିସ୍ଥିତି ଅନୁଧ୍ୟାନ କରିଛନ୍ତି । କନିଷ୍ଠ ଯନ୍ତ୍ରୀ ଶ୍ରୀ ମହାପାତ୍ରଙ୍କ ଅନୁଧ୍ୟାନ ବେଳେ ସରପଂଚ ଶ୍ରୀ ବେହେରାଙ୍କ ସମେତ ସମିତିସଭ୍ୟାଙ୍କ ପ୍ରତିନିଧି କ୍ଷୀରସିନ୍ଧୁ ବେହେରା, ନାଏବ ସରପଂଚଙ୍କ ପ୍ରତିନିଧି ରମାକାନ୍ତ ମଲିକ, ଶ୍ରୀକାନ୍ତ ମହାଳିକ, ଭାନୁପ୍ରତାପ ବେଦିଙ୍କ ସମେତ ୱାର୍ଡସଦସ୍ୟମାନେ ଉପସ୍ଥିତ ଥିଲେ । ସେହିପରି ଗୁଆମାଳ ପଂଚାୟତର ସଦାନନ୍ଦପୁର ସ୍କୁଲ ଠାରୁ ବିଲସାହି ପର୍ଯ୍ୟନ୍ତ ରାସ୍ତା ଗ୍ରାମ୍ୟ ଉନ୍ମୟନ ବିଭାଗ ଅନ୍ତର୍ଭୁକ୍ତ ହୋଇଥିବା ଜଣାଯାଇଛି । କନିଷ୍ଠ ଯନ୍ତ୍ରୀଙ୍କ ରିପୋର୍ଟ ସରକାରଙ୍କ ନିକଟକୁ ପଠାଯିବା ପରେ ସରକାର ଅର୍ଥ ମଞ୍ଜୁର କଲେ ରାସ୍ତା ନିର୍ମାଣ ହେବ ବୋଲି ଜଣାପଡ଼ିଛି ।