Odiapua.com

ବଳରାମଗଡ଼ି ଗୁଳିକାଣ୍ଡ-ହତ୍ୟା ମାମଲାରେ ୮ଗିରଫ

ବାଲେଶ୍ୱର, ୧୭ା୩(ଓଡ଼ିଆ ପୁଅ/ଅଭୟ ଦାସ): ବଳରାମଗଡ଼ି ସଂଘବଦ୍ଧ ହତ୍ୟା ମାମଲାର ଦୁଇଦିନ ମଧ୍ୟରେ ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୁଲିସକୁ ସଫଳତା ମିଳିଛି। ଜିଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବାଲେଶ୍ୱର ଏସପି ଶୁଧାଂଶୁ ଶେଖର ମିଶ୍ର ଉପସ୍ଥିତ ରହି ବଳାରାମଗଡ଼ି ଗୁଳିକାଣ୍ଡ ଓ ହତ୍ୟା ମାମଲାର ପୃଷ୍ଟଭୂମି ଏବଂ ପୁଲିସ ଟିମର କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଛନ୍ତି। ଦୁଇଜଣ ଡିଏସପି ଓ ଏକାଧିକ ଇନସ୍ପେକ୍ଟରଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୮ ଜଣଙ୍କୁ ଗିରଫ କରିଥିବା ସେ କହିଛନ୍ତି। ଗିରଫ ଅଭିଯୁକ୍ତମାନେ ହେଲେ ମେରାଇନଥାନା ଅନ୍ତର୍ଗତ ମିର୍ଜାପୁରର ଶେଖ ଅମିରୁଦ୍ଦିନ୍‌ଙ୍କ ପୁତ୍ର ଶେଖ ରଫିକ ଓରଫ ନନ ଓରଫ କଟିବାବୁ ଓ ଶେଖ ଅବଦୁଲଙ୍କ ପୁତ୍ର ଶେଖ ଫରିଦ ଓରଫ ବବୁଲୁ, ବାଲେଶ୍ୱର ଟାଉନଥାନା ଅନ୍ତର୍ଗତ ସୁଏଲପୁର ଅଞ୍ଚଳର ସନ୍ତୋଷ ବାରିକଙ୍କ ପୁତ୍ର ରବି ବାରିକ ଓ ଗଳାପୋଲ ଅଞ୍ଚଳର ମହମ୍ମଦ ସାହିଲଙ୍କ ପୁତ୍ର ମହମ୍ମଦ ହବିବ ଓରଫ ବୁଲବୁଲ, ସହଦେବଖୁଣ୍ଟା ଥାନା ଅନ୍ତର୍ଗତ ଭାସ୍କରଗଞ୍ଜ ଅଞ୍ଚଳର ଆରତ ଶ୍ରୀଚନ୍ଦନଙ୍କ ପୁତ୍ର ଆଶିଷ ଶ୍ରୀଚନ୍ଦନ ଓରଫ ପୁଣ୍ଡୁ, ନୂଆବଜାର ଅଞ୍ଚଳର ପୁରୁଷୋତ୍ତମ ସେଣ୍ଢଙ୍କ ପୁତ୍ର ବିଶ୍ୱଜିତ ସେଣ୍ଢ, ସଦର ଥାନା ଅନ୍ତର୍ଗତ ହର୍ଷପୁରାର ପୁରୁଷୋତ୍ତମ ଦାସଙ୍କ ପୁତ୍ର ବିଜୟ ଦାସ ଓରଫ ବିଜୁ ଓ ଶଙ୍କର ମହାଳିକଙ୍କ ପୁତ୍ର ରାଜେନ୍ଦ୍ର ମହାଳିକ ଓରଫ ରାଜୁ ଓରଫ ଜେଜେ। ସେମାନଙ୍କଠାରୁ ୨ଟି ପିସ୍ତଲ, ୨ଟି ଅଫୁଟା ଗୁଳି, ୨ଟି ତେଲେଙ୍ଗା କଟୁରୀ, ଗୋଟିଏ ଖଣ୍ଡା ସହ ଗୋଟିଏ ବାଇକ ପୁଲିସ ଜବତ କରିଛି। ଟ୍ରଲରରେ ଲାଗିଥିବା ସିସିଟିଭି ଫୁଟେଜ ଓ ଫୋନ ଟ୍ରାକିଂ ତଥା ଗୋଇନ୍ଦା ତଥ୍ୟ ଆଧାରରେ ଅଭିଯୁକ୍ତମାନଙ୍କୁ ସ୍ୱଳ୍ପ ସମୟ ମଧ୍ୟରେ ପୁଲିସ ଗିରଫ କରିପାରିଛି ବୋଲି ଏସପି ଶ୍ରୀ ମିଶ୍ର କହିଛନ୍ତି। ତେବେ ସମସ୍ତ ଅଭିଯୁକ୍ତଙ୍କ ମଧ୍ୟରେ ପୂର୍ବରୁ ବହୁ ଅପରାଧିକ ମାମଲା ରହିଥିବା ସେ ସୂଚନା ଦେଇଛନ୍ତି। ନିକଟ ଅତୀତରେ ସଦର ଥାନା ଅନ୍ତର୍ଗତ କେଶରପୁର ଅଞ୍ଚଳରେ ବିଦ୍ୟୁତ ତାର ଟଣାକୁ ନେଇ ହୋଇଥିବା ଗଣ୍ଡୋଗଳର ପୂର୍ବ ଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଏଥିରେ ଆହୁରି ସଂଖାଧିକ ଅଭିଯୁକ୍ତ ସାମିଲ ଥିବା ଏସପି ସୂଚନା ଦେଇଛନ୍ତି। ମାଷ୍ଟରମାଇଣ୍ଡ ସମେତ ଅନ୍ୟାନ୍ୟ ଫେରାର ଅଭିଯୁକ୍ତଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ଏସପି ଶ୍ରୀ ମିଶ୍ର କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଡିଏସପି ଅନୁପ କାନୁନଗୋ ଓ ଅମୂଲ୍ୟ ଧର ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।