Odiapua.com

ବସ ଅନିୟନ୍ତ୍ରିତ ଭାବରେ ମାଡ଼ିଯିବାରୁ ୧ ମୃତ, ୨ ଗୁରୁତର

ସମ୍ବଲପୁର, ୨୮/୪ – (ଓଡ଼ିଆ ପୁଅ) ସ୍ଥାନୀୟ ଜିଲ୍ଲାସ୍କୁଲ ଛକରେ ଆଜି ଏକ ବେସରକାରୀ ବସ ବ୍ରେକଫେଲ ହେବାରୁ ବସ ମାଡ଼ିଯାଇ ଜଣେ ମହିଳାଙ୍କ ଶୋଚନୀୟ ମୃତ୍ୟୁ ଘଟିଥିବା ବେଳେ ଦୁଇଜଣ ଗୁରୁତର ଭାବରେ ଆହତ ହୋଇଛନ୍ତି। ଉଷା ନାମକ ଓଆର ୧୫ପି-୪୬୩୬ ନମ୍ବର ବିଶିଷ୍ଟ ବସ ଆଜି ବୃକ୍ସହିଲରୁ ଓହ୍ଲାଉଥିବା ବେଳେ ବ୍ରେକ୍ ଫେଲ ହେବାରୁ ସିଧାସଳଖ ପ୍ରଥମେ ଗୋଟିଏ ମୋଟର ସାଇକେଲକୁ ଧକ୍କା ଦେଇଥିଲା। ମୋଟର ସାଇକେଲ ଚାଳକ ସାକ୍ଷୀପଡ଼ାର ତନ୍ମୟ ମହାରଣା ଗୁରୁତର ଭାବରେ ଆହତ ହୋଇଥିଲେ। ଏହାପରେ ବସଟି ଗୋଟିଏ ଅଟୋରିକ୍ସାକୁ ଭିଡ଼ି ନେଇଥିଲା ଡ. ଅବଦୁଲ କଲାମଙ୍କ ପ୍ରତିମୂର୍ତ୍ତି ପଟକୁ। ଅଟୋରିକ୍ସାକୁ ନେଇ ରାସ୍ତାକଡ଼ରେ ଥିବା ଅନ୍ୟ ଏକ ଅଟୋ ଟ୍ରଲି ଉପରେ ପିଟିହୋଇ ଏକ ବିଦ୍ୟୁତ ଖୁଣ୍ଟ ପର୍ଯ୍ୟନ୍ତ ନେଇ ବସଟି ଅଟକି ଯାଇଥିଲା। ଅଟୋ ରିକ୍ସାରେ ଯାଉଥିବା ଜଣେ ମାତ୍ର ମହିଳା ଯାତ୍ରୀ ଚାପିହୋଇ ଘଟଣାସ୍ଥଳରେ ମୃତ୍ୟୁବରଣ କରିଥିଲେ। ସେଠାରେ ଛିଡ଼ା ହୋଇଥିବା କୁମ୍ଭାରପଡ଼ା ନିବାସୀ ପିଣ୍ଟୁ ଘୋଷ ମଧ୍ୟ ଗୁରୁତର ଭାବରେ ଆହତ ହୋଇଛନ୍ତି। ଅନ୍ୟ ଦୁଇଜଣ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି। ଦୁର୍ଘଟଣା ଘଟାଇବା ପରେ ବସଟି ପଳାଇ ଯାଉଥିବା ବେଳେ ଲୋକେ ତାକୁ ଗୋଡ଼ାଇ ସେନପାର୍କ ନିକଟରେ ଧରିଥିଲେ ଓ ଭଙ୍ଗାରୁଜା କରିଥିଲେ। ପୋଲିସ ପହଞ୍ଚି ପରିସ୍ଥିତିକୁ ସମ୍ଭାଳି ଥିଲା।