Odiapua.com

ବସ ପୋଡିଦେଲେ ଦୁର୍ବୃତ୍ତ, ଅଳ୍ପକେ ବର୍ତ୍ତିଲେ ଚାଳକ ଏବଂ ହେଲପର

ଭଦ୍ରକ, ୧୧ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ବାଂଶଡା ଥାନା ଅଧିନସ୍ଥ ନୂଆ ଗାଁ ପଂଚାୟତରେ ଏକ ଯାତ୍ରୀବାହୀ ବସକୁ କେହି ଦୁର୍ବୁତ ଗତକାଲି ମଧ୍ୟ ରାତ୍ରିରେ ନିଆଁ ଲଗାଇ ଫେରାର ହୋଇଯାଇଥିବା ଖବର ହସ୍ତଗତ ହୋଇଛି । ମିଳିଥିବା ଖବରରୁ ଜଣାଯାଇଛି ନାୟକ ନାମ ଯାତ୍ରୀବାହୀ ବସଟି ବାଂଶଡା ଫେରିଘାଟ ଠାରୁ ସବୁଦିନ ଭୂବନେଶ୍ୱର ଯାତ୍ରା କରିଥାଏ । ଗତକାଲି ଏହି ବସଟି ଭୂବନେଶ୍ୱରରୁ ଫେରି ବାଂଶଡା ଘାଟ ଠାରେ ରହିଥିଲା । ଏହି ବସରେ ବସର ଚାଳକ ଏବଂ ହେଲପର ଶୋଇଥିଲେ । ବିଳମ୍ବିତ ରାତ୍ରିରେ କେହି ଦୁର୍ବତ ଆସି ଏହି ବସରେ ନିଆଁ ଲଗାଇ ଦେଇଥିଲେ । ବସରେ ଶୋଇଥିବା ଚାଳକ ଏବଂ ହେଲପର ନିଆଁ ତାତିରେ ଉଠି ବସର କାଚ ଭାଙ୍ଗି ବାହାରକୁ ଆସିଥିଲେ ଏବଂ ଚାନ୍ଦବାଲି ଏବଂ ଗଦି ଠାରେ ଥିବା ଅଗ୍ନିଶମ ବିଭାଗକୁ ଫୋନ କରିଥିଲେ ।ଅଗ୍ନିଶମ ବିଭାଗ ଆସି ପହଂଚିବା ବେଳକୁ ବସଟି ସଂପୂର୍ଣ ପୋଡି ଯାଇଥିଲା । ପରେ ବସର ଚାଳକଙ୍କ ଲିଖିତ ଅଭିଯୋଗ ଅନୁଯାୟୀ ବାଂଶଡା ଥାନାରେ ଏକ ମୋକଦମା ରୁଜୁ ହେବା ସହ ଅଧିକ ତଦନ୍ତ ଜାରୀ ରହିଛି ବୋଲି ବାଂଶଡା ଥାନାଧିକାରୀ କରୁଣାକର ରାଉତଙ୍କ ନିକଟରୁ ପ୍ରକାଶ । ବସର ଚାଳକଙ୍କ କହିବାନୁଯାୟୀ ବସର ସମୟକୁ ନେଇ ଦୁଇଟି ବସର ମାଲିକ ମାନଙ୍କ ମଧ୍ୟରେ ମତାନ୍ତର ରହିଥିଲା । ଏହାକୁ ଆଧାର କରାଯାଇ କେହି ଦୁର୍ବୃତ୍ତ ବସରେ ନିଆଁ ଲଗାଇ ଥାଇ ପାରନ୍ତି ବୋଲି ସନ୍ଦେହ ଥିବା ବସର ଚାଳକ ମତ ରଖିଥିଲେ ।