Odiapua.com

ବସନ୍ତ ମଞ୍ଜରୀ ଚିକିତ୍ସାଳୟରୁ ଡାକ୍ତରଙ୍କ ଡେପୁଟେସନ୍ ବାତିଲ ଦାବି

ନୟାଗଡ଼ ୧୫/୦୯(ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ଓଡ଼ିଶାର ପ୍ରଥମ ମହିଳା ନାରୀ ସ୍ୱାସ୍ଥ୍ୟମନ୍ତ୍ରୀ ରଣପୁର ରାଜମାତା ୰ ବସନ୍ତ ମଞ୍ଜରୀ ଦେବୀ ଚାନ୍ଦପୁର ଠାରେ ଏକ ସ୍ୱାସ୍ଥ୍ୟ ଯକ୍ଷ୍ମା ନିବାସ ପ୍ରତିଷ୍ଠା କରିଥିଲେ। ପରବର୍ତ୍ତୀ କାଳରେ ତାହା ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟ ନାମରେ ପରିଚିତ। ବର୍ତ୍ତମାନ ୯ ଜଣ ଡାକ୍ତର କାର୍ଯ୍ୟରତ। ଗତ ଅଗଷ୍ଟ ୨୨ ତାରିଖ ଠାରୁ ପ୍ରତି ସୋମବାର ଗର୍ଭବତୀ ମହିଳା ମାନଙ୍କ ପାଇଁ ଅଲ୍‌ଟ୍ରାସାଉଣ୍ଡର ବ୍ୟବସ୍ଥା ହୋଇଥିଲା। ୨ ଜଣ ସ୍ତ୍ରୀ ପ୍ରସୁତି ବିଭାଗ ଡାକ୍ତର ଥିବା ବେଳେ କେବଳ ପ୍ରଶାନ୍ତ କୁମାର ନାୟକ ଅଲ୍‌ଟ୍ରାସାଉଣ୍ଡ ମେସିନ୍ ଚଲାଇବା ପାଇଁ ତାଲିମ ପ୍ରାପ୍ତ ହୋଇଥିଲେ। କିନ୍ତୁ ତାଲିମ ପ୍ରାପ୍ତ ଡାକ୍ତର ପ୍ରଶାନ୍ତ କୁମାର ନାୟକଙ୍କୁ ଅନ୍ୟତ୍ର ଡେପୁଟେସନ୍ କରାଯାଇଥିବାରୁ ଜନ ଅସନ୍ତୋଷ ଦେଖା ଦେଇଛି। ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟ ଚିକିତ୍ସାଳୟ ଉପରେ ୧୦ ଗୋଟି ଗ୍ରାମପଞ୍ଚାୟତ ଯଥା ଚାନ୍ଦପୁର, ରାଇପଡା, କନ୍ଧନୟାଗଡ଼, ପଟିଆ, ଚମ୍ପାପେଡି, କେରଣ୍ଡାଟାଙ୍ଗୀ, ମୟୁରଝାଲିଆ, ଝାଡପଡା, ରାଜଜଙ୍କିଆ ଓ ଚମ୍ପାଗଡ ଜନସାଧାରଣ ନିର୍ଭର କରନ୍ତି।

ସ୍ତ୍ରୀ ଓ ପ୍ରସୁତୀ ବିଭାଗ ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଆରମ୍ଭ ହେବାକୁ ଯାଉଥିବା ବେଳେ ଅଲ୍‌ଟ୍ରାସାଉଣ୍ଡ ମେସିନ୍ ତାଲିମ ପ୍ରାପ୍ତ ଏକମାତ୍ର ଡାକ୍ତରଙ୍କୁ ଡେପୁଟେସନ୍ କୁ ଜନସାଧାରଣ ସହଜରେ ଗ୍ରହଣ କରି ପାରୁନାହାଁନ୍ତି। ଯାହାକି ଜନ ଆନ୍ଦୋଳନ ର ରୂପରେଖ ନେବ ବୋଲି ଆଲୋଚନା ହେଉଛି। ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ଚିକିତ୍ସାଳୟରେ ଏ ପର୍ଯ୍ୟନ୍ତ ୪ ଜଣ ମହିଳାଙ୍କ ପ୍ରସୂତି ହେବା ରିପୋର୍ଟ ଦେଖି ନୟାଗଡ ଜିଲ୍ଲାପାଳ ଡଃ. ପୋମା ଟୁଡୁ କ୍ଷୋଭ ପ୍ରକାଶ କରି ଡାକ୍ତରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ କହିଥିବା ନୟାଗଡ ମୁଖ୍ୟ ଚିକିତ୍ସକ ମକରନ୍ଦ ବେଉରା କହିଛନ୍ତି।