Odiapua.com

ବସନ୍ତ ସାହୁ ମୃତ ଘଟଣାର ୧୫ଦିନ ପରେ ବି ପୁଲିସ୍ ହାତ ଖାଲି, ବିଧବା ସ୍ତ୍ରୀ ସହ ଗ୍ରାମବାସୀ ଧାମନଗର ଥାନାରେ ଧାରଣା ଦେଲେ

ଭଦ୍ରକ, ୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅଧୀନସ୍ଥ ଗୋବିନ୍ଦପୁର ଗ୍ରାମର ବସନ୍ତ ସାହୁର ମୃତଦେହ ଗତ ସେପ୍ଟେମ୍ବର ୧୬ ତାରିଖ ଦିନ ସକାଳେ ଧାମନଗର-ଦୋବଲ ରାସ୍ତାର ରାଣୀପୋଖରୀ ଆଡିରେ ଉଦ୍ଧାର ହେବା ପରେ ତାର ମୃତ୍ୟୁ ଆତ୍ମହତ୍ୟା ନୁହେଁ ହତ୍ୟା ବୋଲି ଅଭିଯୋଗ ହୋଇଥିଲା । ତେବେ ମୃତ୍ୟୁର ୧୫ଦିନ ହୋଇଯାଇଥିଲେ ବି ଧାମନଗର ପୁଲିସ୍ ହତ୍ୟାକାଣ୍ଡର ସୁରାଗ ପାଇପାରୁନି । ତେବେ ପ୍ରେମ ଜନିତ ଘଟଣାରୁ ଏପରି ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି । ଏହା ହତ୍ୟା କି ଆତ୍ମହତ୍ୟା ତାହାକୁ ନେଇ ପୁଲିସ୍ ତଦନ୍ତ ଠିକ୍ ଭାବେ କରୁନାହିଁ ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି । ଏ ନେଇ ଗତମାସ ୨୫ ତାରିଖ ଦିନ ପରିବାର ଓ ଗ୍ରାମବାସୀମାନେ ଧାମନଗର ଥାନା ଘେରାଓ କରିଥିଲେ । ଫଳରେ ପୁଲିସ୍ ୩ ଦିନ ମଧ୍ୟରେ ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କାହାକୁ ଗିରଫ କରିନାହିଁ । ଫଳରେ ପୁଲିସ୍‌ର ତଦନ୍ତକୁ ସନ୍ଦେହ କରି ଆଜି ଦିନ ୧୦ଟା ସମୟରେ ମୃତ ବସନ୍ତର ପତ୍ନୀ ସସ୍ମିତା ସାହୁଙ୍କ ସମେତ ବହୁ ମହିଳା ଓ ପୁରୁଷ ଧାମନଗର ଥାନା ସମ୍ମୁଖରେ ଧାରଣା ଦେଇଥିଲେ । ଅଭିଯୁକ୍ତକୁ ଗିରଫ କରାନଗଲେ ଆମରଣ ଅନଶନ ଜାରି ରହିବ ବୋଲି ବିଧବା ସସ୍ମିତା ମଧ୍ୟ ଚେତାବନୀ ଦେଇଥିଲେ । ଏସ୍‌ଡିପିଓ ବିଜୟ ମହାପାତ୍ର, ଥାନା ଅଧିକାରୀ ଫନିଭୂଷଣ ନାୟକ ଘଟଣା ସ୍ଥଳରେ ପହଞ୍ôଚ ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ୭ ଦିନ ମଧ୍ୟରେ ଅଭିଯୁକ୍ତଙ୍କୁ ଗିରଫ କରାଯିବ ବୋଲି ପ୍ରତିଶ୍ରୁତି ଦେବା ପରେ ଏହି ଧାରଣା ପ୍ରତ୍ୟାହୃତ ହୋଇଛି । ସୂଚନା ଥାଉକି ବସନ୍ତ ସାହୁଙ୍କ ସହ ଅସୁରାଳି ଅଂଚଳର ଅଜିତ୍ ସାହୁଙ୍କ ପତ୍ନୀଙ୍କ ମଧ୍ୟରେ ପ୍ରେମ ସଂପର୍କ ରହିଥିଲା । ଏହି ଘଟଣାକୁ ନେଇ ଅଜିତ୍ ଓ ବସନ୍ତଙ୍କ ମଧ୍ୟରେ ବିଭିନ୍ନ ସମୟରେ ମାଡପିଟ ହୋଇଥିଲା । ଏପରିକି ବସନ୍ତ ମରିବାର ଗୋଟିଏ ଦିନ ପୂର୍ବେ ତାକୁ ଅଜିତ୍ ମାଡ ମାରୁଥିବାର ସିସି କ୍ୟାମେରାରୁ ଜଣାପଡିବା ପରେ ଅଜିତ୍ ଉପରେ ସନ୍ଦେହ ସୃଷ୍ଟି ହୋଇଥିଲା । ତେବେ ୧୫ ଦିନ ହେବ ଅଜିତ୍ ଓ ତାଙ୍କ ପତ୍ନୀ ଫେରାର ଅଛନ୍ତି । ଖୁବଶୀଘ୍ର ଫେରାର ଅଜିତ୍‌କୁ ଗିରଫ କରାଯିବ ବୋଲି ଥାନାଧିକାରୀ ଶ୍ରୀ ନାୟକ ଗଣମାଧ୍ୟମକୁ କହିଛନ୍ତି ।