Odiapua.com

ବହିମେଳା- ଜିଜ୍ଞାସାର ଜ୍ଞାନଯଜ୍ଞ, ସପ୍ତମ ସାଳନ୍ଦୀ ବହିମେଳା ଉଦ୍‌ଘାଟିତ

ଭଦ୍ରକ, ୧ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଅନ୍ୟ ସମସ୍ତ ମେଳା, ମଉଛବ ପରି ବହିମେଳା କିଣା-ବିକା, ବଣିଜ-ବେପାର, ମଉଜ ମଜଲିସ୍ ବା ମନୋରଂଜନର ଆସର ନୁହେଁ; ଏହି ଅନନ୍ୟ ଓ ଅସାଧାରଣ ମେଳା ଜ୍ଞାନ-ପିପାସା ଓ ଜିଜ୍ଞାସାର ଏକ ମହାଯଜ୍ଞ ବୋଲି ଉତ୍ତର ଓଡିଶାର ସର୍ବୋତ୍କୃଷ୍ଟ ପୁସ୍ତକମେଳା ସପ୍ତମ ସାଳନ୍ଦୀ ବହିମେଳାର ଉଦ୍‌ଘାଟନ ପର୍ବରେ ମତ ପ୍ରକାଶ ପାଇଛି। କଥାକାର ପବିତ୍ର ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବକୁ ରାଜ୍ୟ ସଂସ୍କୃତି ବିଭାଗର ଅତିରିକ୍ତ ସଚିବ କବି ମଧୁସୂଦନ ଦାସ ଉଦ୍‌ଘାଟନ କରିଥିଲେ। ବିଶିଷ୍ଟ ସାହିତ୍ୟିକ ଡ. ବିବୁଧ ରଂଜନ ମୁଖ୍ୟଅତିଥି ଓ ପଣ୍ଡିତ ବୀରେନ୍ଦ୍ର କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ବହିମେଳାରେ ପୁସ୍ତକ, ଲେଖକ, ପ୍ରକାଶକ ଓ ପାଠକଙ୍କ ମଧ୍ୟରେ ସହାବସ୍ଥାନ ଘଟୁଥିବାରୁ ଏହା ଏକ ପବିତ୍ର ସ୍ଥଳରେ ପରିଣତ ହୁଏ ବୋଲି ପ୍ରକାଶ କରିଛନ୍ତି। ପ୍ରାରମ୍ଭରେ ବହିମେଳାର ସଂପାଦକ ଅଭିଜିତ୍ ନାୟକ ସଂପାଦକୀୟ ବିବରଣୀ ଉପସ୍ଥାପନ କରି ସପ୍ତାହବ୍ୟାପି ଆୟୋଜିତ ଏହି ସାରସ୍ୱତ ମହୋତ୍ସବର ସୂଚନା ଦେଇଥିଲେ। କବି କିଶୋର ପାଣିଗ୍ରାହୀ ସ୍ୱାଗତ, ଘନଶ୍ୟାମ ଲେଙ୍କା ବେଦପାଠ ଓ ପ୍ରଫୁଲ୍ଲ କୁମାର ନାୟକ ସଭାର ଶେଷସ୍ପର୍ଶ ଦେଇଥିଲେ।

ଅତିଥିଙ୍କ ଦ୍ୱାରା ମୃତ୍ୟୁ ଚେତନା ଆଧାରିତ, ଦେବବ୍ରତ ମଦନ ରାୟ ଓ ପବିତ୍ର ପାଣିଗ୍ରାହୀଙ୍କ ସଂପାଦିତ ନିଆରା ସଂକଳନ ‘ଗୋଧୂଳି ଗପ’ ପାଠକାର୍ପିତ ହୋଇଥିଲା। ଟାଇମପାସ୍‌ର ପ୍ରକାଶକ ସରୋଜ ବଳ ପୁସ୍ତକ ସଂପର୍କରେ ସୂଚନା ପ୍ରଦାନ କରିବା ସହ ସଂଧ୍ୟାରେ ଅନୁଷ୍ଠିତ ପ୍ରଥମ ବହିର ସ୍ମୃତି ବିଜଡିତ ‘ସାହିତ୍ୟ ଚର୍ଚ୍ଚା’ କାର୍ଯ୍ୟକ୍ରମର ସଂଚାଳନ କରିଥିଲେ। ଏଥିରେ ବିଶିଷ୍ଟ ଲେଖକ ବିବୁଧରଂଜନ, ଶୈଳେନ୍ଦ୍ର ମହାପାତ୍ର, ରଜନୀକାନ୍ତ ମହାନ୍ତି ଓ ବାସୁଦେବ ବାରିକ ପ୍ରମୁଖ ପ୍ରଥମ ବହି ପ୍ରକାଶନର ପୁଲକ ବଖାଣି ତାହା ପ୍ରତିଟି ଲେଖକ ଲେଖିକ ପାଇଁ ସର୍ବଦା ସ୍ମରଣୀୟ ବୋଲି ମତ ରଖିଥିଲେ। କୈଳାଶ ଚନ୍ଦ୍ର ପଣ୍ଡା, ହରମୋହନ କୁଅଁର, ଡା. ବିକାଶ ନାରାୟଣ ନନ୍ଦ, ବାଦଲ କିଶୋର ମହାପାତ୍ର, ଶାନ୍ତିସ୍ୱରୂପ ମିଶ୍ର, ସୁଚିତ୍ରା ପାଣିଗ୍ରାହୀ, ବସୁମିତ୍ରା ସାହୁ ପ୍ରମୁଖ କାର୍ଯ୍ୟକ୍ରମର ପରିଚାଳନା କରିଥିଲେ। ରାଜ୍ୟର ପ୍ରମୁଖ ପ୍ରକାଶକମାନେ ଏଥିରେ ଯୋଗଦେଇଛନ୍ତି ଏବଂ ପ୍ରତ୍ୟହ ପୁସ୍ତକ ସଂପର୍କିତ କୁଇଜ୍ ପ୍ରତିଯୋଗିତା ଅନୁଷ୍ଠିତ ହେବା ସହ ଭିନ୍ନ ଭିନ୍ନ ରୁଚିର ସାରସ୍ୱତ କାର୍ଯ୍ୟକ୍ରମମାନ ସଂଯୋଜିତ ହୋଇଛି ବୋଲି କର୍ମକର୍ତ୍ତାମାନେ ପ୍ରକାଶ କରିଛନ୍ତି।