Odiapua.com

ବଳି ପଡ଼ିଲା ବିକାଶ: ଧାମନଗରରେ ଉଦଘାଟନ ପୂର୍ବରୁ ଫାଟିଲା ସେତୁର ସୁରକ୍ଷା ପାଚେରି

ଭଦ୍ରକ, ୨୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିକାଶ ନାଁରେ କିଭଳି ସରକାରୀ ଅର୍ଥର ହରିଲୁଟ୍ ଚାଲିଛି ଏବଂ ବିଭାଗୀୟ ଯନ୍ତ୍ରୀଙ୍କ ଆଖି ସାମ୍ନାରେ କିପରି ଖୋଲାଖୋଲି ନିମ୍ନମାନର କାମ ହେଉଛି, ତାହାର ଏକ ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଧାମନଗର ବ୍ଲକ ଖଡ଼ିପଦା ପଂଚାୟତରେ। ମୁଥାନଗର-ଖଡ଼ିପଦା ପଂଚାୟତ ଅଫିସ ରାସ୍ତାରେ ଭୋଲା ବେହେରା ନାଳ ଉପରେ ନିର୍ମାଣାଧୀନ ସେତୁର କାର୍ଯ୍ୟ ଶେଷ ନହେଉଣୁ ଏହାର ଆପ୍ରୋଚ ରୋଡ ସୁରକ୍ଷା ପାଚେରି ଭାଙ୍ଗି ଦୁଇ ଫାଳ ହୋଇଯାଇଛି। ସରକାରୀ କାର୍ଯ୍ୟାଦେଶ ଅନୁଯାୟୀ ଏହି କାମ ପ୍ରାୟ ୧୫ ମାସ ପୂର୍ବରୁ ସରିବା କଥା, କିନ୍ତୁ ଏବେ ସୁଦ୍ଧା କାମ ଅଧାପନ୍ତରିଆ ହୋଇ ପଡ଼ିଥିବା ବେଳେ ଯେତିକି କାମ ହୋଇଛି ତାହା ମଧ୍ୟ ଅତ୍ୟନ୍ତ ନିମ୍ନମାନର ବୋଲି ପ୍ରମାଣିତ ହୋଇଛି।ରାଜ୍ୟ ସରକାରଙ୍କ ‘ସେତୁ ବନ୍ଧନ ଯୋଜନା’ ଅଧୀନରେ ୪ କୋଟି ୮୮ ଲକ୍ଷ ୩୩ ହଜାର ୩୮୪ ଟଙ୍କା ଅଟକଳରେ ଏହି ପ୍ରକଳ୍ପ ନିର୍ମାଣ ହେଉଛି। ଏହି ସେତୁଟି ଖଡ଼ିପଦା ପଂଚାୟତ ଅଫିସ ସମେତ ବେଦପୁର, ମୁଥାନଗର ଏବଂ ବୈକୁଣ୍ଠି ଆଦି ଗାଁକୁ ଯୋଡ଼ିବା ସହ ଦୋବଲ, ଧାମନଗର, ଭଦ୍ରକ ଏବଂ ଯାଜପୁର ଟାଉନକୁ ଯାତାୟାତ ପାଇଁ ଏକ ସୁବିଧାଜନକ ରାସ୍ତା ସୃଷ୍ଟି କରିବ। ଦୈନିକ ୫୦୦୦ରୁ ଅଧିକ ଲୋକ ନିର୍ଭର କରୁଥିବା ଏହି ସେତୁର ଅବସ୍ଥା ଏବେ ସ୍ଥାନୀୟ ବାସିନ୍ଦାଙ୍କୁ ଭୟଭୀତ କରିଛି। ଗ୍ରାମ୍ୟ ନିର୍ମାଣ ବିଭାଜନ-୨, ଭଦ୍ରକର ଅଧୀକ୍ଷଣ ଯନ୍ତ୍ରୀଙ୍କ ତଦାରଖରେ ଏହି କାମ ହେଉଥିବା ବେଳେ ସେମାନଙ୍କ ଦାୟିତ୍ୱହୀନତା ବର୍ତମାନ ପଦାରେ ପଡ଼ିଛି। ପ୍ରକଳ୍ପ ନକ୍ସା ଅନୁଯାୟୀ, ୩୩.୨୧ ମିଟର ଲମ୍ବ ଏବଂ ୭.୫୦ ମିଟର ଚଉଡ଼ା ବିଶିଷ୍ଟ ଏହି ସେତୁ ନିର୍ମାଣରେ ଆରସିସି ଏମ୍‌-୩୦ ଏବଂ ଏମ୍‌-୩୫ ଉଚ୍ଚ ଗ୍ରେଡ୍‌?ର କଂକ୍ରିଟ୍ ମିକ୍ସ ବ୍ୟବହାର କରିବାକୁ ନିର୍ଦ୍ଦେଶ ରହିଛି। ହେଲେ କାନ୍ଥ ଫାଟିବାର ମୁଖ୍ୟ ବୈଷୟିକ କାରଣ ଖୋଜିଲେ ଠିକାଦାରଙ୍କ ଖାମଖିଆଲି ମନୋଭାବ ସାମ୍ନାକୁ ଆସୁଛି। ଆପ୍ରୋଚ୍ ରୋଡ୍ ନିର୍ମାଣ ବେଳେ ବାଲି ଫିଲିଂ ବଦଳରେ ପଇସା ବଂଚାଇବା ପାଇଁ ଠିକାଦାର କେବଳ ସାଧାରଣ ମାଟି ଭର୍ତି କରିଦେଲେ। ମାଟିକୁ ସ୍ତର ସ୍ତର କରି ରୋଲିଂ ବା କମ୍ପାକ୍ସନ କରାଗଲା ନାହିଁ। ବର୍ଷା ହେବା ଫଳରେ ଏହି ମାଟି ପାଣି ଶୋଷି ଓଜନଦାର ହେଲା ଏବଂ କାନ୍ଥ ଉପରେ ପ୍ରବଳ ପାର୍ଶ୍ୱବର୍ତୀ ପକାଇଲା। କାନ୍ଥରେ ପାଣି ବାହାରିବା ପାଇଁ ଆବଶ୍ୟକୀୟ ୱିପ୍ ହୋଲ୍ ମଧ୍ୟ ନଥିବାରୁ, ଚାପ ସମ୍ଭାଳି ନପାରି ନିମ୍ନମାନର କଂକ୍ରିଟ ରେ ତିଆରି ଏହି କାନ୍ଥ ମୂଳ ଗଠନ ରୁ ଛିଣ୍ଡି ଆଡ଼େଇ ହୋଇଗଲା ବୋଲି କୁହାଯାଉଛି। ଏତେ ବଡ଼ ବୈଷୟିକ ତ୍ରୁଟି ଏବଂ ଖୋଲାଖୋଲି ଦୁର୍ନୀତି ହେଉଥିବା ବେଳେ ବିଭାଗୀୟ ଦାୟିତ୍ୱ ପ୍ରାପ୍ତ ଯନ୍ତ୍ରୀମାନେ କିପରି ସବୁ ଜାଣିଶୁଣି ନଜରଅନ୍ଦାଜ କଲେ, ତାହା ସବୁଠାରୁ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସାମାନ୍ୟ ମାଟି ଚାପରେ ଯଦି କାନ୍ଥ ଭାଙ୍ଗିଯାଉଛି, ତେବେ ପୋଲ ଉପରେ ଭାରୀ ଯାନ ଚାଲିଲେ ଲୋକଙ୍କ ଜୀବନ କେତେ ସୁରକ୍ଷିତ। ଏହି ଦୁର୍ନୀତିର ତୁରନ୍ତ ଏକ ଉଚ୍ଚସ୍ତରୀୟ ବୈଷୟିକ ତଦନ୍ତ କରା ଯିବାକୁ ସ୍ଥାନିୟ ଅଞ୍ଚଳ ର ଜନ ସାଧାରଣ ଦାବି କରିଛନ୍ତି। ଏନେଇ ଗ୍ରାମ୍ୟ ଉନ୍ନୟନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ କହିଛନ୍ତି ଯେ, ଦୁଇଦିନ ମଧ୍ୟ ରେ ଘଟଣା ର ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।