ବଡ଼ବିଲ, ତା ୧୩ ମେ (ଓଡ଼ିଆ ପୁଅ/ସୀତାରାମ ଦୀକ୍ଷିତ)ଅନ୍ଧ ବିଶ୍ୱାସର କୁପରିଣତି ପୁଣି ସାମ୍ନାକୁ ଆସିଛି। ଗୁଣିଗାରେଡ଼ି ସନ୍ଦେହରେ ସମ୍ପର୍କୀୟା ପୁତୁରା ବୋହୂ ଶାଶୁକୁ ବିଭତ୍ସ ହତ୍ୟା। ଗତ ଶନିବାର, କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ବଳିତା ଜଙ୍ଗଲରେ ଜଣେ ୭୦ ବର୍ଷିୟା ବୃଦ୍ଧାଙ୍କୁ ହତ୍ୟା ଘଟଣାର ପର୍ଦ୍ଦାଫାସ ହୋଇଛି। ଗୁଣିଗାରେଡ଼ି ସନ୍ଦେହ କରି ସମ୍ପର୍କୀୟା ପୁତୁରା ବୋହୂ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିବା ସ୍ପଷ୍ଟ ହୋଇଥିବା ବଡ଼ବିଲ ପୋଲିସ ପକ୍ଷରୁ ସୂଚନା ମିଳିଛି। ସଂପୃକ୍ତ ପୁତୁରା ବୋହୂ ସବିତା ମୁଣ୍ଡା(୨୫)କୁ ପୋଲିସ ଗିରଫ୍ କରିବା ସହ ହତ୍ୟାକାଣ୍ଡରେ ବ୍ୟବହୃତ କଟୁରୀକୁ ଜବତ୍ କରିଛି। ପୁରା ଘଟଣା ଏହିପରିଥିଲା ଯେ ଶନିବାର ସକାଳ ସମୟରେ ଯୋଡ଼ା ଥାନା ଅନ୍ତର୍ଗତ ଲହଣ୍ଡା ମୁଣ୍ଡା ସାହିର ୭୦ ବର୍ଷିୟା ବୃଦ୍ଧା ବୁଦୁନି ମୁଣ୍ଡା ନିଜର ଜଣେ ନାତି, ୨ ନାତୁଣୀ ଓ ସମ୍ପର୍କୀୟା ପୁତୁରା ବୋହୂ ସବିତା ମୁଣ୍ଡାଙ୍କ ସହ ମିଶି ପାଖରେ ଥିବା ବଳିତା ଜଙ୍ଗଲକୁ ଜାଳେଣୀ କାଠ ଓ ଚାର କୋଳି ସଂଗ୍ରହ ନିମନ୍ତେ ଯାଇଥିଲେ। ତେବେ ପୁତୁରା ବୋହୂ ସବିତା ବାହାନା କରି ବୃଦ୍ଧାଙ୍କ ପାଖରୁ ୩ ନାତି ନାତୁଣୀଙ୍କୁ ପାଣି ଆଣିବାକୁ ସେଠାରୁ ପଠାଇ ଦେଇଥିଲେ। ଏହାପରେ ପୂର୍ବ ଯୋଜନା ମୁତାବକ ନେଇଥିବା କଟୁରୀ ସାହାଯ୍ୟରେ ସବିତା, ବୃଦ୍ଧାଙ୍କ ମୁଣ୍ଡକୁ ଗୋଟିଏ ପରେ ଗୋଟିଏ ଚୋଟ ଏହିପରି ୩ ଚୋଟ ମାରିଥିଲେ। କଟୁରୀ ମାଡ଼ରେ ବୃଦ୍ଧା ଜଣଙ୍କ ଲହୁ ଲୁହାଣ ହୋଇ ତଳେ ପଡ଼ିଯାଇଥିଲେ। ଏତିକିରେ ଛାଡିନଥିଲେ ସବିତା, ଜଙ୍ଗଲରେ ପଡ଼ିଥିବା ସୁଖିଲାପତ୍ରକୁ ଏକାଠି କରି ବୃଦ୍ଧାଙ୍କୁ ସେହି ଠାରେ ପୋଡ଼ି ଦେଇଥିଲେ। ବୃଦ୍ଧାଙ୍କ ଶରୀର ଅର୍ଦ୍ଧାଧିକ ପୋଡ଼ିଯିବା ପରେ ପାଖାପାଖି ୫୦ ମିଟର ଦୂରକୁ ମୃତଦେହକୁ ଘୋସାରି ନେଇ ଏକ ବୁଦା ଭିତରେ ପକାଇଦେଇଥିଲେ। ଘଟଣା ଘଟାଇ ସବିତା ବଡ ଚତୁରତାର ସହ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସେପଟେ ୩ ନାତି ନାତୁଣୀ ପାଣି ନେଇ ଜଙ୍ଗଲକୁ ଫେରିବା ପରେ ଉଭୟ ବୃଦ୍ଧା ଓ ସବିତାଙ୍କୁ ଘଟଣାସ୍ଥଳରେ ନପାଇ ଘରକୁ ଫେରି ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ।
ପରିବାର ପକ୍ଷରୁ ବହୁ ଖୋଜାଖୋଜି ପରେ ରବିବାର ସକାଳ ସମୟରେ ବୃଦ୍ଧାଙ୍କର ଅର୍ଦ୍ଧଦଗ୍ଧ ମୃତଦେହ ଉକ୍ତ ଜଙ୍ଗଲରୁ ଠାବ କରାଯାଇଥିଲା, ହେଲେ ସବିତାଙ୍କ କୈାଣସି ଖବର ମିଳିନଥିଲା। ଏନେଇ ପୋଲିସ ଅଭିଯୋଗ ପାଇବା ପରେ ଘଟଣାସ୍ଥଳରେ ପହଞ୍ଚି ବୃଦ୍ଧାଙ୍କ ଅର୍ଦ୍ଧଦଗ୍ଧ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଥିବା ସହ ସାଇଂଟିଫିକ୍ ଟିମ୍ ସହାୟତାରେ ତଦନ୍ତ ଆରମ୍ଭ କରିଥିଲା। ଜଙ୍ଗଲରେ ଲୁଚି ରହିଥିବା ଅଭିଯୁକ୍ତା ପୁତୁରା ବୋହୂକୁ ଅନେକ ଖୋଜାଖୋଜି ପରେ ପୋଲିସ ଧରିବାରେ ସକ୍ଷମ ହୋଇଥିଲା। ଧରାପଡ଼ିବା ପରେ ପୋଲିସ ସମ୍ମୁଖରେ ସବିତା ନିଜର ସବୁ ଦୋଷ ସ୍ୱୀକାର କରିଛନ୍ତି। ତାଙ୍କ କହିବା ଅନୁସାରେ ଅନେକ ଦିନ ଧରି ତାଙ୍କ ଦେହ ଭଲ ରହୁନଥିଲା। ସମ୍ପର୍କୀୟା ଶାଶୁ ବୁଦୁନି ମୁଣ୍ଡା ତାଙ୍କ ଉପରେ ଗୁଣିଗାରେଡ଼ି କରିବା ଯୋଗୁଁ ସେ ସର୍ବଦା ଅସୁସ୍ଥ ରହିଆସୁଥିଲେ। ଏଣୁ ସେହି ରାଗକୁ ନେଇ ଏହି ହତ୍ୟାକାଣ୍ଡ ଘଟାଇଛନ୍ତି ବୋଲି ନିଜେ ସ୍ୱୀକାର କରିଛନ୍ତି। ଏହା ପରେ ପୋଲିସ ଡାହାଣୀ ସନ୍ଦେହରେ ବୁଦ୍ଧାଙ୍କୁ ହତ୍ୟା କରିଥିବା ଘଟଣାରେ କେଶ୍ ୟୁ/ଏସ ୩୦୨/ ୨୦୧ ଆଇପିସି/୪(୧) ମାମଲା ରୁଜୁ କରି ସବିତାଙ୍କୁ କେର୍ଟ ଚାଲାଣ କରିଛି।