Odiapua.com

ବସ୍ କର୍ମଚାରୀଙ୍କ ସାମାଜିକ ସୁରକ୍ଷା ପ୍ରତି ଉଦାସୀନ ସରକାର-ମାଲିକ – ପ୍ୟାକେଜ୍ ଦାବିରେ ମୋଟର ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନର ବିକ୍ଷୋଭ

ବାଲେଶ୍ୱର, ୩୧ା୫(ଓଡ଼ିଆ ପୁଅ/ଅଭୟ ଦାସ): ରାଜ୍ୟ ସରକାର ଓ ଘରୋଇ ବସ୍ ମାଲିକ ସଂଘର ସଫଳ ଆଲୋଚନା କ୍ରମେ ଦୀର୍ଘଦିନ ପରେ ସମଗ୍ର ଓଡ଼ିଶାରେ ବସ୍ ଚଳାଚଳ ପାଇଁ ନିଷ୍ପତି ନିଆଯାଇଥିଲେ ବି ବିଭିନ୍ନ ଦାବି ନେଇ ପରିବହନ କର୍ମଚାରୀଙ୍କ ପକ୍ଷରୁ ଆଜିଠାରୁ ଆରମ୍ଭ ହୋଇଥିବା ଆନ୍ଦୋଳନ ଏଥିରେ ଅନ୍ତରାୟ ହୋଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶା ମୋଟର ଟ୍ରାନ୍ସପୋର୍ଟ ୱାର୍କର୍ସ ୟୁନିୟନ ବାଲେଶ୍ୱର ଶାଖାର କର୍ମକର୍ତ୍ତା, ସଦସ୍ୟ ତଥା ଜିଲ୍ଲାର ଏକାଧିକ ଘରୋଇ ବସ୍‌ର ଡ୍ରାଇଭର, କଣ୍ଡକ୍ଟର ଓ ହେଲପର ସ୍ଥାନୀୟ ସହଦେବଖୁଣ୍ଟା ବସ୍‌ଷ୍ଟାଣ୍ଡରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ବସ୍ ମାଲିକଙ୍କ ସ୍ୱାର୍ଥରକ୍ଷା ପ୍ରତି ଗୁରୁତ୍ୱ ଦେଇ ସେମାନଙ୍କ ଦାବି ଅନୁସାରେ ସରକାର ରୋଡ଼ ଟ୍ୟାକ୍ସ ଛାଡ଼ କରିବା ସହ ବୀମା ଓ ଋଣ କିସ୍ତି ପଇଠରେ କୋହଳ ନୀତି ଆପଣେଇଛନ୍ତି। ମାତ୍ର କରୋନା ସଂକ୍ରମଣ ଯୋଗୁଁ ସରକାରଙ୍କ ପକ୍ଷରୁ ଜାରି ରହିଥିବା ଲକ୍ ଡାଉନ୍ ଫଳରେ ଦୀର୍ଘ ୭୦ ଦିନ ଧରି ଜୀବିକା ହାରାଇ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଥିବା ପରିବହନ କର୍ମଚାରୀଙ୍କୁ ସରକାର କିମ୍ବା ବସ୍ ମାଲିକ ଟଙ୍କାଟିଏ ବି ସହାୟତା ଦେଲେ ନାହିଁ। ବସ୍ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ନ ଦେଇ ଗାଡ଼ି ଚଳାଚଳ କେତେ ଯୁକ୍ତିଯୁକ୍ତ ବୋଲି ସଂଗଠନ ପକ୍ଷରୁ ଆରୋପ ହୋଇଛି। ସଂଘର ଦାବି ମୁତାବକ ବସ୍ କର୍ମଚାରୀମାନଙ୍କୁ ଲକ୍ ଡାଉନ୍ ଅବଧି ସମେତ ଆସନ୍ତା ୬ ମାସ ପର୍ଯ୍ୟନ୍ତ ମାସିକ ୭ହଜାର ୫ଶହ ଟଙ୍କାର ଭତ୍ତା ସାଙ୍ଗକୁ ପ୍ରତି ପରିବାରକୁ ୧୦ କେଜି ଚାଉଳ, ୩ କେଜି ଡାଲି, ୨ ଲିଟର ଖାଇବା ତେଲ ପ୍ରଦାନ କରିବା; ମହାରାଷ୍ଟ୍ର ସରକାରଙ୍କ ଭଳି ଓଡ଼ିଶାରେ ମଧ୍ୟ ପ୍ରତ୍ୟେକ ପରିବହନ କର୍ମଚାରୀଙ୍କର ୧୦ ଲକ୍ଷ ଟଙ୍କାର ବୀମା କରାଇବା, କର୍ମଚାରୀ ଓ ଯାତ୍ରୀଙ୍କୁ ମାସ୍କ ପ୍ରଦାନ ଓ ସାନିଟାଇଜିଂ ପାଇଁ ସଂଘର କର୍ମକର୍ତ୍ତାମାନେ ଦାବି କରିଥିଲେ। ଏଥି ସହିତ ପରିବହନ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ଘୋଷଣା କରା ନଗଲେ ଆଗାମୀ ଦିନରେ ସମସ୍ତ ପରିବହନ କର୍ମଚାରୀ ଚକାବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସଂଘ ପକ୍ଷରୁ ଚେତାବନୀ ଦିଆଯାଇଛି। ରାଜକିଶୋର ଲେଙ୍କା, ଅସିତ ବରଣ ଦାସ, ପ୍ରମୋଦ କୁମାର ରାଉତ, ବିନୋଦ କୁମାର ଜେନା, ଅଚ୍ୟୁତ୍ କୁମାର ବାରିକ, ବସନ୍ତ କୁମାର ସାହୁ, ଗଣେଶ୍ୱର ଦାସ, ସନ୍ତୋଷ ମଲିକ ପ୍ରମୁଖ ପରିବହନ କର୍ମଚାରୀ ସଂଘର କର୍ମକର୍ତ୍ତାଙ୍କ ସମେତ ବହୁ ହେଲପର, ଡ୍ରାଇଭର ଓ କଣ୍ଡକ୍ଟର ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।