Odiapua.com

ବଳିଦାନୀ ବାଳକ ବୀର ହକୀକତ ରାୟ

ବସନ୍ତ ପଂଚମୀ (ଫେବୃଆରୀ ୧୬) ବଳିଦାନ ଦିବସ ଉପଲକ୍ଷେ ବିଶେଷ :

– ଡ. ସମନ୍ୱୟ ନନ୍ଦ

ଏହି ଧରାପୃଷ୍ଠରେ ଯିଏ ଜନ୍ମ ନେଇଛି ତାର ମୃତ୍ୟୁ ସୁନିଶ୍ଚିତ। ଏଭଳି କେହି ନାହାନ୍ତି ଯେ ସବୁ ଦିନ ପାଇଁ ଅମର ହୋଇ ରହିଛନ୍ତି। ତେବେ ଏଭଳି ଲୋକ ଯେଉଁ ମାନେ ନିଜର ସଂସ୍କୃତି ପରମ୍ପରା ଓ ଧର୍ମ ପାଇଁ ସର୍ବୋଚ୍ଚ ବଳିଦାନ ଦିଅନ୍ତି ସେମାନଙ୍କର ଜୀବନ ସାର୍ଥକ ହୋଇଥାଏା ସେମାନେ ତାଙ୍କର ବଳିଦାନ ଦ୍ୱାରା ନିଜ ଧର୍ମ ସଂସ୍କୃତିର କେବଳ ରକ୍ଷା କରି ନ ଥାନ୍ତି ବରଂ ସବୁଦିନ ପାଇଁ ସେମାନେ ଅମର ହୋଇଯାଆନ୍ତି। ସମଗ୍ର ଜାତି ତାଙ୍କୁ ମନେ ରଖେ। ତାଙ୍କୁ ଶ୍ରଦ୍ଧାଂଜଳି ଅର୍ପଣ କରେ, ପରବର୍ତ୍ତୀ ପୀଢୀ ପାଇଁ ସେମାନେ ଉଦାହରଣ ହୋଇଯାଆନ୍ତି। ଏଭଳି ଜଣେ ବାଳକ ହେଉଛନ୍ତି ବୀର ହକୀକତ ରାୟ। ୧୭୯୦ ମସିହାରେ ସିଆଲକୋଟ, ବର୍ତମାନ ପାକିସ୍ତାନରେ ତାଙ୍କର ଜନ୍ମ ହୋଇଥିଲା। ବାଳକ ହକୀକତ ତାଙ୍କ ପରିବାରରୁ ଧାର୍ମିକ ଶିକ୍ଷା ଓ ସଂସ୍କାର ପାଇଥିଲେ ଓ ଧର୍ମ ରକ୍ଷା ପାଇଁ ନିଜକୁ ବଳିଦାନ କରି ଦେଇଥିଲେ। ତାଙ୍କର ଏହି ବଳିଦାନ ଇତିହାସର ସ୍ୱର୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।

ସେତେବେଳେ ଲାହୋରରେ ମୁସଲମାନ ମାନଙ୍କର ରାଜତ୍ୱ ଥିଲା। ମୁସଲମାନ ମାନଙ୍କର ରାଜତ୍ୱ ଥିବା କାରଣରୁ ସେତେବେଳେ ପ୍ରଶାସନ ଇସଲାମକୁ ଲୋକ ମାନଙ୍କର ମୁକ୍ତିର ମାର୍ଗ ବୋଲି ପ୍ରଚାର କରୁଥିଲା। ହିନ୍ଦୁ ମାନଙ୍କ ଉପରେ ଅତ୍ୟାଚାର କରାଯାଉଥିଲା। ଇସଲାମ ଗ୍ରହଣ କରିବାକୁ ସେମାନଙ୍କ ଉପରେ ଚାପ ପ୍ରୟୋଗ କରାଯାଉଥିଲା। ସେମାନଙ୍କୁ ପ୍ରଲୋଭନ ମଧ୍ୟ ଦିଆଯାଉଥିଲା। ଏହି କାମ ପାଇଁ ହିଂସାର ସାହାରା ମଧ୍ୟ ନିଆଯାଉଥିଲା।

ଏହି କାଳଖଣ୍ଡରେ ଜନ୍ମ ହୋଇଥିବା ହକୀକତ ରାୟ ୧୧ ବର୍ଷ ବୟସରଙ୍କ ଜଣେ ମୌଲବୀ ନିକଟକୁ ପାର୍ସୀ ଶିଖିବାକୁ ଯାଉଥିଲେ। କାରଣ ସେତେବେଳେ ପାର୍ସୀ ସରକାରୀ ଭାଷା ଥିଲା।ମୁସଲମାନ ମାନଙ୍କର ରାଜତ୍ୱ କାରଣରୁ ପାର୍ସୀ ରାଜଦରବାରର ଭାଷା ଥିଲା। ପାର୍ସୀ ନ ଶିଖିଲେ କୌଣସି ପ୍ରକାର ଚାକିରୀ ମିଳିବାର ସମ୍ଭାବନା ନ ଥିଲା।

ମୁସଲମାନ ମୌଲବୀଙ୍କ ନିକଟରେ ପଢୁଥିବା ବେଳେ ତାଙ୍କର କୌଣସି ସହପାଠୀଙ୍କ ସହ ବିବାଦ ହୋଇଥିଲା। ତାଙ୍କର ସହପାଠୀ ଜଣଙ୍କ ଶ୍ରୀରାମ ଓ ଶ୍ରୀକୃଷ୍ଣଙ୍କ ସମ୍ପର୍କରେ ଅପଶବ୍ଦ କହିଥିଲା। ଏହା ଫଳରେ ୧୧ ବର୍ଷୀୟ ବାଳକ ଚୁପ ରହି ପାରିଲା ନାହିଁ। ସେ ମଧ୍ୟ ସାହସ ପୂର୍ବକ ତାର ଜବାବ ଦେଲା। ଏହି ବିବାଦ ଧୀରେ ଧୀରେ ଉଗ୍ର ରୂପ ଧାରଣ କଲା। ସେହି ସ୍ଥାନକୁ କିଛି ମୌଲବୀ ଆସି ପହଂଚି ଗଲେ। ବାଳକ ହକିକତରାୟର ମୁଖରୁ ଇସଲାମର ନିନ୍ଦା ଶୁଣି ସେମାନେ କ୍ରୋଧରେ ତମ ତମ ହୋଇଗଲେ। ସେମାନେ ଏତେ ମାତ୍ରାରେ ରାଗିଲେ ଯେ ସେମାନେ ବାଳକକୁ ମାରିବାକୁ ଉଦ୍ୟତ ହେଲେ।

ବିବାଦ ବଢିବାରୁ ମାମଲା ନ୍ୟାୟାଧୀଶ (କାଜୀ)ଙ୍କ ନିକଟରେ ପହଂଚିଲା। ମାମଲାର ଶୁଣାଣୀ ହେଲା। କାଜୀ ମହୋଦୟ ରାୟ ଦେଲେ ଯେ ବାଳକ ହକୀକତ ରସୁଲ ଓ କୁରାନର ଅବମାନନା କରିଛି। ତେଣୁ ସେ ତାର ଭୁଲକୁ ସ୍ୱୀକାର କରି ଇସଲାମକୁ ଆପଣାଉ। ନ ହେଲେ ଶରିୟତ ଆଇନ ଅନୁଯାୟୀ ତାର ପ୍ରାଣ ନିଆଯିବ।

ବାଳକ ହକୀକତ ଏହି ରାୟକୁ ଧୈର୍ଯ୍ୟ ପୂର୍ବକ ଶୁଣିଲା। ଏହି ରାୟ ଶୁଣିଲା ବେଳେ ତାର ଚେହେରାରେ ଟିକେ ହେଲେ କଷ୍ଟ ହେଉ ଥିବା ଭଳି ଦେଖା ଯାଉ ନଥିଲା। ଏହି ରାୟ ଶୁଣି ବାଳକର ମାତା କୌରାଲ ଭାଙ୍ଗି ପଡିଲେ। ସେ ତାଙ୍କ ପୁଅକୁ ବୁଝାଇଲେ ପୁଅ କଣ ଏଇଥି ପାଇଁ ମୁଁ ତୋତେ ଜନ୍ମ ଦେଇଥିଲି। ତୁ କ୍ଷମା ମଗି ଇସଲାମ ଗ୍ରହଣ କରି। ଏହା ଦ୍ୱାରା ତୁ ବଂଚି ଯାଇ ପାରିବୁ ଓ ମୁଁ ତେତେ ତେଖି ପାରିବି।

କିନ୍ତୁ ବାଳକ ହକୀକତ ମୃତ୍ୟୁ ପ୍ରତି ଭୟଭୀତ ନ ଥିଲା। ସେ ନିର୍ଭୀକତାର ସହିତ ତାର ମାକୁ କହିଲା ଯେ ମୁଁ ଧର୍ମ କ୍ଷେତ୍ରରେ ଠିଆ ହୋଇଛି। ମୁଁ ସର୍ବଦା ଧର୍ମର ପାଳନ କରି ଆସିଛି। ତୁ ମୋତେ ସବୁବେଳେ ପ୍ରାଚୀନ ମୁନି ଋଷିଙ୍କ ବାଣୀକୁ ଶୁଣାଇ ଧର୍ମର ଆଚରଣ କରିବାକୁ ଶିକ୍ଷା ଦେଇ ଆସିଛୁ। ତେଣୁ ମୁଁ ଧର୍ମ ମାର୍ଗରୁ ବିଚଳିତ ହେବି ନାହିଁ। ଧର୍ମର ରକ୍ଷା ପାଇଁ ଗୋଟିଏ ଜୀବନ କଣ ହଜାର ହଜାର ଜୀବନ ଦେବାକୁ ମୁଁ ପ୍ରସ୍ତୁତ ଅଛି।

ଏହି ମାମଲା ଲାହୌରର ନବାବଙ୍କ ନିକଟକୁ ଆସିଲା। ବାଳକ ହକୀକତକୁ ଅନେକ ପ୍ରକାର ପ୍ରଲୋଭନ ଦିଆଗଲା। ତାଙ୍କର ମୁଣ୍ଡ କାଟ କରିବାକୁ ଭୟ ମଧ୍ୟ ଦେଖାଗଲା। କିନ୍ତୁ ଧର୍ମ ଯୋଦ୍ଧା ବାଳକ ହକୀକତ ତାର ନିଷ୍ପତିରେ ଅଟଳ ରହିଲା। ବାଳକର ମା ତାଙ୍କ ପୁଅକୁ ବୁଝାଇବାରେ ଲାଗିଥିଲେ, ପୁଅ ଇସଲାମ ଗ୍ରହଣ କରି ବଂଚି ରହ। ତେବେ ଏହାର କୌଣସି ପ୍ରଭାବ ବାଳକ ହକୀକତ ଉପରେ ପଡି ନ ଥିଲା। ସେ ତାର ସଂକଳ୍ପରେ ଅଟଳ ଥିଲା। ସେ ମୌଲବୀକୁ ନିଜର ବେକ ଦେଖାଇ କହିଲା ଯେ ଏହି ମୁଣ୍ଡକୁ ଶୀଘ୍ର କାଟି ନିଅ, ହେଲେ ତୁମର ଇସଲାମ ଅସମ୍ପୂର୍ଣ ରହି ଯାଇ ପାରେ। ଅଉ ବିଳମ୍ବ କର ନାହିଁ।

ବାଳକର ମାତା ଓ ଅନ୍ୟ ସମ୍ପର୍କୀୟ ମାନେ କାନ୍ଦୁଥିଲେ କିନ୍ତୁ ବାଳକ ହକିକତ ପ୍ରସନ୍ନ ଚିତରେ ଦଣ୍ଡାୟମାନ ଥିଲା। ଜଣେ ବ୍ୟକ୍ତି ତାଙ୍କର ମୁଣ୍ଡକୁ ଶରୀରରୁ ଅଲଗା କରି ଦେଇଥିଲା। ସବୁ ଆଡେ ତ୍ରାହି ତ୍ରାହି ହୋଇଗଲା। ଜଣେ ନିରପରାଧ ଏବଂ ଅବୋଧ ବାଳକ ବୀର ହକୀକତ ରାୟ ମୌଳବାଦୀ ମୁସଲମାନ ମାନଙ୍କର ଶୀକାର ହୋଇଗଲା। ସେହି ଦିନ ବସନ୍ତ ପଂଚମୀ ଥିଲା। ବସନ୍ତ ପଂଚମୀ ଦିନ ହିଁ ବୀର ହକୀକତ ରାୟ ବଳିଦାନ ଦେଇଥିଲେ। ଯେ ପର୍ଯ୍ୟନ୍ତ ହିନ୍ଦୁ ଜାତି ଥିବ ସେ ପର୍ଯ୍ୟନ୍ତ ରାମ ଓ କୃଷ୍ଣଙ୍କର ଏହି ଭକ୍ତ ବୀର ହକୀକତ ରାୟ ଅମର ହୋଇ ରହିବେ।

ତାଙ୍କର ବଳିଦାନ ସ୍ଥଳ ଆଜି ପାକିସ୍ତାନରେ ରହିଛି। ସବୁଠାରୁ ଦୁର୍ଭାଗ୍ୟର ବିଷୟ ଯେ ପାକିସ୍ତାନରେ ଆଜି ମଧ୍ୟ ଇଶ ନିନ୍ଦା ଆଇନ ନାମରେ ଏକ ଆଇନ ରହିଛି, ଯାହା ଫଳରେ ଅଣ ମୁସଲମାନ ମାନଙ୍କୁ ବିନା ପ୍ରମାଣରେ ଜେଲରେ ଭର୍ତି କରାଯାଉଛି, ଫାସି ଦିଆଯାଉଛି। ପବିତ୍ର ବସନ୍ତ ପଂଚମୀ ଦିବସରେ ଏଭଳି ଜଣେ ପୁଣ୍ୟାତ୍ମାଙ୍କୁ ମନେ ପକାଇବା ଓ ତାଙ୍କ ଠାରୁ ପ୍ରେରଣା ନେବା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଂଜଳି ହେବ।